Home ଓଡ଼ିଶା ପିଏସଏଲଭି-ସି ୪୭ ଜରିଆରେ କାର୍ଟୋସାଟ-୩ ସହ ୧୩ଟି ବ୍ୟବସାୟିକ କ୍ଷୁଦ୍ର ଉପଗ୍ରହର ସଫଳ ଉତକ୍ଷେପଣ

ପିଏସଏଲଭି-ସି ୪୭ ଜରିଆରେ କାର୍ଟୋସାଟ-୩ ସହ ୧୩ଟି ବ୍ୟବସାୟିକ କ୍ଷୁଦ୍ର ଉପଗ୍ରହର ସଫଳ ଉତକ୍ଷେପଣ

525

ନୂଆ ଦିଲ୍ଲୀ ୨୭-୧୧ (ଓଡ଼ିଆ ପୁଅ) ଆଜି ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଭାରତର ଧ୍ରୁବୀୟ ଉପଗ୍ରହ ଉତକ୍ଷେପଣ ଯାନ (ପିଏସଏଲଭି-୪୭) ନିଜର ୪୭ତମ ଅଭିଯାନରେ ସଫଳତାପୂର୍ବକ କାର୍ଟୋସାଟ-୩ ଉପଗ୍ରହ ସମେତ ଆମେରିକାର ୧୩ଟି କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ କରିବାରେ ସଫଳ ହୋଇଛି।

ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଂଚ ପ୍ୟାଡରୁ ଆଜି ସକାଳ ୯ଟା ୨୮ ମିନିଟ ସମୟରେ ପିଏସଏଲଭି-ସି୪୭କୁ ଉତକ୍ଷେପଣ କରାଯାଇଥିଲା। ଭୂପୃଷ୍ଠ ଛାଡ଼ିବାର ୧୭ ମିନିଟ ୩୮ ସେକେଣ୍ଡ ପରେ କାର୍ଟୋସାଟ-୩ ସଫଳତା ପୂର୍ବକ ଉତକ୍ଷେପଣ ଯାନ ଠାରୁ ଅଲଗା ହୋଇ ୫୦୯ କିମି ବିଶିଷ୍ଟ ସୂର୍ଯ୍ୟ ସମକାଳୀନ ପୃଥବୀ କକ୍ଷପଥରେ ଅବସ୍ଥାପିତ ହୋଇଥିଲା। ଏହାପରେ ୧୩ଟି କ୍ଷୁଦ୍ର ଉପଗ୍ରହ ଅଲଗା ହୋଇ ସେମାନଙ୍କ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଥିଲେ। ଅଲଗା ହେବା ପରେ କାର୍ଟୋସାଟ-୩ର ସୌର ସରଣୀ ସ୍ୱୟଂକ୍ରିୟ ଭାବେ ନିୟୋଜିତ ହୋଇଥିଲା ଏବଂ ବେଙ୍ଗାଲୁରୁ ଠାରେ ଥିବା ଇସ୍ରୋର ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ ଏହି ଉପଗ୍ରହ ଉପରେ ନିୟନ୍ତ୍ରଣ ହାସଲ କରିଥିଲା। ଆଗାମୀ ଦିନରେ ଏହି ଉପଗ୍ରହକୁ ଏହାର ଅନ୍ତିମ ପରିଚାଳନା ବିନ୍ୟାସ ମଧ୍ୟକୁ ଅଣାଯିବ।

ଇସ୍ରୋ ଅଧ୍ୟକ୍ଷ ଡ. କେ ସିବନ ଏହି ଅବସରରେ କହିଛନ୍ତି ଯେ, କାର୍ଟୋସାଟ-୩ ହେଉଛି ଇସ୍ରୋ ପକ୍ଷରୁ ବିକଶିତ ସବୁଠୁ ଜଟିଳ ଏବଂ ଅତ୍ୟାଧୁନିକ ଭୂ-ଅବଲୋକନ ଉପଗ୍ରହ। ସେ ଆହୁରି କହିଥିଲେ ଯେ ଏହା ହେଉଛି ତୃତୀୟ ପିଢ଼ିର ଅତ୍ୟାଧୁନିକ ଉପଗ୍ରହ ଯାହାର ଉଚ୍ଚ ଗୁଣବତାପୂର୍ଣ୍ଣ ଚିତ୍ରୋତଳନ କ୍ଷମତା ରହିଛି।

କାର୍ଟୋସାଟ-୩ ଉପଗ୍ରହର ଅଭିଯାନ ଅବଧି ୫ବର୍ଷ। ବ୍ୟାପକ ସହରୀ ଯୋଜନା, ଗ୍ରାମୀଣ ସମ୍ବଳ ପରିଚାଳନା, ଭିତିଭୂମି ବିକାଶ, ଉପକୂଳ ଭୂମିର ଉପଯୋଗ ଏବଂ ଭୂମିର ବିସ୍ତାର ଆଦି କ୍ଷେତ୍ରରେ ଏହା ବେଶ ସହାୟକ ହୋଇପାରିବ।

ଏହି ଅଭିଯାନରେ ସାମିଲ ବୈଜ୍ଞାନିକମାନଙ୍କୁ ଇସ୍ରୋ ଅଧ୍ୟକ୍ଷ ଡ. କେ ଶିବନ ପ୍ରଶଂସା କରିବା ସହିତ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସହଯୋଗ ପାଇଁ ସେ ଭାରତୀୟ ଉଦ୍ୟୋଗ ଜଗତକୁ ମଧ୍ୟ ପ୍ରଶଂସା କରିଥିଲେ।

ପିଏସଏଲଭି-ସି ୪୭ ହେଉଛି ‘ଏକ୍ସଏଲ’ ବିନ୍ୟାସ ସହ ପିଏସଏଲଭିର ୨୧ତମ ମହାକାଶ ଯାନ। ଶ୍ରୀହରିକୋଟାରୁ ଏହା ହେଉଛି କାର୍ଟୋସାଟ ସିରିଜର ନବମ ଏବଂ ସର୍ବମୋଟ ୭୪ତମ ଉପଗ୍ରହ ଉତକ୍ଷେପଣ ଅଭିଯାନ।

ଶ୍ରୀହରିକୋଟାସ୍ଥିତ ଦର୍ଶକ ଗ୍ୟାଲେରୀରୁ ପାଖାପାଖି ୫ହଜାର ଦର୍ଶକ ଏହି ଉପଗ୍ରହ ଉତକ୍ଷେପଣକୁ ଦେଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.