Home ଜିଲ୍ଲା ପରିକ୍ରମା ପାଣି ପାଇପ୍ ଫାଟି ପାଚିଲା ଧାନ ଜମିରେ ପାଣି

ପାଣି ପାଇପ୍ ଫାଟି ପାଚିଲା ଧାନ ଜମିରେ ପାଣି

13

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାଇପ୍ ଫାଟି ପାଚିଲା ଧାନ ବିଲରେ ପାଣି ଜମିଛି । ଧାନ ଅମଳରେ ଚାଷୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଖବର ନେବାରୁ ଜଣା ଯାଇଛି ଯେ, ବାଁଶଡା ମନ୍ତେଇ ନଦୀରୁ ଧାମରା ବନ୍ଦର ପରିସର ପର୍ଯ୍ୟନ୍ତ ପାଣି ପାଇପ୍ ବିଛା ଯାଇଛି । ମନ୍ତେଇ ନଦୀର ପାଣିକୁ ଫିଲ୍ଟରିଙ୍ଗ କରାଯାଇ ଏହି ପାଇପ୍ ମାଧ୍ୟମରେ ପିଇବା ପାଇଁ ବ୍ୟବହାର କରାଯାଉଛି । ଧାମରା ଆଦାନୀ ବନ୍ଦର ନିକଟବର୍ତ୍ତୀ ବନ୍ଧମାଳ ଓ ନରସିଂହ ପ୍ରସାଦ ନାମକ ଦୁଇଟି ମୌଜା ଅଛି । ଏହି ମୌଜାରେ ଥିବା ପ୍ରାୟ ୨୦ ଏକର ଧାନ ଜମିରେ ପାଣି ପଶି ଯାଇଛି । ଶୁକ୍ରବାର ପୂର୍ବାହ୍ନରେ ଧାନ କାଟିବାକୁ ଆସିଥିବା କିଛି ଚାଷୀ ଏହାକୁ ଦେଖିଥିଲେ । ଏହି ଖବର ଚାଷୀଙ୍କ ମଧ୍ୟରେ ଆଲୋଚନା ହେବା ପରେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଗଲା । ପାଚିଲା ଧାନ କିଆରିରେ ପ୍ରାୟ ୨ ଫୁଟ୍ ଉଚ୍ଚରେ ପାଣି ଜମି ରହିଛି । ଖବର ପାଇ ବନ୍ଦର କର୍ତ୍ତୃପକ୍ଷ ଧାନ ଜମି ଦେଖିବାକୁ ଆସିଥିଲେ । ତୁରନ୍ତ ଏହାର ସମାଧାନ କରାଯିବ ବୋଲି ଚାଷୀ ମାନଙ୍କୁ ମୌଖିକ ପ୍ରତିଶୃତି ଦିଆଯାଇଛି । ୨ ବର୍ଷ ପୂର୍ବରୁ ଏହି ସମସ୍ୟାର ସମାଧାନ ପାଇଁ ଚାଷୀଙ୍କ ପକ୍ଷରୁ ବନ୍ଦର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବରେ ଜଣାଇ ଦିଆଯାଇ ଥିଲା । ଏ ପର୍ଯ୍ୟନ୍ତ ଏହାର କୌଣସି ବ୍ୟବସ୍ଥା କରାଯାଇ ନ ଥିବାରୁ ଆଜି ପୁଣି ଧାନ ଜମିରେ ପାଣି ଲହଡି ଭାଙ୍ଗୁଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଚାଷୀ ଗଦାଧର ସେଠୀ, ବାଇଧର ଜେନା, ସୁଧାଂଶୁ ମଣ୍ଡଳ, ରମେଶ ଜେନା, କମଳାକାନ୍ତ ଜେନା, ନନ୍ଦନ ମଣ୍ଡଳ, ଲକ୍ଷ୍ମୀଧର ମଲ୍ଲିକ ପ୍ରମୁଖଙ୍କ ଜମିରୁ ପାଣି ନିଷ୍କାସନ ପାଇଁ ଦାବି ଜଣାଇଛନ୍ତି । କିଛି ଚାଷୀ ଧାନ କଳେଇ କାଟି ଜମିରେ ପକାଇ ଥିଲେ । ଆଜି ତାହା ପାଣି ମାଡିବାରୁ ଭେଦି ଯାଇଛି । ଏହା ଆଉ ଚାଷୀଙ୍କ ହାତକୁ ଆସିବ ନାହିଁ ବୋଲି ଚାଷୀମାନେ କହୁଛନ୍ତି । ଏହି ପାଣି ପାଇଁ ଚାଷୀ ମାନଙ୍କର ଧାନ ଅମଳରେ କ୍ଷତି ହୋଇଛି । ତେଣୁ ସେମାନଙ୍କୁ ଏହାର କ୍ଷତି ପୂରଣ ଦେବାକୁ ଚାଷୀମାନେ ଦାବି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.