Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନରେ ଅନିୟମିତତା, ବିଜେପି ପକ୍ଷରୁ ବନ୍ତରେ ବିକ୍ଷୋଭ

ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନରେ ଅନିୟମିତତା, ବିଜେପି ପକ୍ଷରୁ ବନ୍ତରେ ବିକ୍ଷୋଭ

40

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଏହି ଯୋଜନା ମାଧ୍ୟମରେ ୨୦୨୨ ସୁଦ୍ଧା ଦେଶରେ ଥିବା ସମସ୍ତ ଗରିବଲୋକଙ୍କ ମୁଣ୍ଡ ଉପରେ ପକ୍କାଛାତର ସ୍ୱପ୍ନ ଦେଖିଛନ୍ତି ନରେନ୍ଦ୍ର ମୋଦି । ମାତ୍ର ପ୍ରଧାନମନ୍ତ୍ରୀଙ୍କର ଏହି ପରିକଳ୍ପନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବା ବେଳେ ଅନିୟମିତତା କରୁଥିବାର ଅଭିଯୋଗ ଆଣିଛି ବିଜେପି । ଏହି କ୍ରମରେ ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିଜେପି ଅଭିଯୋଗରେ ଦର୍ଶାଇଛି, ରାଜ୍ୟ ସରକାର ଗତ ୨୦୧୯ ମସିହାରେ ଜିଓ ଟ୍ୟାଗିଂ ଓ ଘର ସର୍ବେକ୍ଷଣ କରିଥିଲେ । ସେଥିରେ ଅନେକ ତ୍ରୁଟି ବିଚ୍ୟୁତି ଓ ଅନିୟମିତା ହୋଇଥିଲା । ଏହି ତାଲିକାରେ ଅଯୋଗ୍ୟ ହିତାଧିକାରୀଙ୍କ ନାମ ରହିଥିବାରୁ ବହୁ ଗରିବ ଓ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଥିଲେ । ଦଳ ପକ୍ଷରୁ ଅଭିଯୋଗ ହେବାପରେ ପୁର୍ନବାର ସର୍ଭେ କରାଯିବା ସହ ହିତାଧିକାରୀଙ୍କ ତାଲିକା ସାର୍ବଜନୀନ କରାଯାଇ ଆବେଦନ ଓ ଅଭିଯୋଗ ପତ୍ର ଆହ୍ୱାନ କରାଯାଇଥିଲା । ମାତ୍ର ଏ ଯାବତ ଏହି ଅନିୟମିତା କୁ ତର୍ଜମା କରା ନଯାଇ ପୂର୍ବବତ ଗୃହ ଆବଣ୍ଟନ କରାଯାଉଛି । ଯଦ୍ୱାରା ରାଜ୍ୟ ସରକାର ଏହି କେନ୍ଦ୍ରୀୟ ଯୋଜନାକୁ ଠିକ୍ ଭାବେ ରୂପାୟିତ ନକରି ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି କାର୍ଯ୍ୟ ଜାରୀ ରଖିଛନ୍ତି ବୋଲି ବିଜେପି ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ତଥା ଭଣ୍ଡାରିପୋଖରୀ ବିଧାନସଭାର ନେତା ବଦ୍ରୀ ନାରାୟଣ ଧଳ ପ୍ରକାଶ କରିଛନ୍ତି ।

ପ୍ରାରମ୍ଭରେ କୋଭିଡ଼ କଟକଣା ଯୋଗୁଁ ସ୍ୱଳ୍ପ ସଂଖ୍ୟକ ଦଳୀୟ କର୍ମୀ ଓ ପଦାଧିକାରୀଙ୍କୁ ନେଇ ଆଜି ସ୍ଥାନୀୟ ଜଳସେଚନ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ପ୍ରତିବାଦ କରିଥିଲେ । ବିଜେପି ଜିଲ୍ଲା ଉପ ସଭାନେତ୍ରୀ ପଙ୍କଜିନୀ ଲେଙ୍କା ଏହି ପ୍ରତିବାଦ ସଭାକୁ ସଞ୍ଚାଳନ କରିଥିଲେ । ଏଥିରେ ଜିଲ୍ଲା ସମ୍ପାଦିକା ତଥା ପର୍ଯ୍ୟବେକ୍ଷକ ତପସ୍ୱିନୀ ମହାପାତ୍ର ଯୋଗଦେଇ ନିରପେକ୍ଷ ତଦନ୍ତ କରାଯାଇ କଚାଘରେ ରହୁଥିବା ଲୋକଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଦାବୀ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନ୍ତ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ଆଗରପଡ଼ା ମଣ୍ଡଳ ସଭାପତି ଗୋପାଳକୃଷ୍ଣ ଦାଶ, ବରେଡ଼ଶ୍ୱର ମଣ୍ଡଳ ସଭାପତି ନବକିଶୋର ବଳ, ଜିଲ୍ଲା କାର୍ଯ୍ୟକାରିଣୀ ପ୍ରକାଶ ମହାପାତ୍ର, ବରିଷ୍ଠ ନେତା ଦେବେନ୍ଦ୍ର ଜେନା, ଧ୍ରୁବ ମାଝୀ, ଓଡ଼ଙ୍ଗ ସରପଞ୍ଚ କିଶୋର କିଙ୍କର ପଢିଆରୀ, ପୂର୍ବତନ ସରପଞ୍ଚ ମନୋଜ ବିଶ୍ୱାଳ, ରାଜୀବ ଲୋଚନ ସାହୁ, ମାନସ ଜେନା, ତପନ ବାରିକ, ଜିତେନ ନାଥ, ଗଦାଧର ରାଉତ, ବସନ୍ତ ବାରିକ, ତାପସ ଖଣ୍ଡେଇ, ପରୀକ୍ଷିତ ଜେନା, ଶୁଭକାନ୍ତ ଜେନା, ପ୍ରସନ୍ନ ଗିରି, ରାମଚନ୍ଦ୍ର ମହାନ୍ତି, ସିନାରାଣୀ ମିଶ୍ର, ପୁଷ୍ପଲତା ବେହେରା, ଦେବକୀ ସାମଲ, ଟିମା ଦାସ, କୈଳାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବନ୍ତ ବିଡ଼ିଓ ରେବେକା ବିଲୁଙ୍ଗଙ୍କ ମାଧ୍ୟମରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ୱାରକପତ୍ର ପ୍ରଦାନ କରାଯାଇଥିଲା । ବିକ୍ଷୋଭସ୍ଥଳରେ ବନ୍ତ ପୁଲିସ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.