Home Top News ପ୍ରକୃତି ଓ ପ୍ରାଚୁର୍ଯ୍ୟଭରା ଓଡିଶା ଆଜି ଦରିଦ୍ରତମ ରାଜ୍ୟ : ଅପରାଜିତା ଷଡଙ୍ଗୀ

ପ୍ରକୃତି ଓ ପ୍ରାଚୁର୍ଯ୍ୟଭରା ଓଡିଶା ଆଜି ଦରିଦ୍ରତମ ରାଜ୍ୟ : ଅପରାଜିତା ଷଡଙ୍ଗୀ

50

ଭୁବନେଶ୍ୱର, ୨୪/୦୯ (ଓଡ଼ିଆ ପୁଅ) : ରାଜ୍ୟରେ କୋଟି କୋଟି ଟଙ୍କାର ପୁଞ୍ଜିନିବେଶ ହେଉଛି। ପର‌୍ୟ୍ୟାପ୍ତ ପରିମାଣର କେନ୍ଦ୍ରୀୟ ଆର୍ଥିକ ଅନୁଦାନ ଆସୁଛି। ଦୀର୍ଘ ୨୧ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରାଜ୍ୟରେ ଶାସନ କ୍ଷମତାରେ ଥିବା ଶାସକ ବିଜେଡି ନିଜକୁ ଏକ ନମ୍ବର ବୋଲି ପ୍ରଚାର କରିଆସୁଛି। ମାତ୍ର ବସ୍ତବ ସ୍ଥିତି ସଂପୂର୍ଣ୍ଣ ଭିନ୍ନ। ପ୍ରକୃତି ଓ ପ୍ରାଚୁର‌୍ୟ୍ୟଭରା ଓଡିଶା ଆଜି ଦରିଦ୍ରତମ ରାଜ୍ୟରେ ପରିଣତ ହୋଇଛି ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହିଛନ୍ତି।

ରାଜ୍ୟ କାର‌୍ୟ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ, ଓଡିଶାର ଦାରିଦ୍ର‌୍ୟ ସ୍ଥିତି ଏବଂ ମହିଳାମାନଙ୍କ ପ୍ରତି ହେଉଥିବା ନିର‌୍ୟ୍ୟାତନା ଆଜି ଚିନ୍ତାର କାରଣ ସାଜିଛି। ରାଜ୍ୟକୁ ବାସ୍ତବରେ ଏକ ନମ୍ବରରେ ପରିଣତ କରିବାକୁ ହେଲେ ସର୍ବପ୍ରଥମେ ଆମେ ଆମ ନିଜର ବାସ୍ତବ ସ୍ଥିତି ସଂପର୍କରେ ଅବଗତ ହେବା ନିହାତି ଜରୁରୀ। ନ୍ୟାସନାଲ ସେଂପଲ ସର୍ଭେ ଅର୍ଗାନାଇଜେସନ ତରଫରୁ କରାଯାଇଥିବା ତଥ୍ୟ ଅନୁଯାୟୀ ସର୍ବଭାରତୀୟ ସ୍ତର ହାର ଅନୁଯାୟୀ ଓଡିଶାର ସ୍ଥାନ ବହୁ ପଛରେ ରହିଛି।

ସର୍ଭେ ଅନୁଯାୟୀ ଜାତୀୟ ସ୍ତରରେ ସହାରଂଚଳ ପରିବାରରେ ‘ହାରାହାରି ସଂପତି ମୁଲ୍ୟ’ ୨୭.୧୨ଲକ୍ଷ ଟଙ୍କା ହୋଇଥିବାବେଳେ ଓଡିଶାରେ ଏହା ୧୩.୪୧ଲକ୍ଷ ଟଙ୍କା ଏବଂ ଜାତୀୟ ସ୍ତରରେ ଗ୍ରାମାଂଚଳ ପରିବାରରେ ‘ହାରାହାରି ସଂପତି ମୂଲ୍ୟ’ ୧୫.୯୨ ଲକ୍ଷ ଟଙ୍କା ହୋଇଥିବାବେଳେ ଓଡିଶାରେ ଏହା ମାତ୍ର୍ର ୫.୩୨ ଲକ୍ଷ ଟଙ୍କା ଅଛି। ଓଡିଶାର ଚାଷୀ ପରିବାରର ‘ହାରାହାରି ସଂପତି ମୂଲ୍ୟ’ ମାତ୍ର ୬.୨୧ ଲକ୍ଷ ଟଙ୍କା ଅଟେ। ଏହି ପରିମାଣ ଆମ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଛତିଶଗଡ, ଆସାମ, ଝାଡଖଣ୍ଡଠୁ ମଧ୍ୟ ବହୁ ପଛରେ ଅଛି। ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି।

ଓଡିଶା ଅଧିକ ଋଣଗସ୍ତ ହେବା ମଧ୍ୟ ଚିନ୍ତାର କାରଣ ସାଜିଛି। ସର୍ବଭାରତୀୟ ସ୍ତରରେ ଋଣଗ୍ରସ୍ତ ଚାଷୀ ପରିବାର ତାଲିକା ରାଜ୍ୟରେ ପ୍ରଥମ ୧୦ଟି ରାଜ୍ୟ ମଧ୍ୟରୁ ୯ମ ସ୍ଥାନରେ ରହିଛି। ରାଜ୍ୟରେ ୪୬.୪ ପ୍ରତିଶତ ଚାଷୀ ପରିବାର ଋଣଗ୍ରସ୍ତ। ୪୦.୫ ପ୍ରତିଶତ ଗ୍ରାମାଂଚଳ ପରିବାର ଋଣ ବୋଝରେ ଅଛନ୍ତି, ଯାହାକି ପ୍ରଥମ ୫ ଟି ରାଜ୍ୟ ମଧ୍ୟରୁ ସର୍ବ ଶେଷରେ ରହିଛି। ୨୦୧୫-୧୬ ଆର୍ଥିକ ବର୍ଷରେ ଓଡିଶାରେ ଚାଷୀଙ୍କ ଆୟ ୭୭୩୧ ଟଙ୍କା ଥିବାବେଳେ ୨୦୧୮-୧୯ ରେ ଏହା ୫୧୧୨ ଟଙ୍କାକୁ ଖସି ଆସିଛି। ହିସାବ କଲେ ଓଡିଶାର ପ୍ରତ୍ୟେକ ଚାଷୀଙ୍କ ଦିନକୁ ଆୟ ମାତ୍ର ୧୭୦ ଟଙ୍କା। ସର୍ବଭାରତୀୟ ସ୍ତରରେ ତଳ ଆଡୁ ଦ୍ୱିତୀୟ ସ୍ଥାନରେ ଓଡିଶା ରହିଛି। ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣ ଯୋଜନା ସଂପୂର୍ଣ୍ଣ ଫେଲ ହୋଇଥିବା ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି।

ସେହିପରି, ‘ସଂପତି ବନାମ ଋଣ’ କ୍ଷେତ୍ରରେ ଓଡିଶାବାସୀଙ୍କ ସ୍ଥିତି ବହୁ ସଂଗୀନ। ଓଡିଶା ଚାଷୀ ପରିବାରରେ ଏହି ପରିସଂଖ୍ୟାନ ୫.୫ ପ୍ରତିଶତ। ପଡୋଶୀ ବିହାର, ଛତିଶଗଡ, ଝାଡଖଣ୍ଡ ସମେତ କର୍ଣ୍ଣାଟକ, ତାମିଲନାଡୁ ଭଳି ରାଜ୍ୟରେ ଏହା ବହୁ କମ୍ ଅଛି। ଓଡିଶାର ସହରଂଚଳରେ ଏହି ପରିସଂଖ୍ୟାନ ୪ ପ୍ରତିଶତ ଥିବାବେଳେ ଗ୍ରାମାଂଚଳରେ ଏହା ୫.୮ ପ୍ରତିଶତ ଅଟେ। ‘ଗିନି କୋଏଫିସିଏଂଟ’ ସୁଚକାଙ୍କରେ ସର୍ବଭାରତୀୟ ସ୍ତରରେ ଗ୍ରାମାଂଚଳରେ ୩୬ତମ ଏବଂ ସହରାଂଚଳରେ ୩୪ତମ ସ୍ଥାନରେ ଓଡିଶା ରାଜ୍ୟ ଅଛି। ନୀତି ଆୟୋଗ ଏସଡିଜି ରିପୋର୍ଟ ଅନୁଯାୟୀ ‘ଦାରିଦ୍ର‌୍ୟ ସୀମାରେଖା ତଳେ’ ସୁଚକାଙ୍କରେ ୧୫ ବୃହତ ରାଜ୍ୟ ତାଲିକାରେ ଓଡିଶା ୧୪ତମ ସ୍ଥାନରେ ଅଛି। ସର୍ବଭାରତୀୟ ସ୍ତରରେ ୨୧.୯୨ ପ୍ରତିଶତ ଲୋକ ‘ଦାରିଦ୍ର‌୍ୟ ସୀମାରେଖା ତଳେ’ ଥିବାବେଳେ ଓଡିଶାରେ ୩୨.୫୯ ପ୍ରତିଶତ ରହିଛି। ଦୀର୍ଘ ୨୧ ବର୍ଷର ନିରୁଙ୍କଶ ଶାସନ ପରେ ମଧ୍ୟ ଓଡିଶା ରାଜ୍ୟ ଦରିଦ୍ରତମ ରାଜ୍ୟ ଭାବେ ପରିଗଣିତ ହେବା ରାଜ୍ୟ ସରକାରଙ୍କ ଚରମ ବିଫଳତା ନୁହେଁ କି ବୋଲି ଶ୍ରୀମତୀ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି।

ପ୍ରକୃତି ଓ ପ୍ରାଚୁର‌୍ୟ୍ୟଭରା ଓଡିଶା ଆଜି କାହିଁକି ଦରିଦ୍ରତମ ? କୋଟି କୋଟି ଟଙ୍କା ଡିଏମଏଫ ପାଂଠି ଜରିଆରେ ଆସୁଥବା ସତ୍ୱେ କାହିଁକି ବିକାଶ ହେଉ ପାରୁ ନାହିଁ ? ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଓଡିଶାକୁ ପର‌୍ୟ୍ୟାପ୍ତ ପରିମାଣର କେନ୍ଦ୍ରୀୟ ଅନୁଦାନ ଓ ସହାୟତା ସତ୍ୱେ କାହିଁକି ଆମେ ପଛୁଆ ଓ ଦରିଦ୍ର ? ସତ କେବେହେଲେ ଲୁଚି ରହେ ନାହିଁ। ବିକାଶ କ୍ଷେତ୍ରରେ ଓଡିଶା ଆଗୁଆ ବୋଲି ମିଛ ପ୍ରଚାର କରୁଥିବା ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିଯାଇଛି। ସାଧାରଣ ଓଡିଶାବାସିଙ୍କୁ ମୈାଳିକ ସୁବିଧା ଯୋଗାଇ ଦେବା ସହ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରାଇବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା ଏବଂ ରାଜ୍ୟ ସରକାର ଏଥିରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି।

ନାରୀ ନିର‌୍ୟ୍ୟାତନାରେ ସର୍ବଭାରତୀୟ ସ୍ତରରେ ତଳଆଡୁ ଦ୍ୱିତୀୟ ସ୍ଥାନରେ ରହି ଓଡିଶା ଆଜି ରେକର୍ଡ କରିଛି। ୍‌ଯୈାତୁକଜନିତ ହତ୍ୟା, ଧର୍ଷଣ, ବ୍ଲାକମେଲ, ନାବାଳିକା ଅତ୍ୟାଚାର ଆଦି ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି। କରୋନା ଲକ୍‌ଡାଉନ୍ ସମୟରେ ସମଗ୍ର ଦେଶରେ ମହିଳା ନିର‌୍ୟ୍ୟାତନା ଓ ହିଂସା ହ୍ରାସ ପାଇଥିବାବେଳେ ଓଡିଶାରେ ଏହି ସଂଖ୍ୟା ବୃଦ୍ଧି ପାଇଛି। ୨୦୧୮ ବର୍ଷ ଅପେକ୍ଷା ୨୦୨୦ ବର୍ଷରେ ୨୫.୭୨ ପ୍ରତିଶତ ମହିଳା ହିଂସା ବୃଦ୍ଧି ପାଇଛି। ଓଡିଶା ପୋଲିସର ତଥ୍ୟ ଅନୁଯାୟୀ ୨୦୧୮ ମସିହାରେ ୨୦୨୭୪; ୨୦୧୯ରେ ୨୩୧୮୩ ଏବଂ ୨୦୨୦ରେ ୨୫୪୮୯ଟି ମହିଳା ହିଂସା ଓ ନିର‌୍ୟ୍ୟାତନା ମାମଲା ରୁଜୁ ହୋଇଛି। ଏନସିଆରବି ରିପୋର୍ଟ ଅନୁଯାୟୀ, ପ୍ରତି ଲକ୍ଷେରେ ଗତ ବର୍ଷ ୧୦୩.୫ ଥିବାବେଳେ ଲକ୍‌ଡାଉନ୍ ସତ୍ୱେ ଚଳିତ ଏହା ବୃଦ୍ଧି ପାଇ ୧୧୨.୯ରେ ପହଂଚିଛି। ସେହିପରି ରାଜ୍ୟରେ ଅନୁସୁଚିତ ଜାତି ମହିଳା ନିର‌୍ୟ୍ୟାତନା ପ୍ରତି ଲକ୍ଷରେ ୧୦୩ ଏବଂ ଅନୁସୁଚିତ ଜନଜାତି ମହିଳା ନିର‌୍ୟ୍ୟାତନା ୩୧କୁ ବୃଦ୍ଧି ପାଇଛି। ସାଇବର କ୍ରାଇମରେ ପ୍ରତି ଲକ୍ଷରେ ୫୨୬ କେସ୍ ରୁଜୁ ହୋଇ ଓଡିଶାର ସ୍ଥାନ ଦେଶରେ ସର୍ବାଗ୍ରେ ରହିଛି। ଅନ୍ୟ ପଟେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଦଣ୍ଡବିଧାନ ହାର ବହୁତ କମ୍ ରହିଛି। ୯୩୮୬ ମାମଲା ପୋଲିସ ଇନଭେଷ୍ଟିଗେସନରେ ଥିବାବେଳେ ୧୩୫୩୦୩ଟି ମାମଲା ବିଚାର ନହୋଇ ପଡି ରହିଛି। ରାଜ୍ୟରେ ଦଣ୍ଡପ୍ରଦାନ ହାର ମାତ୍ର ୯.୨ ପ୍ରତିଶତ ରହିଛି। ଏହି କାରଣରୁ ବହୁ ଅପରାଧୀ ଖୁଲମଖୁଲା ବାହାରେ ବୁଲି ନିର୍ଭୟରେ ଅପରାଧ ଭିଆଇବାକୁ ସାହାସ କରୁଛନ୍ତି ବୋଲି ଶ୍ରୀମତି ଷଡଙ୍ଗୀ କ୍ଷୋଭ ପ୍ରକାଶ କରି କହିଛନ୍ତି।

ଆର୍ଥିକ ସଶକ୍ତିକରଣରେ ଫେଲ ହୋଇଥିବା ରାଜ୍ୟ ସରକାର ମାଁ ଓ ଭଉଣୀମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାରେ ମଧ୍ୟ ବହୁ ପଛରେ ରହିଯାଇଛନ୍ତି। ଏଥି ପାଇଁ ୨୧ ବର୍ଷ ଧରି ନିରନ୍ତର ଶାସନ କ୍ଷମତାରେ ଥିବା ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ଉର୍ମିଳା ମହାପାତ୍ର ଓ ଉମାକାନ୍ତ ପଟ୍ଟନାୟକ, ରାଜ୍ୟ ଗଣମାଧ୍ୟମ ସହସଂଯୋଜକ ସୁଜିତ୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.