Home ଓଡ଼ିଶା ପିପିଲି ଯାଇ ଫୋନି ବାତ୍ୟାରେ ମୃତକଙ୍କ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ – ଓଡିଶାର ପୁନଃରୁଦ୍ଧାର...

ପିପିଲି ଯାଇ ଫୋନି ବାତ୍ୟାରେ ମୃତକଙ୍କ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ – ଓଡିଶାର ପୁନଃରୁଦ୍ଧାର ପାଇଁ ଅର୍ଥ ବାଧକ ସାଜିବ ନାହିଁ

341

ଫୋନି ବାତ୍ୟା ବିଧ୍ୱସ୍ତ ପିପିଲି ଅଂଚଳରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର/ପିପିଲି, ୦୮ ମଇ (ଓଡ଼ିଆ ପୁଅ) – ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାତ୍ୟା ଫୋନି ପ୍ରଭାବିତ ପିପିଲି ଅଂଚଳ ଗସ୍ତ କରି ବାତ୍ୟା ବିପନ୍ନଙ୍କୁ ଭେଟିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପିପିଲିର ବିଭିନ୍ନ ପଂଚାୟତକୁ ଯାଇ ସାଧାରଣ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ଏହା ସହ ପିପିଲି ବ୍ଲକର ରୂପଦେଇପୁର ପଂଚାୟତରେ ଫୋନି ବାତ୍ୟାରେ ମୃତ୍ୟୁବରଣ କରିଥିବା ହରମୋହନ ଜେନାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏପରି ସମୟରେ ଧୈର୍ଯ୍ୟର ସହ ପରିସ୍ଥିତିକୁ ମୁକାବିଲା କରିବା ପାଇଁ କହିବା ସହ ଏପରି ସମୟରେ ସମସ୍ତେ ଏକାଠି ହୋଇ କାମ କରିବାକୁ ପରାମର୍ଶ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଫୋନିର ତାଣ୍ଡବ ପରେ ସ୍ଥିତିର ମୁକାବିଲା ପାଇଁ ଭାରତ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। ଓଡିଶାର ପୁନଃରୁଦ୍ଧାର ପାଇଁ ଅର୍ଥ ବାଧକ ସାଜିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ପ୍ରଥମେ ୩୪୧ କୋଟି ଓ ଏହାପରେ ୧୦୦୦ କୋଟିର ସହାୟତା ଘୋଷଣା କରିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓଡିଶାର ପୁନଃନିର୍ମାଣ ଉପରେ ନଜର ରଖିଛନ୍ତି। ଆଜି ଏନେଇ ତାଙ୍କ ସହ ଦୀର୍ଘସମୟ ଟେଲିଫୋନରେ କଥା ହୋଇଥିବା କଥା ପ୍ରକାଶ କରିଛନ୍ତି। ସେହିପରି ରେଳ, ପେଟ୍ରୋଲିୟମ, ଏନଏଚ ପରି ମନ୍ତ୍ରଣାଳୟ ତାଙ୍କର କାମକୁ କ୍ଷୀପ୍ର କରିଛନ୍ତି। ଖୁବଶୀଘ୍ର ସ୍ଥିତିରେ ସୁଧାର ଆସିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ରିଲିଫ ଠାରୁ ଆରମ୍ଭ କରି ଆନୁଷଙ୍ଗିକ ସୁବିଧା ଯୋଗାଇବା ପାଇଁ ସେ ରାଜ୍ୟ ମୁଖ୍ୟଶାସନ ସଚିବଙ୍କ ସହ କଥା ହୋଇଥିବା କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଫୋନି ବାତ୍ୟା ପରେ ସବୁଠାରୁ କ୍ଷତିଗସ୍ତ ପୁରୀ ଜିଲ୍ଲାର ବିଭିନ୍ନ ଅଂଚଳକୁ ଯାଇ ଲୋକମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ଏହାର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.