Home ଓଡ଼ିଶା ପିସିସି କୃଷକ ସେଲ ପ୍ରତିନିଧି ମଣ୍ଡଳୀଙ୍କ ମରୁଡ଼ି ଅଂଚଳ ଗସ୍ତ: ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ଜଳସେଚନ ପ୍ରତିଶ୍ରୁତି...

ପିସିସି କୃଷକ ସେଲ ପ୍ରତିନିଧି ମଣ୍ଡଳୀଙ୍କ ମରୁଡ଼ି ଅଂଚଳ ଗସ୍ତ: ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ଜଳସେଚନ ପ୍ରତିଶ୍ରୁତି ମରୁଡ଼ିର ମୁଖ୍ୟ କାରଣ ବୋଲି ଦର୍ଶାଇଲା କିଷାନ କଂଗ୍ରେସ

75

– ତୁରନ୍ତ ମରୁଡ଼ି ଅଂଚଳ ଘୋଷଣା ଓ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଦାବି

ଭୁବନେଶ୍ୱର ୩.୯ (ଓଡ଼ିଆ ପୁଅ) – ରାଜ୍ୟରେ ମରୁଡ଼ି ପରିସ୍ଥିତି ଅତ୍ୟନ୍ତ ସଂଗିନ। ଏହି ପରିପ୍ରେକ୍ଷୀରେ ମରୁଡ଼ିର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାପାଇଁ ପିସିସି କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟ ଅଧ୍ୟକ୍ଷ ତଥା ଏଆଇସିସି ସଦସ୍ୟ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ଅଗଷ୍ଟ ୨୪ ତାରିଖ ରୁ ୩୦ ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶାର ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଳାର ବିଭିନ୍ନ ବ୍ଲକ ଅଂଚଳକୁ ଏକ ପ୍ରତିନିଧି ମଣ୍ଡଳୀ ଗସ୍ତକରି ଫେରିବା ପରେ ଏଭଳି ମରୁଡ଼ି ପରିସ୍ଥିତି ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ଅଭିଯୋଗ କରିଛନ୍ତି। ବିଜେଡ଼ି ସରକାରର ୨୧ ବର୍ଷ କୁଶାସନ, ଦୁରଦୃଷ୍ଟି ଅଭାବ ଓ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଯୋଗୁଁ ଆଜି ଓଡ଼ିଶାରେ ଚାଷ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ଓ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ। ଫଳରେ ରାଜ୍ୟରେ ଲକ୍ଷ ଲକ୍ଷ ଦାଦନ ଶ୍ରମିକ ବୃଦ୍ଧି ହେବାର ମୁଖ୍ୟ କାରଣ ହୋଇଛି। ଜଳସେଚନ କ୍ଷେତ୍ରରେ ରାଜକୋଶରୁ କୋଟି କୋଟି ଟଙ୍କା ଅପବ୍ୟୟ କରାଯାଉଥିବା ବେଳେ ହାତ ପାହାନ୍ତାରେ ଜଳ ଉତ୍ସରୁ ଚାଷୀର କ୍ଷେତକୁ ଜଳସେଚନ ବ୍ୟବସ୍ଥା କରାଯାଇ ନାହିଁ। ଜଳସେଚନ ନାଁରେ ମନ୍ତ୍ରୀ, ଯନ୍ତ୍ରୀ, ଠିକାଦାର ଓ ଶାସକ ଦଳର କର୍ମୀ ମାଲାମାଲ ହେଉଥିବା ବେଳେ ପାଣି ଅଭାବରୁ ଚାଷୀର ଫସଲ ଉଜୁଡ଼ି ଯାଉଛି। ରାଜ୍ୟର ସମସ୍ତ ବ୍ଲକକୁ ୩୫ ପ୍ରତିଶତ ଜଳସେଚନ ଘୋଷଣା ସରକାରଙ୍କର କେବଳ ପ୍ରଚାର ସର୍ବସ୍ୱ ହୋଇଛି। ହଜାର ହଜାର ଉଠା ଜଳସେଚନ ପ୍ରକଳ୍ପ ଅଚଳ। ଅନେକ ସ୍ଥାନରେ ଉଠା ଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ କରାଯାଇ ନାହିଁ। ଚାଷୀ କ୍ଲଷ୍ଟର ଭିତିରେ ଦୀର୍ଘ ଦିନ ଧରି ଉଠା ଜଳସେଚନ ନିଗମରେ ଟଙ୍କା ଜମା କରିଥିଲେ ମଧ୍ୟ ପ୍ରକଳ୍ପଟିର କାର୍ଯ୍ୟକାରୀ କରାଯାଉ ନାହିଁ। କେନାଲରେ ପାଣି ଆସୁନାହିଁ। ବାହାଘର ବେଳେ ବାଇଗଣ ରୁଆ ପରି ପାଣି ଆବଶ୍ୟକ ବେଳେ କେନାଲ କାମ ଆରମ୍ଭ ହେଉଛି। ପାଣି ପଂଚାୟତ ଓ ଜଳସେଚନ ନାଁରେ କୋଟି କୋଟି ଟଙ୍କା ହରିଲୁଟ କରାଯାଉଛି। ଫଳରେ ବର୍ତମାନ ମରୁଡ଼ିର ମୁକାବିଲା କରିବା କ୍ଷେତ୍ରରେ ସରକାର ସଂପୂର୍ଣ୍ଣ ଅସଫଳ ହୋଇଛନ୍ତି। ଯଦ୍ୱାରା ସରକାରଙ୍କ ଜଳସେଚନ ମିଥ୍ୟା ପ୍ରତିଶ୍ରୁତି ଆଜି ମରୁଡ଼ିର ମୁଖ୍ୟ କାରଣ ହୋଇଛି। ଚଳିତ ବର୍ଷ ପାଣିପାଗ ବିଶେଷଜ୍ଞମାନେ ସରକାରଙ୍କୁ ଯଥେଷ୍ଟ ପୂର୍ବରୁ ନିଅଂଟିଆ ବର୍ଷା ହେବାର ସୂଚନା ଦେଇଥିଲେ ମଧ୍ୟ ଚାଷ ଓ ଚାଷୀଙ୍କୁ ହେୟ ମନେକରି ଠିକଣା ସମୟରେ ସରକାର ଏହାକୁ ଗୁରୁତ୍ୱ ଦେଲେ ନାହିଁ। ରାଜ୍ୟର ପ୍ରାୟ ୨୧୫ ଟି ବ୍ଲକରେ ମରୁଡ଼ି ପରିସ୍ଥିତି ଅତି ଗମ୍ଭୀର, ସରକାରଙ୍କର ଏଥିପ୍ରତି ନିଘା ନାହିଁ। ସରକାରଙ୍କୁ ମରୁଡ଼ି ସମୀକ୍ଷା ଓ ଯୋଜନା ଉପରେ ଯୋଜନା କେବଳ ଧର୍ମକୁ ଆଖିଠାର। ଯିଏ ହେଲେ ଅନ୍ନଦାତା ଜନସଂଖ୍ୟାର ୭୦ପ୍ରତିଶତ ଚାଷୀ। ସେମାନଙ୍କ ସ୍ୱରକୁ ବାରମ୍ବାର ସରକାର ବିଭିନ୍ନ ଭେଳିକି ଦେଖାଇ ଚପାଇ ଦେବାରେ ସିଦ୍ଧହସ୍ତ। କିନ୍ତୁ ବର୍ତମାନର ମରୁଡ଼ି ପରିସ୍ଥିତି ରାଜ୍ୟ ବିଜେଡ଼ି ସରକାରର ପ୍ରକୃତ ଚେହେରାକୁ ପଦାକୁ ଆଣିଛି। ସରକାର ନିଜ ଆଡ଼ୁ ମରୁଡ଼ି ମୁକାବିଲା ପାଇଁ ତତ୍ପରତା ପ୍ରକାଶ କରିନଥିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ନିକଟରେ ମୁଖ୍ୟମନ୍ତୀ ଚାଷୀଙ୍କ ବାସ୍ତବ ସ୍ଥିତିକୁ ନଦେଖି ଲୋକ ଦେଖାଣିଆ ଭାବେ ମରୁଡ଼ିର ମୁକାବିଲା ପାଇଁ ଯେଉଁ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି ତାହା କେବଳ ଧର୍ମକୁ ଆଖିଠାର ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପିିସିସି କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଚାଷୀଙ୍କର ଏପରି ଦୁଃସ୍ଥିତି ପାଇଁ ବିଜେଡ଼ି ସରକାରଙ୍କୁ ଦାୟୀ କରିଛନ୍ତି। ଯଦି ଚାଷୀଙ୍କ ପ୍ରତି ସରକାରଙ୍କର ତିଳେମାତ୍ର ଅନୁକମ୍ପା ଥାଏ, ସରକାରଙ୍କ କୃଷି, ତତ୍ସଲଗ୍ନ କୃଷି ବିଭାଗୀୟ ଅଧିକାରୀ ଓ କୃଷିବିଶେଷଜ୍ଞ ମାନଙ୍କୁ ନେଇ ଏକ ସମନ୍ୱୟ କମିଟି ଦ୍ୱାରା ମରୁଡ଼ି ପ୍ରଭାବିତ ବିଭିନ୍ନ ପଂଚାୟତ ସ୍ତରରୁ ସ୍ଥିତି ଅନୁଧ୍ୟାନ କରିବା ସହିତ ସଂପୃକ୍ତ ଅଂଚଳଗୁଡ଼ିକୁ ମରୁଡ଼ି ଅଂଚଳ ଘୋଷଣା, ଚଳିତ ଖରିଫ ଚାଷର ସଂପୂର୍ଣ୍ଣ କୃଷି ଋଣ ଛାଡ଼, ରବି ଚାଷ ପାଇଁ ବିନା ସୁଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ମିଆଦି କୃଷିଋଣ ପ୍ରଦାନ, ପ୍ରଚଳିତ ପ୍ରାକୃତିକ ବିପର୍ଯ୍ୟୟ କୃଷି ଇନ୍ପୁଟ ସବସିଡ୍ର ତିନିଗୁଣା ବୃଦ୍ଧି କରାଯାଇ ଚାଷୀଙ୍କୁ କୃଷିଭିତିକ ଆର୍ଥିକ ସହାୟତା ପ୍ରଦାନ, ଗଜାମରୁଡ଼ି ଏବଂ ରୁଆ ବେଉଷଣ ହୋଇପାରି ନଥିବା ଅଂଚଳର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲବୀମା ସହାୟତାର ସର୍ତାବଳୀ ଅନୁଯାୟୀ ତୁରନ୍ତ ୨୫ ପ୍ରତିଶତ ଆର୍ଥିକ କ୍ଷତିପୂରଣ ପ୍ରଦାନ, ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ, ଆସନ୍ତା ୩୧ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଫସଲବୀମା ଚାଷୀ ପଂଜିିକରଣ ପାଇଁ ସମୟ ବୃଦ୍ଧି, ଗଭୀର ଓ ଅଚଳ ଉଠାଜଳସେଚନ ପଏଂଟ ଗୁଡ଼ିକର ଆଶୁ କାର୍ଯ୍ୟକାରିତା, ତ୍ୱରିତ ବିଦ୍ୟୁତ ସଂଯୋଗ, ସୋଲାର ଲିପ୍ଟ ପଏଂଟ କାର୍ଯ୍ୟକାରୀ, କେନାଲରେ ନିୟମିତ ପାଣିଛାଡ଼ିବା, ମେଗା ଲିପ୍ଟ ପଏଂଟ ଗୁଡ଼ିକର କାର୍ଯ୍ୟକାରୀତା, ଗଡ଼ିଆ, ପୋଖରୀ, ନଦୀ ଓ ନାଳରୁ ପାଇପ ଯୋଗେ ଜଳସେଚନ ବ୍ୟବସ୍ଥା, ଜଳକର ଓ ବିଜୁଳି କର ଛାଡ଼, ରବିଚାଷ ପାଇଁ ମାଗଣାରେ ଉନ୍ନତ ମାନର ତୈଳବୀଜ ଜାତୀୟ ବିହନ, ପନିପରିବା ମିନିକିଡ୍ସ, ସାର, କୀଟନାଶକ ଔଷଧ ଯୋଗାଣ, ମନରେଗାରେ କୃଷି ଭିତିରେ ଅଧିକ ଶ୍ରମଦିବସ ସୃଷ୍ଟି ସହିତ କୃଷି ଭିତି ଭୂମିର ସୁଦୃଢ଼ୀକରଣ, ମରୁନଇ ଅଂଚଳ ସମସ୍ତ ଲୋକଙ୍କୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ମାଗଣାରେ ଚାଉଳ, ଡାଲି ଓ ଅନ୍ୟାନ୍ୟ ରାସନ ସାମଗ୍ରୀ ଯୋଗାଣ, ଗୋପାଳନ, ମତ୍ସ୍ୟ, ଛତୁ ଓ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଚାଷ ପ୍ରତି ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିବାକୁ କିଷାନ କଂଗ୍ରେସ ପକ୍ଷରୁ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି। ଯଦି ରାଜ୍ୟ ସରକାର ଆସନ୍ତା ୧ ସପ୍ତାହ ମଧ୍ୟରେ ଉପରୋକ୍ତ ସମସ୍ୟା ଗୁଡ଼ିକର ଆଶୁସମାଧାନ ନକରିନ୍ତି, ଚାଷୀ ସମାଜର ବୃହତର ସ୍ୱାର୍ଥ ଦୃଷ୍ଟିରୁ ପିସିସି କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକ ସ୍ତରରୁ ସରକାରଙ୍କ ବିରୁଦ୍ଧରେ ଚାଷୀ ଆନ୍ଦୋଳନକୁ ଦୁର୍ବାର କରାଯିବ ବୋଲି ରାଜ୍ୟ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ କିଷାନ କଂଗ୍ରେସର ରଘୁନାଥ ପଲ୍ଲିଆ, ସ୍ୱପ୍ନେଶ୍ୱର ପୃଷ୍ଟି, ନରେନ୍ଦ୍ର କୁମାର ପଣ୍ଡା, ସାନନ୍ଦ ମିଶ୍ର, ଚୈତରାମ ନାୟକ, ଦେବେନ୍ଦ୍ର କୁମାର ସାହୁ, ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ, ଦିଲ୍ଳୀପ ବେହେରା, ଗୌରୀ ଶଙ୍କର ପଣ୍ଡା, କଂଗ୍ରେସ ନେତା ବିନୋଦ ପାତ୍ର, ପ୍ରଶାନ୍ତ ସାହୁ, ରମେଶ ପୁରୋହିତ ପ୍ରମୁଖ ନେତୃବୃନ୍ଦ ଗସ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.