Home ଓଡ଼ିଶା ପାରାଦ୍ୱୀପଠାରେ ଖଣିଜ ପଦାର୍ଥ ଅନଲୋଡିଙ୍ଗକୁ ନେଇ କେନ୍ଦୁଝର ଓ ପାରାଦ୍ୱୀପ, କେନ୍ଦ୍ରାପଡା ଜଗତସିଂହପୁର ଟ୍ରକ ମାଲିକମାନଙ୍କ...

ପାରାଦ୍ୱୀପଠାରେ ଖଣିଜ ପଦାର୍ଥ ଅନଲୋଡିଙ୍ଗକୁ ନେଇ କେନ୍ଦୁଝର ଓ ପାରାଦ୍ୱୀପ, କେନ୍ଦ୍ରାପଡା ଜଗତସିଂହପୁର ଟ୍ରକ ମାଲିକମାନଙ୍କ ମଧ୍ୟରେ ବିବାଦର ଅବସାନ :ମନିଟରିଂ କରିବ ସମନ୍ୱୟ କମିଟି

127

କେନ୍ଦୁଝର ୨୬ ମେ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରୁ ବିଭିନ୍ନ ଅଞ୍ଚଳର ଟ୍ରକ ଯୋଗେ ପରିବହନ ହେଉଥିବା ଲୁହା ପଥର ପାରାଦ୍ୱୀପ ଠାରେ ଅନଲୋଡିଙ୍ଗ ସମୟରେ ସୃଷ୍ଟି ଅବ୍ୟବସ୍ଥାକୁ ନେଇ ଲାଗି ରହିଥିବା ବିବାଦ ସୋମବାର ଦିନ ଘଟଗାଁ ଠାରେ ସଂପୃକ୍ତ ଅଞ୍ଝଳର ଟ୍ରକ ମାଲିକ ସଂଘ ମାନଙ୍କ ମଧ୍ୟରେ ଅନୁଷ୍ଠିତ ସମନ୍ୱୟ ବୈଠକରେ ଆଲୋଚନା ପରେ ଏକ ପ୍ରକାର ଅବସାନ ଘଟିଛି। ଫଳରେ ପାରାଦ୍ୱୀପ ଠାରେ ଅନଲୋଡିଙ୍ଗକୁ ନେଇ ରହିଥିବା ଅଚଳାବସ୍ଥା ଦୂର ହୋଇଛି। ଘଟଗାଁ ଠାରେ ଅନୁଷ୍ଠିତ ଏହି ସମନ୍ୱୟ ବୈଠକରେ କେନ୍ଦୁଝର, ସୁନ୍ଦରଗଡ, ପରାଦ୍ୱୀପ, କେନ୍ଦ୍ରାପଡା, ଜଗତସିହଂପୁର, ଆଦି ପ୍ରାୟ ୧୦ ଟି ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ଯୋଗ ଦେଇଥିଲେ। ବୈଠକରେ ନିଆଯାଇଥିବା ନିଷ୍ପତିନୁସାରେ ପ୍ରତ୍ୟେକ ସଂଘର ୪ ଜଣ ସଦସ୍ୟକୁ ନେଇ ଏକ କୋର କମିଟି ଗଠନ କରାଯାଇ ଅନଲୋଡିଙ୍ଗ ସମୟରେ ସେମାନଙ୍କ ନିୟମିତ ତଦାରଖ କରାଯିବ ଏବଂ କୌଣସି ଟ୍ରକ ଓଭରଟେକ କରିପାରିବେ ନାହିଁ ବୋଲି ପ୍ରସ୍ତାବ ଗୃହୀତ ହୋଇଛି। ଏବଂ ରାସ୍ତାରେ ସି.ସି . ଟି.ଭି . ଲଗାଯାଇ ପରିସ୍ଥିତି ଉପରେ ନଜର ରଖାଯିବା ସହ ନିୟମିତ ବ୍ୟବଧାନରେ ସମନ୍ୱୟ କମିଟିର ବୈଠକ ବସି ମନିଟରିଂ କରାଯିବା ନିଷ୍ପତି ହୋଇଛି। କୈଣସି ଟ୍ରକ ମାଲିକ ଏହାର ଉଲଘଂନ କଲେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିଷ୍ପତି ମଧ୍ୟ ନିଆଯାଇଛି। କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ଘଟଗାଁସ୍ଥିତ ହୋଟେଲ ବୃନ୍ଦାବନ ଠାରେ ଆୟୋଜିତ ଏହି ସମନ୍ୱୟ ବୈଠକରେ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ସଭାପତି ରମାକାନ୍ତ ନାୟକ ସଭାପତିତ୍ୱ କରିଥିବା ବେଳେ ଯୋଡା, ବଡବିଲ, ସୁନ୍ଦରଗଡ କୋଇଡା, କେନ୍ଦୁଝର, ପାରାଦ୍ୱୀପ, କେନ୍ଦ୍ରାପଡା, ଜଗତସିହଂପୁର, ଚଣ୍ଡିଖୋଲ, ଯାଜପୁର ଆଦି ଟ୍ରକ ମାଲିକ ସଙ୍ଘର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

ପ୍ରକାଶ ଥାଉ କି କେନ୍ଦୁଝର ଜିଲ୍ଲାରେ ଏସିଆ ମହାଦେଶର ସବୁଠାରୁ ଅଧିକ ଲୁହା ପଥର ଗଛିତ ହୋଇ ରହିଥିବା ବେଳେ ବିଭିନ୍ନ ସ୍ଥାନରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଟ୍ରକ ଏହି ଖଣିଜ ପଦାର୍ଥ ପରିବହନ ରେ ନିୟୋଜିତ ହୋଇଥାନ୍ତି। କେନ୍ଦୁଝର ଟ୍ରକ ମାଲିକମାନଙ୍କ କହିବାନୁସାରେ, ସେହି କ୍ରମରେ ନିୟମ ଅନୁସାରେ କେନ୍ଦୁଝରକୁ ଆସୁଥିବା ଟ୍ରକ ମାନେ ଧାଡିରେ ଆସି ଲୁହା ପଥର ବୋଝେଇ କରି ପାରାଦ୍ୱୀପ କୁ ଖଣିଜ ଦ୍ରବ୍ୟ ପରିବହନ କରିଥାନ୍ତି। ପାରାଦ୍ୱୀପରେ ମଧ୍ୟ ଖଣିଜ ପଦାର୍ଥ ଅନଲୋଡିଙ୍ଗ କରିବା ସମୟରେ ଅନୁରୁପ ଭାବେ ଟ୍ରକ ମାନେ ଲାଇନ ବା ଧାଡିରେ ଧାଡି ଧାଡି ହୋଇ ଯାଇ ଅନଲୋଡିଙ୍ଗ କରିବାର ନିୟମ ରହିଛି। ମାତ୍ର ପାରଦ୍ୱୀପ, କେନ୍ଦ୍ରାପଡା ଓ ଜଗତସିଂପୁର ଅଞ୍ଚଳର ଟ୍ରକ ମାଲିକ ସଂଘର କେତେକ ସଭ୍ୟ ଏହି ନିୟମ ଭାଙ୍ଗି କ୍ୟୁ ବା ଧାଡିରୁ ରୁ ବାହାରି ଅନ୍ୟ ଟ୍ରକକୁ ଓଭରଟେକ୍ କରି ନିଜ ନିଜ ଟ୍ରକର ଖଣିଜ ପଦାର୍ଥ ଅନ୍‌ଲୋଡ କରୁଥିଲେ। ଏବଂ ସେଠାକାର ପୋଲିସ ଓ ଜିଲ୍ଲା ପ୍ରଶାସନ ମଧ୍ୟ ସେମାନଙ୍କୁ ସହେଯାଗ କରୁଥିଲା। କିନ୍ତୁ ଯଦି କେନ୍ଦୁଝର ଜିଲ୍ଲାର କୌଣସି ଟ୍ରକ ଏହା କରେ ତେବେ ତାକୁ ତୁରନ୍ତ ପୋଲିସ ୨ ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ କରିବା ସହ କଳା ତାଲିକା ଭୂକ୍ତ କରି ଦିଆଯାଉଥିଲା ଏବଂ ୧୦ ରୁ ୧୫ ଦିନ ପର୍ଯ୍ୟନ୍ତ ଅନଲୋଡିଙ୍ଗ କରାଇ ଦିଆ ନଯାଇ ଠିଆ କରାଇ ଦିଆଯାଉଥିଲା। ଫଳରେ ସଂପୃକ୍ତ ତିନୋଟି ଅଞ୍ଚଳର ଟ୍ରକ ଗୁଡିକ ମାସକ ମଧ୍ୟରେ ପ୍ରାୟ ୮ ରୁ ୯ ଟ୍ରିପ ମାଲ ପରିବହନ କରିପାରୁଥିବା ବେଳେ, କେନ୍ଦୁଝର ଟ୍ରକ ମାନେ ମାସରେ ସର୍ବାଧିକ ମାତ୍ର ୨ ରୁ ୩ ଟ୍ରିପ ପରିବହନ କରପାରୁଥିଲେ। ଯେଉଁଥି ପାଇଁ ମାଲିକମାନେ ଅନେକ କ୍ଷତି ସହୁଥିଲେ। ବର୍ତ୍ତମାନ ସ୍ଥିତିରେ କରୋନା କଟକଣା ଫଳରେ ଦିନ ଦିନ ଧରି ରାସ୍ତା କଡରେ ଠିଆ ହେଉଥିବା ଟ୍ରକର ଚାଳକ ଓ ହେଲପରମାନେ ଖାଇବାକୁ ନପାଇ ବହୁ ହଇରାଣ ହେଉଛନ୍ତି। ଏହାର ସମାଧାନ ନେଇ କେନ୍ଦୁଝର ଜିଲ୍ଲା ର ସମସ୍ତ ଟ୍ରକ ମାଲକ ସଂଘ ପକ୍ଷରୁ ପାରାଦ୍ୱୀପ ଟ୍ରକ ମାଲିକ ସଂଘ କୁ ଏକାଧିକାରବାର ଅନୁରୋଧ ପରେ ମଧ୍ୟ ଫଳ ଘର ଶୂନ ରହିଥିଲା। ଏପରିକି କେନ୍ଦୁଝର ଓ ଜଗତ୍‌ସିଂହପୁର ଜିଲ୍ଲା ପ୍ରଶାସନ ର ହସ୍ତକ୍ଷପ ପରେ ହୋଇଥିବା ଆଲୋଚନା ମଧ୍ୟ ଫଳପ୍ରଦ ହୋଇନଥିଲ। ଫଳରେ ବିବାଦ ଉଗ୍ର ରୂପ ଧାରଣା କରିଥିଲା। ଏବଂ ପ୍ରତିବାଦ ସ୍ୱରୂପ କେନ୍ଦୁଝର ଜିଲ୍ଲା ର ସମସ୍ତ ଟ୍ରକ ମାଲିକ ସଂଘ ପକ୍ଷରୁ ପାରଦ୍ୱୀପ, ଜଗତସିଂପୁର ଓ କେନ୍ଦ୍ରାପଡା ଅନଚଳରୁ ଲୋଡିଂ ପାଇଁ ଆସୁଥିବା ହଜାର ହଜାର ସଂଖ୍ୟାରେ ଟ୍ରକ କୁ ୨୦ ନମ୍ବର ଜାତୀୟ ରାଜପଥର ରାଙ୍କି ବାଇପାସ ଠାରେ ଅଟକ ରଖିଥିବା ବେଳେ ପାରାଦ୍ୱୀପ ଠାରେ ମଧ୍ୟ କେନ୍ଦୁଝର ଓ ସୁନ୍ଦରଗଡ ଅଞ୍ଚଳର ଟ୍ରକ ଅଟକ ରହିଥିଲା। ଯଦ୍ୱାରା ପାରାଦ୍ୱୀପକୁ ଖଣିଜ ପଦାର୍ଥ ପରିବହନ କ୍ଷେତ୍ରରେ ଏକ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଏବଂ ସାମାନ୍ୟ ବିଳମ୍ବରେ ହେଲେ ବି ଟ୍ରକ ମାଲିକ ସଂଘ ମାନଙ୍କ ମଧ୍ୟରେ ଅନୁଷ୍ଠିତ ସମନ୍ୱୟ ବୈଠକରେ ସହମତି ଭିତିରେ ପ୍ରସ୍ତାବ ଗୃହୀତ ହେବା ପରେ ଜାରି ରହିଥିବା ଅଚଳାବସ୍ଥା ତଥା ବିବାଦର ଅବସାନ ଘଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.