Home ଓଡ଼ିଶା ପିଆଇବି ଭୁବନେଶ୍ବର ପକ୍ଷରୁ ପୁରୀ ଠାରେ ଦିନିକିଆ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ

ପିଆଇବି ଭୁବନେଶ୍ବର ପକ୍ଷରୁ ପୁରୀ ଠାରେ ଦିନିକିଆ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ

17

– ବାର୍ତ୍ତାଳାପ କର୍ମଶାଳା ଗଣମାଧ୍ୟମ ଏବଂ ସରକାରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନର ଏକ ମାଧ୍ୟମ : ପିଆଇବି ଡିଜି ଭୂପେନ୍ଦ୍ର କେଁଥୋଲା

ପୁରୀ ୨୩ -୩ (ଓଡ଼ିଆ ପୁଅ) ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ବର ପକ୍ଷରୁ ପୁରୀ ଠାରେ ଏକ ଦିନିକିଆ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପିଆଇବି ପୂର୍ବାଞ୍ଚଳ ମହାନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର କେଁଥୋଲା କହିଥିଲେ ଯେ, ତୃଣମୂଳ ସ୍ତରରେ ଲୋକମାନଙ୍କ ନିକଟରେ ପହଞ୍ଚିବା ଲାଗି ବାର୍ତ୍ତାଳାପ କର୍ମଶାଳା ଗଣମାଧ୍ୟମ ଏବଂ ସରକାରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନର ଏକ ମାଧ୍ୟମ ଭାବେ କାର୍ଯ୍ୟ କରିଥାଏ।

ସମାରୋହକୁ ସମ୍ବୋଧିତ କରି ଶ୍ରୀ କେଁଥୋଲା ଆହୁରି କହିଥିଲେ ଯେ, ମହାମାରୀ କାରଣରୁ ପରିସ୍ଥିତିରେ ଏବେ ବ୍ୟାପକ ପରିବର୍ତ୍ତନ ଆସିଛି। ‘‘ସ୍ମାର୍ଟ ଫୋନ୍ ଜରିଆରେ ଅନଲାଇନ୍ ବା ଡିଜିଟାଲ ମିଡିଆ ଆକାରରେ ସାମ୍ବାଦିକତାର ଏକ ନୂଆ ଧାରା ଏବେ ପ୍ରଚଳନ ହେଉଛି, ପ୍ରତ୍ୟେକ ସାମ୍ବାଦିକ ଏହା ସହିତ ନିଜକୁ ଖାପଖୁଆଇବାର ଆବଶ୍ୟକତା ରହିଛି। ନୂଆ ଗଣମାଧ୍ୟମ କ୍ଷେତ୍ରରେ ସାମ୍ବାଦିକମାନଙ୍କର କୌଶଳ ବିକାଶ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ସେ ଗୁରୁତ୍ବାରୋପ କରିଥିଲେ।

ଏହି କର୍ମଶାଳରେ ପୁରୀର ବରିଷ୍ଠ ସାମ୍ବାଦିକ ଶ୍ରୀ ଜଗନ୍ନାଥ ବସ୍ତିଆ ଅଂଶଗ୍ରହଣ କରି ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ଓ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସାଧାରଣ ଲୋକମାନଙ୍କ ଭଳି ସାମ୍ବାଦିକମାନେ ମଧ୍ୟ ବାତ୍ୟା, ମହାମାରୀ ଦ୍ବାରା ପ୍ରଭାବିତ ହୋଇଥାନ୍ତି। ସେମାନଙ୍କର ସମସ୍ୟା ବୁଝିବା ସହିତ କଲ୍ୟାଣ ଦିଗରେ କାମ କରିବା ଲାଗି ବର୍ତ୍ତମାନ ସମୟ ଆସିଛି ବୋଲି ଶ୍ରୀ ବସ୍ତିଆ ପରାମର୍ଶ ଦେଇଥିଲେ।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର କହିଥିଲେ ଯେ ସାମ୍ବାଦିକତା କେବଳ ଏକ ପେଶା ନୁହେଁ ବରଂ ଏକ କୌଶଳ। ବାର୍ତ୍ତାଳାପ ଭଳି କର୍ମଶାଳା ଆୟୋଜନ କରାଯିବା ଦ୍ବାରା ଗଣମାଧ୍ୟମ ଏବଂ ସରକାରଙ୍କ ମଧ୍ୟରେ ମତ ବିନିମୟ ପାଇଁ ମଞ୍ଚ ଉପଲବ୍ଧ ହୋଇପାରିବ। ଆମ ଭିତରେ ଆଲୋଚନା ଏବଂ ବିଚାର ଆଦାନପ୍ରଦାନ ହେଲେ ସ୍ଥିତିରେ ସୁଧାର ଆସିପାରିବ ବୋଲି ଶ୍ରୀ ମିଶ୍ର କହିଥିଲେ।

ବୈଷୟିକ ଅଧିବେଶନରେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ଶ୍ରୀ ରାଜାରାମ ଶତପଥୀ କହିଥିଲେ ଯେ ଆଧୁନିକ ସମୟର ସାମ୍ବାଦିକତାରେ ଅନେକଗୁଡ଼ିଏ ସମସ୍ୟା ଏବଂ ଆହ୍ବାନ ରହିଛି। କୌଣସି ସଂସ୍ଥା କିମ୍ବା ସଂଗଠନ ପାଇଁ ନୁହେଁ ବରଂ ଲୋକମାନଙ୍କ ପାଇଁ କାମ କରିବାର ଭାବନା ଜଣେ ସାମ୍ବାଦିକର ମନରେ ସୃଷ୍ଟି ହେବା ଉଚିତ୍। ସାମ୍ବାଦିକ ସବୁବେଳେ ଲୋକମାନଙ୍କୁ ସୂଚନା ଦେବା, ସଚେତନତା ସୃଷ୍ଟି କରିବା ଏବଂ ମନୋରଞ୍ଜନ ଯୋଗାଇ ଦେବାର ଭୂମିକା ନିର୍ବାହ କରିବା ଉଚିତ୍ ବୋଲି ସେ କହିଥିଲେ।

ବରିଷ୍ଠ ସାମ୍ବାଦିକ, ଶ୍ରୀ ସନ୍ଦୀପ ସାହୁ, ନୈତିକ ସାମ୍ବାଦିକତା ଏବଂ ସାମାଜିକ ଗଣମାଧ୍ୟମ ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ବ୍ୟବସାୟୀକରଣ, ବ୍ୟକ୍ତିବିଶେଷ, ସଂଗଠନ ଏବଂ ସମସ୍ତଙ୍କ ଠାରୁ ଆଗରେ ରହିବାର ପ୍ରତିଯୋଗିତା କାରଣରୁ ସାମ୍ବାଦିକତା କ୍ଷେତ୍ରରେ ନୈତିକତା ପ୍ରଭାବିତ ହେଉଛି। କୌଣସି ବିଷୟ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପୂର୍ବରୁ ଜଣେ ପ୍ରକୃତ ସାମ୍ବାଦିକ ସବୁବେଳେ ସଠିକ ମାର୍ଗରେ ରହିବା ଉଚିତ୍ ଏବଂ ତଥ୍ୟର ପୂଙ୍ଖାନୁପୁଙ୍ଖ ସମୀକ୍ଷା କରିବା ଆବଶ୍ୟକ ବୋଲି ସେ ଜୋର ଦେଇ କହିଥିଲେ।

ପିଆଇବି ଉପନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ ସ୍ବାଗତ ଭାଷଣ ଦେଇ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥଲେ। ପିଆଇବିର ଗଣମାଧ୍ୟମ ଏବଂ ଯୋଗାଯୋଗ ଅଧକାରୀ ଶ୍ରୀ ପ୍ରଦୀପ କୁମାର ଚୌଧୁରୀ କର୍ମଶାଳାକୁ ପରିଚାଳନା କରିଥିଲେ।

ଏହାପରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସାମ୍ବାଦିକମାନଙ୍କ ସହିତ ଏକ ମତ ବିନିମୟ ଅଧିବେଶନ ଆୟୋଜିତ ହୋଇଥିଲା। ବାର୍ତ୍ତାଳାପ ସମ୍ପର୍କରେ ସେମାନଙ୍କ ଠାରୁ ସବିଶେଷ ମତାମତ ଏବଂ ଆବଶ୍ୟକ ପରାମର୍ଶ ଗ୍ରହଣ କରାଯାଇଥଲା। ଏହି ଗଣମାଧ୍ୟମ କର୍ମଶାଳାରେ ପୁରୀରୁ ପାଖାପାଖି ୮୦ ଜଣ ସାମ୍ବାଦିକ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.