Home ଜିଲ୍ଲା ପରିକ୍ରମା ପାରିକୁଳ ହତ୍ୟାକାଣ୍ଡ ଅଭିଯୁକ୍ତକୁ ଧରିବାରେ ପୁଲିସର ନିଷ୍କ୍ରିୟତା: ଆଇଜିଙ୍କଠାରେ ବୁଆଁଳବାସୀଙ୍କ ଫେରାଦ

ପାରିକୁଳ ହତ୍ୟାକାଣ୍ଡ ଅଭିଯୁକ୍ତକୁ ଧରିବାରେ ପୁଲିସର ନିଷ୍କ୍ରିୟତା: ଆଇଜିଙ୍କଠାରେ ବୁଆଁଳବାସୀଙ୍କ ଫେରାଦ

39

ବାଲେଶ୍ୱର, ୨୩ା୮(ଓଡ଼ିଆ ପୁଅ/ଅଭୟ ଦାସ): ପାରିକୁଳ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡକୁ ଗିରଫ କରିବାରେ ପୁଲିସର ନିଷ୍କ୍ରିୟତାକୁ ନେଇ ଶୁକ୍ରବାରଦିନ ପୂର୍ବାଞ୍ଚଳ ପୁଲିସ ଆଇଜିଙ୍କଠାରେ ଫେରାଦ ହୋଇଛନ୍ତି ବୁଆଁଳ ଗ୍ରାମବାସୀ। ଏହି ହତ୍ୟାକାଣ୍ଡର ଅପରାଧୀମାନଙ୍କୁ ତୁରନ୍ତ ଗିରଫ ପାଇଁ ସେମାନେ ଦାବି କରିଥିଲେ। ଚାପରେ ପଡ଼ି ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ବୁଆଁଳ ଅଞ୍ଚଳର ପରମେଶ୍ୱର ପଣ୍ଡାଙ୍କ ପୁତ୍ର ବସନ୍ତ ପଣ୍ଡା ଓରଫ୍ ‘କୁନୁ’କୁ ସଦର ପୁଲିସ ଗିରଫ କରୁନଥିବା ଗ୍ରାମବାସୀମାନେ ଆରୋପ ଉଠାଇଛନ୍ତି। ଏହି ହତ୍ୟାକାଣ୍ଡକୁ ନେଇ ଥାନାରେ ୨୧୫/୨୦୨୦ ନଂର ମାମଲା ରୁଜୁ ହୋଇଥିଲେ ବି ୨ /୪ ଜଣ ଯୁବକଙ୍କୁ ଗିରଫ କରିଥିଲେ ବି ମୁଖ୍ୟ ଅଭିଯୁକ୍ତ କୁନୁ ପଣ୍ଡା ଓ ତା’ର ଅନ୍ୟ ସହଯୋଗୀଙ୍କୁ ଗିରଫ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଗ୍ରାମବାସୀଙ୍କୁ ଚୁପ୍ କରିବା ପାଇଁ ଗିରଫ ହୋଇଥିବା ଯୁବକଙ୍କ ମିଥ୍ୟା ଜବାନବନ୍ଦି ଆଧାରରେ ଅଭିଯୋଗକାରୀଙ୍କ ପରିବାର ବା ସମ୍ପର୍କୀୟଙ୍କୁ ଏହି ହତ୍ୟାକଣ୍ଡରେ ଜଡ଼ିତ ପାଇଁ ପୁଲିସ ଉଦ୍ୟମ କରୁଥିବା ସେମାନେ କହିଛନ୍ତି। ଏହି ହତ୍ୟାକାଣ୍ଡ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ସହ ତୁରନ୍ତ ମୁଖ୍ୟ ଅଭିଯୁକ୍ତ କୁନୁପଣ୍ଡାକୁ ଗିରଫ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ହାରିବା ପରେ କୁନୁ ପଣ୍ଡା ବାଲି ଓ ମଦ ଚୋରା ବ୍ୟବସାୟ କରି ସେ ଅଞ୍ଚଳର ଯୁବକଙ୍କ ଜରିଆରେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛି। ତେବେ ଗତ କିଛିମାସ ପୂର୍ବରୁ ସେ ସଦର ବ୍ଲକ ବିଜେଡି ସଭାପତି ଭାବେ ମନୋନୀତ ହେବା ପରେ ତା’ର ଦୌରାତ୍ମ୍ୟ କ୍ରମଶଃ ବଢ଼ି ଚାଲିଛି। ଏମିତିକି ତାକୁ ଗିରଫ ନ କରିବା ଓ ତା’ର ନାମକୁ ଚାର୍ଜସିଟ୍ରୁ କାଟିବା ପାଇଁ ବିଜେଡି ନେତାମାନେ ପୁଲିସ ଉପରେ ଚାପ ପକାଉଥିବା ଗ୍ରାମାବାସୀମାନେ କହିଛନ୍ତି। ବିନା ତଦନ୍ତରେ ଏହି ହତ୍ୟାକାଣ୍ଡରୁ ଯଦି କୁନୁ ପଣ୍ଡାକୁ ମୁକ୍ତ କରାଯାଏ, ତାହାଲେ ଆଗାମୀ ଦିନରେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନେ ଏକ ଦାବିପତ୍ର ପୁଲିସ ଆଇଜିଙ୍କୁ ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ମୁରଲୀଧର ମହାପାତ୍ର, ସୁଦର୍ଶନ ମହାଳିକ, ଶ୍ରୀକାନ୍ତ ପାତ୍ର, ଶ୍ରୀଧର ପାତ୍ର, ମୁରଲୀ ସେଠୀ, ମାଣିକ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି ଗତ ୩ ତାରିଖରେ ଛତ୍ରପୁର ଛକରେ ହୋଇଥିବା ସଂଘବଦ୍ଧ ଆକ୍ରମଣରେ ପାରିକୁଳର ତପନ ପାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ପ୍ରିୟବ୍ରତ ମହାପାତ୍ର ଏବେ ଚିକିତ୍ସାଧୀନ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.