Home ଜିଲ୍ଲା ପରିକ୍ରମା ପୁଣି ଧସିଲା ନବନିର୍ମିତ ଗେଙ୍ଗୁଟି ନଦୀବନ୍ଧ

ପୁଣି ଧସିଲା ନବନିର୍ମିତ ଗେଙ୍ଗୁଟି ନଦୀବନ୍ଧ

55

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିନିବର୍ଷ ଧରି କାମ ଚାଲିଛି । ତାରି ଭିତରେ ୪ ରୁ ୫ ଥର ଧସିଲାଣି । କାମ ସରିବାର ଅବଧି ବି ସରିଯାଇଛି । ହେଲେ ନିର୍ମାଣ ସରିନି । ଏମିତି ଅବସ୍ଥାରେ ଚାଲିଛି ଧାମନଗର ଜଳସଂପଦ ବିଭାଗ ଅଧୀନରେ ଗେଙ୍ଗୁଟି ନଦୀବନ୍ଧର ପୁନରୁଦ୍ଧାର ଓ ନଦୀକୂଳ ସୁରକ୍ଷା । ସାମୁଦ୍ରିକ ଝଡ ୟାସ୍ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ବୈତରଣୀ ଓ ଏହାର ଶାଖା ନଦୀ ଗେଙ୍ଗୁଟିରେ ବନ୍ୟା ଆସିବାରୁ ଦଳାଙ୍ଗ ପଂଚାୟତର କଣ୍ଟଦାରେ ବନ୍ଧ ପୁଣି ଧସିଯାଇଛି । ଗେଙ୍ଗୁଟି ନଦୀର ବାମପାଶ୍ୱର୍ରେ ରାମେଶ୍ୱରପୁର ମହାନ୍ତିସାହି ପାଖରେ ନଦୀବନ୍ଧରେ ୧୦୦ ଫୁଟ୍ ଲମ୍ବର ଫାଟ ସୃଷ୍ଟି ହେବା ସହ କିଛି ଅଂଶ ନଦୀ ପଟକୁ ଦବିଯାଇଛି । ସେହିପରି ନଦୀ ଆରପଟେ ଗେଙ୍ଗୁଟିର ଡାହାଣପଟ ମଳିକସାହି ପାଖରେ ୧୦୦ ରୁ ୧୫୦ ଫୁଟ୍ ଲମ୍ବରେ ନଦୀବନ୍ଧ ୪ ରୁ ୫ ଫୁଟ୍ ଦବିଯାଇଛି । ଏହାସହ ନୂଆକରି ହୋଇଥିବା ପଥର ସ୍ପର ଖସିଯାଇଛି । ଠିକ୍ ସେମିତି ପଧାନି ପଂଚାୟତର କଣ୍ଟଦା ପାଖରେ ନବନିର୍ମିତ ନଦୀବନ୍ଧ ୫୦ ରୁ ୬୦ ଫୁଟ୍ ଧୋଇଯାଇ ନଦୀରେ ମିଶିଯାଇଛି । ନାବାର୍ଡର ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଟି ଅନୁଦାନରେ ଧାମନଗର ଜଳସଂପଦ ବିଭାଗ ଅଧୀନରେ ୨ଟି ବଡ ପ୍ରକଳ୍ପ ନିର୍ମାଣାଧୀନ ରହିଛି । ସେହି ପ୍ରକଳ୍ପ ମଧ୍ୟରୁ ପ୍ରଥମଟି ୭ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମୁସ୍ତଫାପୁର ପଂଚାୟତ ଗୋବିନ୍ଦାଗଡିଆ ଠାରୁ ଦଳାଙ୍ଗ ପଞ୍ଚାୟତର ରାମେଶ୍ୱରପୁର ଯାଏ ଗେଙ୍ଗୁଟି ବାମପଟ ବନ୍ଧର ସୁଦୃଢୀକରଣ, ଦ୍ୱିତୀୟଟି ୯ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଦୋବଲ ପଞ୍ଚାୟତର ନନ୍ଦିପୁର ଠାରୁ ଦଳାଙ୍ଗ ପଞ୍ଚାୟତର କଣ୍ଟିଦୋଳ ପର୍ଯ୍ୟନ୍ତ ଗେଙ୍ଗୁଟି ଦକ୍ଷିଣପଟ ବନ୍ଧର ସୁଦୃଢୀକରଣ । ୨୦୧୮ ମସିହାରୁ ଏ ଦୁଇଟି ଯାକ ପ୍ରକଳ୍ପ ନିର୍ମାଣ ଚାଳିଛି ।

ବନ୍ଧର ୁପର ଭାଗ ଚଉଡା ସାଙ୍ଗକୁ ନଦୀପଠା ସୁରକ୍ଷା ଲାଗି ସ୍ଥାନେ ସ୍ଥାନେ ପଥର ପିଚିଂ କରାଯାଉଛି । ନିର୍ମାଣ ଶେଷ ଅବଧି ସରିଥିଲେ ବି ଆଜିପର୍ଯ୍ୟନ୍ତ ବନ୍ଧ ତିଆରି କାମ ସରିନାହିଁ । ତେବେ ଜଳସଂପଦ ବିଭାଗର ପ୍ଲାନ୍ ଆଣ୍ଡ ଏଷ୍ଟିମେଟ୍‌କୁ ଆଡେଇ ଦେଇ ଠିକାଦାର ସ୍ଥାନୀୟ ଯନ୍ତ୍ରୀଙ୍କୁ ହାତକରି ମନଇଚ୍ଛା ନିର୍ମାଣ କରୁଥିବାରୁ ଅସରାଏ ବର୍ଷା ହେଲେ ଏହି ଜାଗାରେ ବନ୍ଧ ଭୁଶୁଡି ପଡୁଛି । ୨୦୧୯ ରେ ରାମେଶ୍ୱରପୁର ମହାନ୍ତିସାହି ଓ ମଳିକ ସାହିରେ ବନ୍ଧ ଭୁଶୁଡି ପଡିଥିଲା । ଗତବର୍ଷ ଅଗଷ୍ଟ ମାସରେ ଆସିଥିବା ବନ୍ୟାରେ ମଧ୍ୟରେ ବନ୍ଧ ଭୁଶୁଡିଥିଲା ଏହି ୨ଟି ସ୍ଥାନରେ । ତେବେ ଏ ସଂପର୍କରେ ସମାଜରେ ଗତ ଜାନୁଆରୀ ମାସରେ ରିପୋର୍ଟ ପ୍ରକାଶ ପାଇବା ପରେ ଠିକାଦାର ତତ୍ପରତା ପ୍ରକାଶ କରି ବନ୍ଧ ମରାମତି କରିଥିଲେ । ଏବେ ପୁଣି ୨ ଜାଗା ଓ ନବନିର୍ମିତ କଣ୍ଟଦା ବନ୍ଧ ଭୁଶୁଡି ପଡିଛି । ଏ ସଂପର୍କରେ ଧାମନଗର ଜଳସଂପଦ ଅଧିକାରୀ କିଶୋର ଦାସଙ୍କୁ ପଚାରିବାରୁ ସେ ପୁରୁଣା ଢଙ୍ଗରେ ଉତ୍ତର ଦେଲେ । କହିଲେ, ବନ୍ଧ ନିର୍ମାଣ କାମ ସରିନାହିଁ । ଯେହେତୁ କାମ ଚାଲିଛି, ଠିକାଦାରଙ୍କୁ କୁହାଯିବ ସେ ମରାମତି କରିଦେବେ । ଏଠି ପ୍ରଶ୍ନ ଉଠୁଛି କାମ କରିବା ଦିନରୁ ସାମାନ୍ୟ ବର୍ଷା ହେଲେ ବାରମ୍ବାର ବନ୍ଧ ଧସୁଛି । କୌଣସି ଅଭିଜ୍ଞତା ନଥିବା ଠିକା ସଂସ୍ଥା ହାତକୁ କାମ ଟେକିଦିଆଯାଇଛି । କଣ ପାଇଁ ବିଭାଗୀୟ ଅଧିକାରୀ ଚୁପ୍ ବସିଛନ୍ତି । ଯାହାଫଳରେ କି ନଦୀରେ ସାମାନ୍ୟ ପାଣି ଆସିଲେ ଆତଙ୍କରେ ରହୁଛନ୍ତି ଅଂଚଳବାସୀ । ହେଲେ ଠିକାଦାରଙ୍କ ଉପରେ ବିଭାଗ ଦ୍ୱାରା କୌଣସି ପଦକ୍ଷେପ ନିଆଯାଉନାହିଁ । କାରଣ କ’ଣ । କଣ ପାଇଁ ଏତେ ନରମ ପନ୍ଥା ଆପଣାଉଛି ଧାମନଗର ଜଳସେଚନ ବିଭାଗ । ବିଭିନ୍ନ ମହଲରୁ ଉକ୍ତ ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରାଯିବା ପାଇଁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.