Home ଜିଲ୍ଲା ପରିକ୍ରମା ପାଳଦାବାଙ୍କ ଏନ.ଏଚ. ଉପରେ ବାଇକକୁ ପଛରୁ ପିଟିଲା ବାଇକ, ଜଳିଗଲା ୨ ବାଇକ, ଜଣେ ଗୁରୁତର

ପାଳଦାବାଙ୍କ ଏନ.ଏଚ. ଉପରେ ବାଇକକୁ ପଛରୁ ପିଟିଲା ବାଇକ, ଜଳିଗଲା ୨ ବାଇକ, ଜଣେ ଗୁରୁତର

6

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଚକବନ୍ଦୀ ଅଫିସଛକ ସମ୍ମୁଖରେ ବିପଦସଙ୍କୁଳ ରାସ୍ତା ଅତିକ୍ରମ ଯୋଗୁ ଶନିବାର ବଡଧରଣର ଦୁର୍ଘଟଣା ଘଟିଛି । ସେଠାରେ ରାସ୍ତା ଅତିକ୍ରମ କରିବାକୁ ଉଦ୍ୟମ ରତ ଏକ ବାଇକକୁ ଅନ୍ୟଏକ ଦ୍ରୁତଗାମୀ ବାଇକ ପଛରୁ ପିଟିବା ଫଳରେ ୨ଟି ଯାକ ବାଇକ ରାସ୍ତା ଉପରେ ଜଳିପୋଡି ପାଉଁଶ ହୋଇଯାଇଛି । ଦିନ ପ୍ରାୟ ୧୨.୩୦ମି. ବେଳେ ଦୁର୍ଘଟଣା ସ୍ଥାନର ଅନତି ଦୂରରେ ଥିବା ପେଟ୍ରୋଲ ପମ୍ପରୁ ଏକ ସିଡି ଡିଲକ୍ସ ବାଇକ ପୋଟ୍ରୋଲ ଭରି ଭଣ୍ଡାରିପୋଖରୀ ଆଡକୁ ଆସୁଥିଲା । ଆଗକୁ ଅଣ୍ଡରପାସ ରାସ୍ତା ନଥିବାରୁ ଭଣ୍ଡାରିପୋଖରୀକୁ ଯିବାକୁ ହେଲେ ବାଧ୍ୟତାମୂଳକ ଭାବେ ରାଜପଥ ଉପରେ ରାସ୍ତା ଅତିକ୍ରମ କରିବାକୁ ପଡୁଥିବାରୁ ସଂପୃକ୍ତ ବାଇକ ଟି ଗତିକୁ ଧିର କରିଥିବା ବେଳେ ଭଦ୍ରକ ଆଡୁ ଦ୍ରୁତ ବେଗରେ ଆସୁଥିବା ଓଡି ୦୧ ଏ ଏଚ ୦୦୦୧ ନଂ ବିଶିଷ୍ଟ ବି.ଏମ.ଡବ୍ଲୁ. ରାଇଡର ବାଇକ ପଛରୁ ଧକ୍କା ଦେଇଥିଲା । ଫଳରେ ୨ଟି ଯାକ ବାଇକ ହୁତ ହୁତ ହୋଇ ଜଳିଥିଲା । ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ପହଞ୍ôଚ ଅଗ୍ନିକୁ ଆୟତ୍ତ କରିବା ବେଳକୁ ୨ଟି ଯାକ ବାଇକ ସମ୍ପୁର୍ଣ୍ଣ ଜଳିଯାଇ ସାରିଥିଲା ।

ତେଣୁ ସିଡି ଡିଲକ୍ସ ବାଇକର ନମ୍ବର ଜଣାପଡିନାହିଁ । ସିଡି ଡିଲକ୍ସ ବାଇକର ଚାଳକ ଓ ଅନ୍ୟଜଣେ ଆରୋହୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ହେଲେ ରାଇଡର ବାଇକ ଆରୋହୀ ବାଲେଶ୍ୱର ନୂଆବଜାର ଅଂଚଳର ସମୀର କୁମାର ରାୟ(୪୦) ନିଆଁରେ ପୋଡି ହୋଇ ଗୁରୁତର ହୋଇଥିଲେ । ତାଙ୍କୁ ପୁଲିସ ଓ ଦମଳକକେନ୍ଦ୍ର କର୍ମଚାରୀ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ପଠାଇ ଦିଆଯାଇଛି । ତାଙ୍କ ଶରୀରର ୬୪% ପୋଡିଯାଇଛି ବୋଳି ସ୍ୱାସ୍ଥ୍ୟ ଡାକ୍ତର ସୂଚନା ଦେଇଛନ୍ତି । ସିଡି ଡିଲକ୍ସ ବାଇକରେ ପେଟ୍ରୋଲ ଭରା ଜାର ରହିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି । ଏଥିନେଇ ସ୍ପଷ୍ଟ ସୂଚନା ମିଳିନାହିଁ ବୋଲି ଦମକଳ କେନ୍ଦ୍ର ଅଧିକାରୀ ସୌରଭ କୁମାର ରାୟ ପ୍ରକାଶ କରିଛନ୍ତି । ତେବେ ଦୁଇ ବାଇକ ଧକ୍କାରୁ ସ୍ପୁରିତ ଅଗ୍ନି ପେଟ୍ରୋଲ ସହ ସଂଯୋଗ ହୋଇ ଅଗ୍ନିକାଣ୍ଡ ହୋଇଥାଇ ପାରେ ବୋଲି ସେ ମତ ରଖିଛନ୍ତି । ପୁଲିସ ୨ଟି ଯାକ ପୋଡା ବାଇକ ଜବତ କରି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.