Home ଜିଲ୍ଲା ପରିକ୍ରମା ପୁଅର ଦାଉ ସହି ନପାରି ଥାନାରେ ବୃଦ୍ଧା

ପୁଅର ଦାଉ ସହି ନପାରି ଥାନାରେ ବୃଦ୍ଧା

42

ବାଲେଶ୍ୱର, ୯ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ସାମ୍ପ୍ରତିକ ବସ୍ତୁବାଦୀ ସମାଜରେ ଆତ୍ମିୟତା ଓ ସମ୍ପର୍କ ଲୋକଙ୍କ ପାଇଁ କେତେ ମାତ୍ରାରେ ନ୍ୟୁନ ହୋଇଯାଉଛି, ତା’ର ଉଦାହରଣ ଆଜି ଦେଖିବାକୁ ମିଳିଛି ବାଲେଶ୍ୱର ସହରର ରାଣୀପାଟଣା ଅଞ୍ଚଳରେ। ଦୁଇ ଦୁଇଟା ପାରିଲା ପୁଅଙ୍କ ଦାଉ ସହି ନପାରି ୭୦ ବର୍ଷର ବିଧବା ମାଆ ଶେଷରେ ଥାନାରେ ଆଶ୍ରୟ ନେବା ଭଳି ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ସହଦେବଖୁଣ୍ଟା ଥାନରେ ହୋଇଥିବା ଲିଖିତ ଅଭିଯୋଗ ଅନୁସାରେ ରାଣୀପାଟଣା ଅଞ୍ଚଳର ସ୍ୱର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ରଣାଙ୍କ ପତ୍ନୀ ସରୋଜିନୀ ରଣା(୭୦) ଦୀର୍ଘଦିନ ଧରି ବଡ଼ପୁଅ ସୁମନ୍ତଠାରୁ ନିର୍ଯାତନା ସହି ଚାଲିଛନ୍ତି। ୨୦୦୧ ମସିହାରେ ସ୍ୱାମୀ ପ୍ରଫୁଲ୍ଲଙ୍କ ମୃତ୍ୟୁ ପରେ ସରୋଜିନୀ ଭାଙ୍ଗିପଡ଼ିବା ସହ କୌଣସି ମତେ ଦୁଇପୁଅ ଓ ଗୋଟିଏ ଝିଅଙ୍କୁ ମଣିଷ କରିବା ପାଇଁ ବହୁ କଷ୍ଟ ଉଠାଇଥିଲେ। ଇତିମଧ୍ୟରେ ସମସ୍ତଙ୍କର ବିବାହ ସରିଥିବା ବେଳେ ବଡ଼ପୁଅ ସୁମନ୍ତ ମଦପିଇ ପ୍ରତିଦିନ ଘରେ ନାନାଦି ଅଘଟଣ ଘଟାଇବା ସହ ବୃଦ୍ଧା ମାଆ ସରୋଜିନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଚାଲିଛି ବୋଲି ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ସ୍ୱାମୀଙ୍କ ଦେହାନ୍ତ ପରେ ଏକମାତ୍ର ଆୟର ପନ୍ଥା ଭାବେ ସରୋଜିନୀ ଘରଭଡ଼ା ଅର୍ଥରେ କୌଣସି ମତେ ଚଳି ଯାଉଥିଲେ। ମାତ୍ର ଗତ କିଛିଦିନ ଧରି ବଡ଼ପୁଅ ସୁମନ୍ତ ଏହି ଅର୍ଥକୁ ଜୋର ଜବରଦସ୍ତ ନେଇଯିବା ସହ ତାଙ୍କୁ ମାଡ଼ ମାରୁଥିବା ସେ କହିଛନ୍ତି। ଏମିତିକି ଏହାର ପ୍ରତିବାଦ କରୁଥିବା ସାନପୁଅ ସୁକାନ୍ତକୁ ବି ଜୀବନରୁ ମାରିଦେବାକୁ ସେ ଚେଷ୍ଟା କରୁଥିବା ମାଆ ସରୋଜିନୀ ପୁଲିସ ଆଗରେ କହିଛନ୍ତି। ତୁରନ୍ତ ଏ ବାବଦରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଥାନାଧିକାରୀଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.