Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଏମ୍‌ଏନଆରଜିଏସ୍‌ରେ ବ୍ୟାପକ ଦୁର୍ନୀତି, ବଜରାପୁର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଏମ୍‌ଏନଆରଜିଏସ୍‌ରେ ବ୍ୟାପକ ଦୁର୍ନୀତି, ବଜରାପୁର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଜିଲାପାଳଙ୍କ ଅଫିସ୍ ଆଗରେ ଆମରଣ ଅନଶନ

27

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଏମଏନଆରଜିଏସ୍‌ରେ ବ୍ୟାପକ ଦୁର୍ନୀତି ପ୍ରତିବାଦରେ ଏହି ଜିଲାର ଚାନ୍ଦବାଲି ବ୍ଲକ୍ ବଜରାପୁର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପୂର୍ବ ଘୋଷଣା ମତେ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯାଇଛି । ମଂଚ ପକ୍ଷରୁ ଜିଲାପାଳଙ୍କୁ ଦିଆଯାଇଥିବା ଅଭିଯୋଗ ପତ୍ର ମୂଳେ ଚାନ୍ଦବାଲି ବ୍ଲକ୍ ବଜରାପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଘର ନକରି ଟଙ୍କା ଉଠାଇ ନେଇଥିବା, ଚାଳଘର ଥାଇ ଆବାସ ଯୋଜନାରେ ୧ ଲକ୍ଷ ୨୦ ହଜାର ଟଙ୍କା ବିଲ୍ ନେବା, ଅବିବାହିତ ଓ ଗୋଟିଏ ପରିବାରର ବାପ, ପୁଅ,ମାଆ, ଝିଅଙ୍କୁ ଉକ୍ତ ଯୋଜନାରେ ଟଙ୍କା ପ୍ରଦାନ କରାଯାଇଥିବାବେଳେ ପ୍ରକୃତ ଗରିବ ହିତାଧିକାରୀ ଓ ଚାଳଘର ଥିବା ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଂଚିତ ରଖାଯାଇଛି । ସେହିଭଳି ବଜରାପୁର ପଞ୍ଚାୟତରେ ଏମଏନଆରଜିଏସ୍‌ରେ ବ୍ୟାପକ ଦୁର୍ନୀତି ହୋଇଥିବାର ମଧ୍ୟ ଅଭିଯୋଗ ହୋଇଛି । ଏହି ଘଟଣା ବିଷୟରେ ପୂର୍ବରୁ ଚାନ୍ଦବାଲି ବ୍ଲକ୍ ଜନଶୁଣାଣିରେ ଭଦ୍ରକ ଜିଲାପାଳ ଓ ଚାନ୍ଦବାଲି ବିଡିଓଙ୍କୁ ଲିଖିତ ଅଭିଯୋଗ ଦିଆଯାଇଥିଲା ।

ପରେ ଏହି ଦୁର୍ନୀତିକୁ ବିରୋଧ କରି ବଜରାପୁର ବରିଷ୍ଠ ନାଗରିକ ମଞ୍ଚ ଚାନ୍ଦବାଲି ବ୍ଲକ୍ ଆଗରେ ଗତମାସ ୩୦ ତାରିଖରେ ଧାରଣା ଦେଇଥିଲା । ଚାନ୍ଦବାଲି ବିଡିଓ ୧୫ଦିନ ମଧ୍ୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଅନିୟମିତତା କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ୧୫ ଦିନ ଅତିକ୍ରାନ୍ତ କରିଥିଲେ ମଧ୍ୟ ବିଡିଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ବାଧ୍ୟହୋଇ ମଂଚ ପୁନର୍ବାର ଜିଲାପାଳଙ୍କୁ ସାକ୍ଷାତ୍ କରିବା ସହ ଏହି ଘଟଣାର ତଦନ୍ତ କରି ଅନିୟମିତତା କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ନହେଲେ ମଂଚ ପକ୍ଷରୁ ଆମରଣ ଅନଶନ କରିବାର ଚେତାବନୀ ଦିଆଯାଇଥିଲା । ଏପର୍ଯ୍ୟନ୍ତ ଦୁର୍ନୀତିଖୋର ଅଧିକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ବାଧ୍ୟହୋଇ ବଜରାପୁର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ (ରାତି ୯ଟା) ଆମରଣ ଅନଶନ ଜାରି ରହିଛି । ଏବଂ ଏହାର ସମାଧାନ ନହେଲା ପର୍ଯ୍ୟନ୍ତ ଆମରଣ ଅନଶନରୁ ଓହରିବେ ନାହିଁ ବୋଲି ମଂଚ ପକ୍ଷରୁ ପ୍ରଦୀପ କର, ଭୀମସେନ ସାହୁ, ଭରତ ସାହୁ, ମାନଗୋବିନ୍ଦ କର, ଲକ୍ଷ୍ମଣ ସାହୁ ପ୍ରମୁଖ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.