Home Top News ‘‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ : କୋଭିଡ-୧୯ ମୁକାବିଲା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା...

‘‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ : କୋଭିଡ-୧୯ ମୁକାବିଲା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନା’’ର ଅବଧି ଆଉ ୧୮୦ ଦିନ ବଢ଼ିଲା

66

ନୂଆଦିଲ୍ଲୀ ୧୯-୪ (ଓଡ଼ିଆ ପୁଅ) ‘‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ (ପିଏମଜିକେପି) : କୋଭିଡ-୧୯ ମୁକାବିଲା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନା’’ର ଅବଧି ୧୯ ଏପ୍ରିଲ ୨୦୨୨ ଠାରୁ ଆଗାମୀ ୧୮୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କୋଭିଡ -୧୯ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିବା ସ୍ବାସ୍ଥ୍ୟ କର୍ମୀଙ୍କ ଉପରେ ନିର୍ଭରଶୀଳ ଆତ୍ମୀୟ ସ୍ବଜନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଏହି ଯୋଜନାର ଅବଧି ସମ୍ପ୍ରସାରଣ ଲାଗି ନିଷ୍ପତ୍ତି ନିଆଯାଇଛି।

ଏ ସଂକ୍ରାନ୍ତରେ ୧୯ ଏପ୍ରିଲ ୨୦୨୨ରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ବାସ୍ଥ୍ୟ)/ ପ୍ରମୁଖ ସଚିବ (ସ୍ବାସ୍ଥ୍ୟ)/ ସଚିବ (ସ୍ବାସ୍ଥ୍ୟ)ମାନଙ୍କୁ ଏକ ପତ୍ର ଲେଖାଯାଇଛି। ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ବୀମା ଯୋଜନାର ଅବଧି ସମ୍ପ୍ରସାରଣ ସମ୍ପର୍କରେ ସ୍ବାସ୍ଥ୍ୟ କର୍ମୀଙ୍କ ମଧ୍ୟରେ ବ୍ୟାପକ ପ୍ରଚାରପ୍ରସାର କରିବା ଲାଗି ଏହି ପତ୍ରରେ ପରାମର୍ଶ ଦିଆଯାଇଛି।

ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପିଏମଜିକେପି ବୀମା ଯୋଜନା ୩୦ ମାର୍ଚ୍ଚ ୨୦୨୦ରେ ଆରମ୍ଭ କରାଯାଇଥିଲା। କୋଭିଡ-୧୯ ରୋଗୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ସେମାନଙ୍କୁ ଚିକିତ୍ସା କରୁଥିବା ସରକାରୀ ସ୍ବାସ୍ଥ୍ୟ କର୍ମୀ ଏବଂ ଘରୋଇ ସ୍ବାସ୍ଥ୍ୟ କର୍ମୀ ଏହି ରୋଗ ଦ୍ବାରା ପ୍ରଭାବିତ ହେଲେ ସେମାନଙ୍କୁ ବୀମା ଯୋଜନାର ଲାଭ ମିଳିପାରିବ। ଦେଶର ୨୨.୧୨ ଲକ୍ଷ ସ୍ବାସ୍ଥ୍ୟ କର୍ମୀଙ୍କୁ ଏହି ଯୋଜନାରେ ୫୦ ଲକ୍ଷ ଟଙ୍କାର ବୀମା ସୁରକ୍ଷା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।

ଆହୁରି, ବିଶେଷ ପରିସ୍ଥିତିରେ, ରାଜ୍ୟ/କେନ୍ଦ୍ର ସରକାରଙ୍କ ଡାକ୍ତରଖାନା, ରାଜ୍ୟ/କେନ୍ଦ୍ର/କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ସ୍ବୟଂଶାସିତ ଡାକ୍ତରଖାନା/ ଏମ୍ସ ଓ ଜାତୀୟ ଗୁରୁତ୍ବ ବହନ କରୁଥିବା ସଂସ୍ଥାନ (ଆଇଏନଆଇ)/କେନ୍ଦ୍ର ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଡାକ୍ତରଖାନା ଦ୍ବାରା କୋଭିଡ-୧୯ ଚିକିତ୍ସା ପାଇଁ ଆବଶ୍ୟକତା ଅନୁଯାୟୀ ନିୟୋଜିତ ହୋଇଥିବା ଘରୋଇ ଡାକ୍ତରଖାନାର କର୍ମଚାରୀ/ଅବସରପ୍ରାପ୍ତ/ସ୍ବେଚ୍ଛାସେବୀ/ସ୍ଥାନୀୟ ସହରାଞ୍ଚଳ ପ୍ରଶାସନ/ଚୁକ୍ତିଭିତ୍ତିକ/ଦିନ ମଜୁରି/ଆଡହକ/ଆଉଟସୋର୍ସରେ ରହିଥିବା କର୍ମଚାରୀଙ୍କୁ ମଧ୍ୟ ପିଏମଜିକେପି ବୀମା ଯୋଜନାର ଲାଭ ମିଳିପାରିବ।

ଏହି ଯୋଜନା ଆରମ୍ଭ ହେବା ପରଠାରୁ, ଏବେ ସୁଦ୍ଧା ୧୯୦୫ ଜଣ ସ୍ବାସ୍ଥ୍ୟ କର୍ମୀଙ୍କୁ ବୀମା ସହାୟତା ଯୋଗାଇ ଦିଆଯାଇଛି। କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ସମୟରେ ପ୍ରାଣ ହରାଇଥିବା ଏହିସବୁ ସ୍ବାସ୍ଥ୍ୟକର୍ମୀଙ୍କ ପରିବାରଜନଙ୍କୁ ବୀମା ସୁରକ୍ଷା ଅର୍ଥ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.