Home ଓଡ଼ିଶା ପ୍ରଚାରକ ନାଁ ନେତା ସାରଦା ?

ପ୍ରଚାରକ ନାଁ ନେତା ସାରଦା ?

368

ଭୁବନେଶ୍ୱର: ବିଜେପି ଓଡ଼ିଶାର ପୂର୍ବତନ ସଙ୍ଗଠନ ସମ୍ପାଦକ ସାରଦା ପ୍ରସାଦ ଶତପଥିଙ୍କୁ ଦଳରେ ପ୍ରମୁଖ ତଥା ଏକ ଗୁରୁ ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି।ସାରଦା ପ୍ରସାଦ ଶତପଥୀଙ୍କର ରାଜନୀତି ପ୍ରତି ପ୍ରବଳ ରୁଚି ଥିବା ଜଣାପଡ଼ୁଛି।ନିକଟରେ ଅପ୍ରତ୍ୟାଶିତ ଭାବରେ ସାରଦା ଶତପଥୀଙ୍କୁ ରାଜ୍ୟ ସଙ୍ଗଠନ ସମ୍ପାଦକ ପଦବୀରୁ ହଠାତ ଅପସାରିତ କରି ମାନସ ମହାନ୍ତିଙ୍କୁ ଦାୟିତ୍ୱ ଦିଆଗଲା।ସାରଦାଙ୍କୁ ମୂଳ ସଙ୍ଗଠନ ଆରଏସଏସର ପ୍ରଚାର ପ୍ରସାର ବିଭାଗର ରାଜ୍ୟ ସହ ପ୍ରମୁଖ ଦାୟିତ୍ୱ ଦିଆଗଲା।କିନ୍ତୁ, ଖୁବ ଅଳ୍ପ ଦିନ ମଧ୍ୟରେ ସାରଦା ପୁଣି ବିଜେପିକୁ ଆସିଲେ।ତାଙ୍କୁ ମୟୁରଭଞ୍ଜ ନିର୍ବାଚନ ପାଇଁ ପ୍ରଭାରୀ ଦାୟିତ୍ୱ ଦିଆଯାଇ ଥିବା ବେଳେ ଏବେ ସଦସ୍ୟତା ଅଭିଯାନର ରାଜ୍ୟ ସହ ପ୍ରମୁଖ ଦାୟିତ୍ୱ ଦିଆଗଲା।ମୟୁରଭଞ୍ଜ ନିର୍ବାଚନରେ ବିଜେପିକୁ ସଫଳତା ମିଳିଥିବା ପଛରେ ସାରଦାଙ୍କ ପ୍ରମୁଖ ଭୂମିକା ରହିଥିବା କୁହାଯାଏ।ଏବେ ଅନନ୍ତ ନାୟକ ସଦସ୍ୟତା ଅଭିଯାନର ରାଜ୍ୟ ପ୍ରମୁଖ ଥିବା ବେଳେ ବାସ୍ତବରେ ସହ ପ୍ରମୁଖ ଥାଇ ସାରଦା ପ୍ରସାଦ ସବୁ କରୁଥିଲେ।

ବିଜେପିରେ ସଙ୍ଗଠନ ସମ୍ପାଦକ ନିଯୁକ୍ତିରେ ବିଜେପିର କୌଣସି ଭୂମିକା ନଥାଏ।ଆରଏସଏସ ତାର ଜଣେ ପ୍ରଚାରକଙ୍କୁ ଏହି ଦାୟିତ୍ୱ ଦେଇଥାଏ।ବିଜେପି ଏବଂ ଆରଏସଏସ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବା ସଙ୍ଗଠନ ସମ୍ପାଦକର ଦାୟିତ୍ୱ ହୋଇଥାଏ।ସଙ୍ଗଠନ ସମ୍ପାଦକ କିମ୍ବା ଆବଶ୍ୟକ ସ୍ଥଳେ ସହ ସଙ୍ଗଠନ ସମ୍ପାଦକ ଦାୟିତ୍ୱ ବ୍ୟତୀତ ବିଜେପିର ଅନ୍ୟ କୌଣସି ସାଙ୍ଗଠନିକ ଦାୟିତ୍ୱରେ ସଂଘ (ଆରଏସଏସ) ପକ୍ଷରୁ ନିଯୁକ୍ତି ଦିଆଯାଇନଥାଏ।ବିଜେପି ସଙ୍ଗଠନ ସମ୍ପାଦକ ଦାୟିତ୍ୱରେ ଥିବା ପ୍ରଚାରକଙ୍କୁ ସଂଘ ଆବଶ୍ୟକ ସ୍ଥଳେ ମୂଳ ସଙ୍ଗଠନକୁ ଫେରାଇ ନେଇପାରେ କିମ୍ବା ଆରଏସଏସର ବିବିଧ କ୍ଷେତ୍ରର ଅନ୍ୟ କୌଣସି କ୍ଷେତ୍ରରେ ସେହିପରି ସଙ୍ଗଠନ ସମ୍ପାଦକ ଦାୟିତ୍ୱ ଦେଇଥାଏ।ଯେପରି ନିକଟରେ ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ (ମହାମନ୍ତ୍ରୀ) ରାମଲାଲଙ୍କୁ ସଂଘ ମୂଳ ସଙ୍ଗଠନକୁ ଫେରାଇ ନେଲା।ତେବେ, ଜଣେ ପ୍ରଚାରକଙ୍କୁ ବିଜେପି ସଙ୍ଗଠନ ସମ୍ପାଦକ ଦାୟିତ୍ୱ ଦିଆଯାଇ, ଏବଂ ତାଙ୍କୁ ହଠାତ ଅପସାରିତ କରି ମୂଳ ସଙ୍ଗଠନ ଆରଏସଏସକୁ ଫେରାଇ ଆଣିବା ପରେ ପୁଣି ସେ ବିଜେପିକୁ ଯିବା, ସଂଘ ନିଷ୍ପତିରେ ସାଧାରଣତଃ ଦେଖାଯାଇ ନଥାଏ।ହୁଏତ କେହି ପ୍ରଚାରକ ଜୀବନରୁ ସ୍ୱଇଛାରେ ବିଜେପିକୁ ଆସି ରାଜନୀତି କରିପାରେ।କିନ୍ତୁ, ସାରଦା ଶତପଥିଙ୍କ ଘଟଣାରେ ଏପରି କିଛି ଦେଖିବାକୁ ମିଳିଛି।ସଙ୍ଗଠନ ସମ୍ପାଦକରୁ ମୂଳ ସଙ୍ଗଠନ ଆରଏସଏସକୁ ଫେରାଇ ଆଣିବା ପରେ ଏବେ ତାଙ୍କୁ ପୁଣି ସଦସ୍ୟତା ଅଭିଯାନ ପରି ଗୁରୁ ଦାୟିତ୍ୱ ଦିଆଯାଇଛି।ଏବେକାର ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ଏବଂ ସାରଦା ଶତପଥୀଙ୍କ ମଧ୍ୟରେ ଏକ ତାଳମେଳ ଥାଇ ଉଭୟ ସଙ୍ଗଠନ କାମ କରୁଥିବା କୁହାଯାଉଛି।ଏବେ ବିଜେପିରେ ଚାଲିଛି ସାଙ୍ଗଠନିକ ନିର୍ବାଚନ।ମଣ୍ଡଳ ନିର୍ବାଚନ ସରିବା ପରେ ଏବେ ଜିଲ୍ଲା ସଭାପତି ନିର୍ବାଚନ ଏବଂ ଏହାପରେ ହେବ ରାଜ୍ୟ ସଭାପତି ନିର୍ବାଚନ।ନିର୍ବାଚନ ନୁହେଁ ସହମତିରେ ହେବ ରାଜ୍ୟ ସଭାପତି ଚୟନ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଉଛି।କିନ୍ତୁ, ସହମତି ନାଁ ସଲାସୂତରାରେ ହେବ ରାଜ୍ୟ ସଭାପତି ଚୟନ ବୋଲି ଆଲୋଚନା ହେଉଛି।କାରଣ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇଚ୍ଛାରେ ହିଁ ସଭାପତି ସମେତ ସମସ୍ତ ପଦପଦବୀରେ ନିଯୁକ୍ତି ଦିଆଯାଉଥିଲା।କିନ୍ତୁ, ଏଥର ସଙ୍ଗଠନ ଭିତ୍ତିରେ ସହମତିରେ ତଥା ସମନ୍ୱୟ ରଖି ଦାୟିତ୍ୱ ଦିଆଯିବ ବୋଲି କୁହାଯାଉଛି।ଏ’ସବୁ ଭିତରେ ସାରଦା ଶତପଥୀଙ୍କ ଗତି ବିଧିକୁ ଲକ୍ଷ କଲେ ତାଙ୍କୁ ରାଜ୍ୟ ବିଜେପିରେ ପ୍ରମୁଖ ତଥା ଏକ ଗୁରୁ ଦାୟିତ୍ୱ ମିଳିପାରେ ଅନୁମାନ କରାଯାଉଛି।/-ଦେବଦତ୍ତ ରଥ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.