Home ଖୋର୍ଦ୍ଧା ପୂର୍ବତନ ବିଧାୟକ ଗୋପୀନାଥ ଭୋଇଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ପୂର୍ବତନ ବିଧାୟକ ଗୋପୀନାଥ ଭୋଇଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

64

ବାଲିଅନ୍ତା/ଭୁବନେଶ୍ୱର/କଟକ ସଦର / ଫୁଲନଖରା, ୧୬ା୧ (ଓଡ଼ିଆ ପୁଅ) : ପିପିଲି ଓ ବାଲିପାଟଣାର ପୂର୍ବତନ ବିଧାୟକ ନୀତିନିଷ୍ଠ ସଂଗ୍ରାମୀ ଦଳିତ ରାଜନେତା, ଗାନ୍ଧୀମଣିଷ ୰ ଗୋପୀନାଥ ଭୋଇଙ୍କ ପ୍ରତିମୂର୍ତ୍ତି ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିଅନ୍ତା ବ୍ଲକର ଭିଙ୍ଗାରପୁରଠାରେ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲିଙ୍କ ଦ୍ୱାରା ଆଜି ପୂର୍ବାହ୍ଣରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଭିଙ୍ଗାରପୁର ସରପଞ୍ଚ ଶ୍ରୀମତୀ ଜୟଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ମିଶ୍ର, ଶ୍ରୀମତୀ ଅରୁନ୍ଧତୀ ସାହୁ, ଅମରେନ୍ଦୁ ପଟ୍ଟନାୟକ, ବିଧାୟକଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର, ସରପଞ୍ଚ ମୁରଲୀଧର ସାହୁ, ସୂର୍ଯ୍ୟନାରାୟଣ ଦାସ, ଭାଗ୍ୟଧର ନନ୍ଦୀ, ଶ୍ରୀମତୀ ପ୍ରାଜ୍ଞପରମିତା ଜେନାମଣି, ସମିତିସଭ୍ୟ ତ୍ରୈଲୋକ୍ୟ ମଙ୍ଗରାଜ, ସନତ୍ କୁମାର ସ୍ୱାଇଁ, ଲକ୍ଷ୍ମୀପ୍ରିୟା ବାରିକ, ଗୋପୀନାଥ ଭୋଇ ସ୍ମୃତି ସଂସଦର ଆବାହକ ସଂକୀର୍ତ୍ତନ ସେବକ ଲକ୍ଷ୍ମୀଧର ବେହେରା, ବେଦବିଦ୍ୱାନ ସୁରେନ୍ଦ୍ରନାଥ ଛୋଟରାୟ, ଆଲୋକ କର, ପ୍ରମୁଖ ସ୍ୱର୍ଗତ ଗୋପୀନାଥ ଭୋଇଙ୍କ ତ୍ୟାଗପୂତ ନିର୍ଭୀକ ଜୀବନଶୈଳୀ ଉପରେ ଆଲୋକପାତ କରିଥିଲେ। ୧୯୫୭, ୧୯୬୨, ୧୯୭୪ ଓ ୧୯୭୭ ମସିହାରେ ୪ଥର ବିଧାୟକ ନିର୍ବାଚିତ ହୋଇଥିବା ୰ ଭୋଇଙ୍କ ଜୀବନ ଶୈଳୀ ଅତ୍ୟନ୍ତ ସରଳ ଓ ନିରାଡ଼ମ୍ବର ଥିଲା। ନିଜ ଜୀବନକାଳରେ ନିଜର ଚାଳଛପର ଘର ଖଣ୍ଡକ ମଧ୍ୟ ପରିବର୍ତ୍ତନ ହୋଇନଥିଲା। ସାଇକେଲରେ ସେ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଲୋକଙ୍କ ଦୁଃଖ ସୁଖରେ ସାମିଲ୍ ହେଉଥିଲେ ଯାହାକି ବର୍ତ୍ତମାନର ଯୁବପିଢୀ ପାଇଁ ଆଶ୍ଚର୍ଯ୍ୟଜନକ ବୋଲି ବକ୍ତାମାନେ ମତ ଦେଇଥିଲେ। ଏହି ଅବସରରେ ବିଧାୟକ ଡଃ ଢାଲି ନିଜ ବକ୍ତବ୍ୟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର କଳା, ସାହିତ୍ୟ, ସଂସ୍କୃତିର ବିକାଶ ସହିତ ପୂଜ୍ୟପୂଜା ପରମ୍ପରାକୁ ଅତୁଟ ରଖିବାକୁ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ସେଥିପାଇଁ ଆମ ରାଜ୍ୟର ବରପୁତ୍ର ମାନଙ୍କର ସ୍ମୃତିରକ୍ଷା ହୋଇ ପୂଜ୍ୟପୂଜା କାର୍ଯ୍ୟକ୍ରମ ଆଗାମୀ ଦିନରେ ତୃଣମୂଳ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ପରିବ୍ୟାପ୍ତ ହେବ। ଜୟଦେବ ନିର୍ବାଚନ ମଣ୍ଡଳୀର ସନ୍ତାନ ୰ ସ୍ୱାମୀ ବିଚିତ୍ରାନନ୍ଦ ଦାସ, ଭୂବନାନନ୍ଦ ଦାସ, ଲୋକସଭାର ପ୍ରାକ୍ତନ ବାଚସ୍ପତି ରବି ରାୟ, କାଳନ୍ଦି ଚରଣ ପାଣିଗ୍ରାହୀ, ଭଗବତୀ ଚରଣ ପାଣିଗ୍ରାହୀ, ଅନନ୍ତ ପଟ୍ଟନାୟକ, ଭୁବନେଶ୍ୱରର ପ୍ରଥମ ବିଧାୟକ ପୂର୍ବତନ ମନ୍ତ୍ରୀ ଓ ବାଚସ୍ପତି ସତ୍ୟପ୍ରିୟ ମହାନ୍ତି, ପୂର୍ବତନ ବିଧାୟକ ରାମକୃଷ୍ଣ ପତିଙ୍କର ସ୍ମୃତି ରକ୍ଷା ସହ ସେମାନଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ରାଜଧାନୀ ଭୁବନେଶ୍ୱରରେ ପ୍ରତିଷ୍ଠା ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଏହି ଅବସରରେ କଳା, ସାହିତ୍ୟ, ସଂସ୍କୃତି, ଲୋକନୃତ୍ୟ, ସଂଗୀତ କ୍ଷେତ୍ରରେ ପ୍ରତିଷ୍ଠିତ ସାମ୍ବାଦିକ ପ୍ରତାପ ପାତ୍ର, ଗାୟକ ସୁରେନ୍ଦ୍ରନାଥ ଛୋଟରାୟ, ସଂଗୀତଜ୍ଞ ବଶିଷ୍ଟ ନାୟକ, ଲଉଡ଼ି କଳାକାର ବଂଶୀଧର ବେହେରା ଓ ବିଭିନ୍ନ ପ୍ରତିଭାମାନଙ୍କୁ ଡଃ ଢାଲି ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ୰ ଭୋଇଙ୍କ ପୁତ୍ର-ରବି ନାରାୟଣ, କନ୍ୟା-ରମା, ବିଷ୍ଣୁପ୍ରିୟା ଓ ଅନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଯୁବନେତା ମାନସ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.