Home Top News ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆଶଙ୍କାକୁ ନେଇ ଆତଙ୍କ

ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆଶଙ୍କାକୁ ନେଇ ଆତଙ୍କ

25

ପୁରୀ ୨୮-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆଶଙ୍କାଙ୍କୁ ନେଇ ଆତଙ୍କ। ତିନି ଦିନ ଧରି ଚାଲିଥିବା କାଉ ଓ କୁକୁଡ଼ା ମଡ଼କକୁ ନେଇ ଏବେ କୁକୁଡା ବେପାରୀମାନେ ବର୍ଡ଼ ଫ୍ଲ୍ୟୁ ବ୍ୟାପୁଥିବା ଆଶଙ୍କା କରିଛନ୍ତି। ପକ୍ଷୀ ଅଭୟାରଣ୍ୟ ଚିଲିକା ନଳବଣ କାଉ ମୃତ୍ୟୁ ସ୍ଥାନଠାରୁ ମାତ୍ର ୧୦ରୁ ୧୨ କିଲୋମିଟର ହୋଇଥିବାରୁ ବନ ବିଭାଗର ନିଦ ହଜିଯାଇଛି।

ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ନୂଆପଡ଼ା ନଟା ଗ୍ରାମରେ କାଉ ଓ କୁକୁଡ଼ା ମଡ଼କ ଦେଖିବାକୁ ମିଳିଥିବା ବେଳେ ପାଖରେ ଥିବା ଚିଲିକା ନଳବଣରେ ବିଦେଶାଗତ ପକ୍ଷୀଙ୍କୁ ବାର୍ଡ ଫ୍ଲ୍ୟୁ ସଂକ୍ରମଣ ହୋଇଥିବା ଆଶଙ୍କା ବନ ବିଭାଗର ଓ ପ୍ରାଣୀ ଚିକିତ୍ସକମାନଙ୍କ ଚିନ୍ତା ବଢାଇଦେଇଛି। ହେଲେ ଏ ପର୍ଯ୍ୟନ୍ତ ସେଭଳି କିଛି ବର୍ଡ଼ ଫ୍ଲ୍ୟୁ ରିପୋର୍ଟ ଆସି ନାହିଁ ଓ ଯଦି ଆସେ ତେବେ ୨୦୧୮ ଭଳି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ।

କୃଷ୍ଣପ୍ରସାଦ ଅଞ୍ଚଳରେ ଦୈନିକ ୪୦ରୁ ୫୦ଟି କାଉ ମରୁଥିବା ବେଳେ ୨୦ରୁ ଅଧିକ କୁକୁଡ଼ା ମରୁଛନ୍ତି। ବିଶେଷ କରି ଏହି ବ୍ଳକର ଚିଲିକା ନୂଆପଡ଼ା ନଟା ସାହିରେ କାଉ ମଡ଼କ ଦେଖିବାକୁ ମିଳିଛି। ଦୀର୍ଘ ଚାରି ଦିନ ହେବ ଚିଲିକା ନୂଆପଡ଼ାରେ ୩୦ରୁ ୪୦ଟି କାଉ ମରି ପଡିଥିବା ଦେଖିବାକୁ ମିଳିଛି। ଖବର ପାଇ କାଉ ମରିପଡିଥିବା ସ୍ଥାନରେ ଚିଲିକା ନୂଆପଡା ରେଞ୍ଜର ବନ କର୍ମଚାରୀମାନେ ପହଞ୍ଚି ସାତଟି ମୃତ କାଉକୁ ଜବତ କରିଥିଲେ ଓ ସେଗୁଡ଼ିକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ପଠାଇଥିଲେ।

ମୃତ କାଉଗୁଡ଼ିକ ର ସ୍ୱାବ୍‌ ସଂଗ୍ରହ କରାଯାଉଛି। ସେଗୁଡ଼ିକର ପରୀକ୍ଷା କରାଯିବା ପରେ କାଉ ମଡ଼କର କାରଣ ଜଣାପଡ଼ିବ।ତେବେ ଗତ ୨୦୧୮ ମସିହାରେ ସିଆଳ ପଞ୍ଚାୟତର ସିଆଳ ଗାଁ ପାଖ ଜଙ୍ଗଲରେ ପ୍ରଥମେ ବର୍ଡ଼ ଫ୍ଲୁ ଚିହ୍ନଟ କରାଯାଇଥିଲା। ଏବେ କୃଷ୍ଣପ୍ରସାଦ ବ୍ଳକର ଚିଲିକା ନୂଆପଡା ଗାଁରୁ କାଉ ମଡ଼କ ଖବର ଆସିବା ପରେ ବର୍ଡ଼ ଫ୍ଲୁ ବ୍ୟାପିଥିବା ଲୋକେ ସନ୍ଦେହ କରୁଛନ୍ତି।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ‘‘ଏଯାବତ୍‌ ସେଭଳି କିଛି ବର୍ଡ଼ ଫ୍ଲ୍ୟୁର ରିପୋର୍ଟ ଆସି ନାହିଁ। ଯଦି ଆସେ ତେବେ ୨୦୧୮ ମସିହା ଭଳି ପଦକ୍ଷେପ ନିଆଯିବ।’’ ସେ କହିଛନ୍ତି ଯେ ବର୍ଡ଼ ଫ୍ଲୁ ଆଶଙ୍କାକୁ ନେଇ ପ୍ରାଣୀ ବିଭାଗ ପ୍ରସ୍ତୁତ ରହିଛି ଓ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଉଛି। ଏହାକୁ ନେଇ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.