Home ଜିଲ୍ଲା ପରିକ୍ରମା ପୁରୁଣାବଜାର ମୁଖ୍ୟ ରାସ୍ତାରେ ଗୁରୁତର ଟ୍ରାଫିକ୍ ସମସ୍ୟା

ପୁରୁଣାବଜାର ମୁଖ୍ୟ ରାସ୍ତାରେ ଗୁରୁତର ଟ୍ରାଫିକ୍ ସମସ୍ୟା

36

ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକା ଅଧୀନସ୍ଥ ପୁରୁଣାବଜାର ଅଂଚଳ ସଦର ମହକୁମାର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ । ମାତ୍ର ଏହି ଅଂଚଳରେ ଦୀର୍ଘ ବର୍ଷ ଧରି ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଆସୁଥିବାବେଳେ ଏଥିପ୍ରତି ସଂପୂର୍ଣ୍ଣ ଉଦାସୀନ ରହିଛନ୍ତି ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନ । ଏହାକୁ ନେଇ ଉଦ୍‌ବେଗ୍ ପ୍ରକାଶ କରିଛନ୍ତି ସଂପୃକ୍ତ ଅଂଚଳର ଜଣେ ପ୍ରାକ୍ତନ କାଉନସିଲର ଆଶ୍ରଫ ଅଲ୍ଲୀ ଖାନ୍ । ଶ୍ରୀ ଖାନ୍‌ଙ୍କ ଅଭିଯୋଗ ଅନୁଯାୟୀ ସ୍ଥାନୀୟ ନିର୍ବାଚିତ ଲୋକ ପ୍ରତିନିଧିମାନେ ପୁରୁଣାବଜାର ଅଂଚଳ ପ୍ରତି ଦୀର୍ଘକାଳରୁ ବୈମାତୃକ ମନୋଭାବ ପୋଷଣ କରି ଆସୁଛନ୍ତି । ନିର୍ବାଚନ ସମୟରେ ଏହି ଅଂଚଳର ଉନ୍ନତି ପାଇଁ ବହୁ ପ୍ରତିଶ୍ରୁତି ଦିଆଯାଉଛି । ପରେ ଏହା ପାଣିର ଗାର ସଦୃଶ ହୋଇଛି । ବିଶେଷତଃ ରାସ୍ତାର ଜରାଜୀର୍ଣ୍ଣ ଅବସ୍ଥା ଓ ପରିମଳ ବ୍ୟବସ୍ଥାକୁ ନେଇ ଘାଣ୍ଟି ହେଉଛନ୍ତି ପୁରୁଣାବଜାର ଅଂଚଳବାସୀ । ତେଣୁ ଏ ସମସ୍ତ ସମସ୍ୟାର ସମାଧାନ ପୌର ନିର୍ବାଚନ ପୂର୍ବରୁ ହେବାକୁ ସେ ଦାବି କରିଛନ୍ତି ।

ଭଦ୍ରକ କଚେରୀ ବଜାର ଛକ ଠାରୁ ମା’ ଭଦ୍ରକାଳୀ ପୀଠକୁ ଯାଇଛି ୧୩ କିମି ଲମ୍ବର ରାସ୍ତା । ଯାହାକି ପୁରୁଣାବଜାର ଦେଇ ଯାଇଛି । ମାତ୍ର ଏହି ରାସ୍ତାର ବିଭିନ୍ନ ସ୍ଥାନର ଉଭୟ ପାଶ୍ୱର୍କୁ କେତେକ ଜବରଦଖଲକାରୀ ମାଡି ବସିଛନ୍ତି । ଜବରଦଖଲ ହଟାଇବା ଦିଗରେ ପୌର ପ୍ରଶାସନ ନିରବ ରହିଛି । ଫଳରେ ଏଥିରେ ଉତ୍ସାହିତ ହୋଇ ଅଧିକରୁ ଅଧିକ ଜବରଦଖଲ ହେଉଛି । ମା’ ଭଦ୍ରକାଳୀଙ୍କ ପୀଠକୁ ଏହା ମୁଖ୍ୟ ରାସ୍ତା ହୋଇଥିବାବେଳେ ଏହାର ଉନ୍ନତିକରଣ ଦିଗରେ ପ୍ରଶାସନ କୌଣସି ଦୃଷ୍ଟି ଦେଉନାହିଁ । ଫଳରେ ମା’ଙ୍କ ପୀଠକୁ ଶ୍ରଦ୍ଧାଳୁଙ୍କ ଯିବାଆସିବା ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି । ପ୍ରାୟ ୫ ବର୍ଷ ପୂର୍ବେ ଉକ୍ତ ରାସ୍ତାର ପ୍ରଶସ୍ତିକରଣ ପାଇଁ ବହୁ କୋଟି ଟଙ୍କା ଅଟକଳରେ ଶୁଭ ଦେଇଥିଲେ ତତ୍‌କାଳୀନ ନଗର ଉନ୍ନୟନ ମନ୍ତ୍ରୀ । କିନ୍ତୁ କେତେକ ବୈଷୟିକ ତଥା ଆଇନଗତ କାରଣ ପାଇଁ ଏହା ଆଗେଇ ପାରୁନି । ପୁରୁଣାବଜାର ଅଂଚଳରେ ରହିଛି ବହୁ ବଡ ବଡ ବ୍ୟବସାୟିକ ପ୍ରତିଷ୍ଠାନ । ସଂକୀର୍ଣ୍ଣ ରାସ୍ତା ଓ ମାଲ୍ ପରିବହନ ନିୟମିତ ହେଉଥିବା ଯୋଗୁଁ ଏ ସମସ୍ତ ସ୍ଥାନରେ ଉତ୍କଟ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଚାଲିଛି । ଅନୁରୂପ ଦୁର୍ବଳ ଡ୍ରେନେଜ୍ ବ୍ୟବସ୍ଥା ଯୋଗୁଁ ପରିମଳ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି । ସ୍ଥାନୀୟ ୱାର୍ଡସ୍ତରୀୟ ନେତାମାନେ ଯଦି ଏଥିପ୍ରତି ଆଗ୍ରହ ପ୍ରକାଶ କରି ସ୍ଥାନୀୟ ବିଧାୟକଙ୍କ ଉପରେ ଚାପ ପ୍ରୟୋଗ କରନ୍ତେ, ତେବେ ଏହି ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ଶ୍ରୀ ଖାନ୍ ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.