Home ଜିଲ୍ଲା ପରିକ୍ରମା ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ କଲା ପୌର ପ୍ରଶାସନ

ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ କଲା ପୌର ପ୍ରଶାସନ

52

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ହକି ବିଶ୍ୱକପ୍ ଟ୍ରଫି ଆସନ୍ତା ୯ ତାରିଖରେ ଭଦ୍ରକ ଜିଲା ପରିକ୍ରମା କରିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜାରି ରହିଛି। ପ୍ରଶାସନ ପକ୍ଷରୁ ଆଜି ପୁଣି ଜବରଦଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଭଦ୍ରକ ପୌର ପ୍ରଶାସନ ଓ ତହସିଲ କର୍ତ୍ତୃପକ୍ଷଙ୍କ ନେତୃତ୍ୱରେ ଏହି ଜବରଦଖଲ ଉଚ୍ଛେଦ ଅଭିଯାନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରକାଶଯୋଗ୍ୟ ସହରର ଉଭୟପାଶ୍ୱର୍ରେ ବସି ବେପାର କରୁଥିବା ଉଠାଦୋକାନୀ ଓ ଟ୍ରଲି ବ୍ୟବସାୟୀଙ୍କୁ ସହରରୁ ହଟାଇବା ପାଇଁ ପ୍ରଶାସନ ନାକେଦମ୍ ହେଲାଣି। ତଥାପି ଏମାନଙ୍କ କବଳରୁ ସହର ମୁକ୍ତ ହୋଇପାରୁନାହିଁ। ଫଳରେ ସହରବାସୀଙ୍କ ସାଧାରଣ ଯାତାୟତ ପାଇଁ ପ୍ରଶସ୍ତିକରଣ କରାଯାଇଥିବା ରାସ୍ତାଗୁଡିକରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇ ନାନା ଛୋଟବଡ ଦୁର୍ଘଟଣାମାନ ଘଟୁଅଛି। ସଂକୁଚିତ ରାସ୍ତାରେ ସନ୍ଧ୍ୟା ସମୟରେ କିମ୍ବା ବିଭିନ୍ନ ପର୍ବପର୍ବାଣୀମାନଙ୍କରେ ନାହିଁ ନଥିବା ଭିଡ ଜମୁଛି। ଜନଗହଳିର ସୁଯୋଗ ନେଇ ଲୁଟେରାମାନେ ଫାଇଦା ଉଠାଉଛନ୍ତି। ଗତ ନଭେମ୍ବର ମାସରେ ଗୋଟିଏ ଦିନରେ ସହରର ଦୁଇ ତିନିଟି ସ୍ଥାନରେ ଲୁଟେରାମାନେ ମହିଳାଙ୍କ ବେକରୁ ସୁନାଚେନ୍ ଛିନତାଇ କରିଥିଲେ।

ପୌର ପ୍ରଶାସନ ପକ୍ଷରୁ ବେଆଇନ୍ ଭାବେ ରାସ୍ତା ପାଶ୍ୱର୍ରେ ବସିଥିବା ପରିବା, ଫଳ ଓ ଅନ୍ୟାନ୍ୟ ସାମଗ୍ରୀକୁ ନେଇ ବ୍ୟବସାୟ କରୁଥିବା ଉଠାଦୋକାନୀଙ୍କୁ ଉଚ୍ଛେଦ କରିବା ପାଇଁ ବାରମ୍ବାର ଉଦ୍ୟମ କରିଆସୁଛି। ଏପରିକି ପୌର ପ୍ରଶାସନ ପକ୍ଷରୁ ସହରର ସଂପ୍ରସାରିତ ରାସ୍ତାରେ ଧଳା ଗାର ଟଣାଯାଇ ସୀମା ଉଲ୍ଲଂଘନ କରିବାକୁ ଉଠାଦୋକାନୀମାନଙ୍କୁ ମନା କରାଯାଇଥିଲା। ତଥାପି ପୌର ପ୍ରଶାସନର ଏହି କଟକଣା ଫଳପ୍ରଦ ହେଲାନାହିଁ। ଜିଲାପାଳଙ୍କ ନିର୍ଦ୍ଦେଶରେ ଆଜି ପୁଣି ପୌର ପ୍ରଶାସନ ପକ୍ଷରୁ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ପୌର ପ୍ରଶାସନ ତରଫରୁ ମାଇକ୍ ଦ୍ୱାରା ଉଚ୍ଛେଦ ଅଭିଯାନ ସଂପର୍କରେ ସତେଚନତା କାର୍ଯ୍ୟକ୍ରମ ଜାରିରହିଛି। ସହର ଉପକଣ୍ଠ ମହତାବ ପ୍ରତିମୂର୍ତ୍ତି ଠାରୁ ବାଇପାସ୍ ଓ ଅପର୍ତ୍ତିବିନ୍ଧା ଛକଠାରୁ ବନ୍ତଛକ ପର୍ଯ୍ୟନ୍ତ ରାସ୍ତାର ଉଭୟପାଶ୍ୱର୍ରେ ଥିବା ଉଠାଦୋକାନୀଙ୍କୁ ହଟାଇବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। ଆଜି ପୂର୍ବାହ୍ନରେ ମହତାବ ପ୍ରତିମୂର୍ତ୍ତି ଠାରୁ ଅପର୍ତ୍ତିବିନ୍ଧା ଛକ ଓ ଅପରାହ୍ନରେ ବନ୍ତଛକ ଠାରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଏହି ଜବରଦଖଲ ଉଚ୍ଛେଦ କାର୍ଯ୍ୟରେ ସଶସ୍ତ୍ର ପୁଲିସ୍ ବାହିନୀ ସହ ଜେସିବି ମେସିନ୍‌, ଟ୍ରାକ୍ଟର, ଗ୍ୟାଙ୍ଗ କୁଲି ଆଦି ନିୟୋଜିତ ହୋଇଛନ୍ତି। ପୌର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ଭଦ୍ରକ ତହସିଲଦାର ସମରେନ୍ଦ୍ର ଭଟ, ସୁପରଭାଇଜର ରଂଜିତ ଦାସ, ଆରଆଇ ଶରତ ମହାନ୍ତି ପ୍ରମୁଖଙ୍କ ସହ ଇଂଜିନିୟରିଂ ବିଭାଗର କର୍ମକର୍ତ୍ତାମାନେ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.