ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାର ଭଦ୍ରକ ଓ ବାସୁଦେବପୁର ପୌରପାଳିକାର ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇ ଫଳାଫଳ ଘୋଷଣା ହୋଇଛି। ତେବେ ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶନାମା ମୂଳେ ପୂର୍ବାହ୍ନ ୧୦ ଘଟିକାରେ ଭଦ୍ରକ ପୌର ପରିଷଦ କାର୍ଯ୍ୟାଳୟ ସଭାଗୃହ ମଧ୍ୟରେ ଏକାଦଶତମ ପରିଷଦର ନବ ନିର୍ବାଚିତ ପାରିଷଦମାନଙ୍କର ଏକ ସ୍ୱତନ୍ତ୍ର ବୈଠକ ପୌର ଉପାଧ୍ୟକ୍ଷ ନିର୍ବାଚନ ନିମନ୍ତେ ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ମନୋଜ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉପସ୍ଥାନ ଅନୁଯାୟୀ ବିଜେଡିର ୧୯ ଜଣ ପାରିଷଦ ଏହି ବୈଠକରେ ଯୋଗ ଦେଇଥିଲେ। ଉପସ୍ଥିତ ନବ ନିର୍ବାଚିତ ପାରିଷଦମାନଙ୍କୁ ସଭାପତି ତଥା ନିର୍ବାଚନ ଅଧିକାରୀ ସ୍ୱାଗତ ଜଣାଇବା ପରେ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ମୂଳେ ୧୦ ଘଟିକାରୁ ନାମାଙ୍କନ ପତ୍ର ଗ୍ରହଣ ଓ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପୂର୍ବାହ୍ନ ୧୧ ଘଟିକା ମଧ୍ୟରେ ୬ ନଂ ୱାର୍ଡର ପାରିଷଦ ଅଂଜୁବାଳା ଜେନା ଏକମାତ୍ର ଉପାଧ୍ୟକ୍ଷ ପ୍ରାର୍ଥିନୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ପ୍ରାର୍ଥୀପତ୍ର କାଏମ ରହିବାରୁ ଯାଞ୍ଚ ପରେ ଉପାଧ୍ୟକ୍ଷ ପଦ ନିମନ୍ତେ ତାଙ୍କ ନାମ ବୈଧ ରହିଥିଲା।
ପରେ ଅପରାହ୍ନ ୧ ଘଟିକା ପୂର୍ବରୁ ପ୍ରାର୍ଥିୀପତ୍ର ପ୍ରତ୍ୟାହାର ସମୟସୀମା ମଧ୍ୟରେ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର ନହେବାରୁ ଏକାକୀ ନିଦ୍ୱନ୍ଦ୍ୱର୍ରେ ସେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଏଠାରେ ସୂଚନାଯୋଗ୍ୟ ଭଦ୍ରକ ପୌରପାଳିକାର ୩୦ ଟି ୱାର୍ଡ ମଧ୍ୟରୁ ୨୯ ଟିରେ ପୌର ପାରିଷଦ ନିର୍ବାଚନ ଅନୁଷ୍ଠିତ ହୋଇ ବିଜେଡି ଏକାକୀ ୧୭ ଟି ଆସନ ହାତେଇଥିଲା। ପରବର୍ତ୍ତୀ ସମୟରେ ୧ ଓ ୩ ନଂ ୱାର୍ଡର ସ୍ୱାଧୀନ ପ୍ରାର୍ଥି ବିଧାୟକ ସଂଜୀବ ମଲ୍ଲିକଙ୍କ ବାସଭବନରେ ବିଜେଡିର ବିଧିବଦ୍ଧ ଭାବେ ସାମିଲ ହେବା ପରେ ତାହା ୧୯ କୁ ବୃଦ୍ଧି ପାଇଥିଲା। ଆଜିର ନିର୍ବାଚନରେ କଂଗ୍ରେସର ୬ ଜଣ, ବିଜେପିର ଜଣେ, ସ୍ୱାଧୀନ ୩ ଜଣ ପାରିଷଦ ଅଂଶ ଗ୍ରହଣ କରିନଥିଲେ। ଏଣୁ ବିଜେଡିର ପ୍ରାର୍ଥିନୀ ଶ୍ରୀମତୀ ଜେନା ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହେବା ପରେ ବିଧାୟକ ଶ୍ରୀ ମଲ୍ଲିକ, ପୂର୍ବତନ ପୌରପାଳ ତଥା ରାଜ୍ୟ ବିଜେଡି ସଂପାଦକ ଇଂ ପ୍ରୟାସକାନ୍ତି ସାମଲ, ଜିଲା ପରିଷଦ ସଭ୍ୟ ମଳୟ ଜେନା, ବିଜେଡି ନଗର ସଭାପତି ଆଇନ୍ଜୀବୀ ତାହେର ମହମ୍ମଦ, ପୂର୍ବତନ ପାରିଷଦ ପ୍ରବୀର ଜେନା, ପ୍ରଣୟ ଦାସ, ବିଜୟୀ ସମସ୍ତ ବିଜେଡି ପାରିଷଦଗଣ ଉପସ୍ଥିତ ଥାଇ ନବ ନିର୍ବାଚିତ ପୌର ଉପାଧ୍ୟକ୍ଷ ଶ୍ରୀମତୀ ଜେନାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ସେହିଭଳି ବାସୁଦେବପୁର ପୌରପାଳିକାର ଉପାଧ୍ୟକ୍ଷ ନିର୍ବାଚନରେ ୧୯ ଜଣ ପାରିଷଦ ଯୋଗ ଦେଇଥିଲେ। ଏଥିରେ ୯ ନଂ ୱାର୍ଡର ପାରିଷଦ ଉତ୍ତମ ବାରିକ ଓ ୧୭ନଂ ୱାର୍ଡର ପାରିଷଦ ଭକ୍ତରଂଜନ ପଟ୍ଟନାୟକ ଉପାଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏବଂ ଶେଷରେ ଭକ୍ତରଂଜନ ପଟ୍ଟନାୟକ ୯ ଖଣ୍ଡ ଭୋଟ୍ ପାଇ ପରାଜିତ ହୋଇଥିବାବେଳେ ଉତ୍ତମ ବାରିକ ୧୦ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି।