Home ଗଞ୍ଜାମ ପରିବେଶର ସୁରକ୍ଷା ଅଭିଯାନ ନେତା-ଅଧିକାରୀ ସର୍ବସ୍ୱ ହେଉଥିବାରୁ ଉଦବେଗ

ପରିବେଶର ସୁରକ୍ଷା ଅଭିଯାନ ନେତା-ଅଧିକାରୀ ସର୍ବସ୍ୱ ହେଉଥିବାରୁ ଉଦବେଗ

192

ବ୍ରହ୍ମପୁର: ୧୧/୦୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଗଞ୍ଜାମ ଜିଲ୍ଲାରେ ପରିବେଶର ସୁରକ୍ଷା ନେଇ ବ୍ରହ୍ମପୁର ଓ ଗୋପାଳପୁର ଠାରେ ବ୍ୟାପକ କାର୍ଯ୍ୟକ୍ରମ ସଂଯୋଜନା କରାଯାଉଛି। ପ୍ରତ୍ୟେକ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମରେ ପଦସ୍ଥ ସରକାରୀ ଅଧିକାରୀ ସାମିଲ ହେଲେ ତାହା ଆନ୍ଦୋଳନ ରୂପ ନେଉଛି। ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଜିଲ୍ଲାବାସୀଙ୍କୁ ସଚେତନ କରି ସକ୍ରୀୟ କରିବାକୁ ଉଦ୍ୟମ ଚଲେଇଛନ୍ତି। ବ୍ରହ୍ମପୁରରେ ” କ୍ଲିନ ସିଟି ” ଅଭିଯାନ ମଧ୍ୟ ପୌର ମହାନଗର ନିଗମ କମିଶନର ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋର ସଂଯୋଜନା କରିଛନ୍ତି। ତେବେ ପରିବେଶ ସୁରକ୍ଷା ଓ ସଚେତନତା ଅଭିଯାନ ଗଞ୍ଜାମ ଜିଲ୍ଲାରେ “ନେତା ଓ ସରକାରୀ ଅଫିସର ସର୍ବସ୍ୱ ” ହୋଇଯାଇଛି। ନେତା, ଅଧିକାରୀଙ୍କ ଗହଣରେ ଫଟୋ, ଭିଡ଼ିଓ ଉଠିବା ପରେ ଓ ସମ୍ବାଦ ବାହାରିବା ପରେ ଅଭିଯାନ ଦୁର୍ବଳ ହେଉଥିବାରୁ ଏପରି ଅଭିଯାନରେ ପ୍ରୋତ୍ସାହନ ଓ ପୁରସ୍କାର ଅପେକ୍ଷାରେ ଅନେକ ସ୍ବେଛାସେବୀ ରହିଥିବା ସୂଚନା ମିଳିଛି। ସେହି ଧାରା ବଦଳାଇବା ପାଇଁ ଅଧିକାରୀମାନେ ଉଦ୍ୟମ ଚଲେଇଛନ୍ତି।

ଗଞ୍ଜାମ ଜିଲ୍ଲା ପ୍ରଶାସନ ବିଭାଗ ଆନୁକୂଲ୍ୟରେ ଆଜି ଗୋପାଳପୁର ଠାରେ ” ମୋ ବେଳାଭୂମି ” ଅଭିଯାନ ଆରମ୍ଭ କରାଯାଇଛି। ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଭିଯାନ କାର୍ଯ୍ୟକ୍ରମରେ ଆଜି ଶତାଧିକ ସ୍ବେଛାସେବୀ ବେଳାଭୂମି ସଫେଇ କରିଥିଲେ। ପର୍ଯ୍ୟଟନ କେନ୍ଦ୍ର ଗୋପାଳପୁର ସହର ଓ ବେଳାଭୂମି ରେ ପରିବେଶର ସୁରକ୍ଷା ପାଇଁ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଛନ୍ତି। ଏହି ଉପଲକ୍ଷେ ଆୟୋଜିତ ଏକ ସମାବେଶରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ଗୋପାଳପୁର ବିଧାୟକ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ଶ୍ରୀ ସୁବାସ ଚନ୍ଦ୍ର ବେହେରା ଙ୍କ ସମେତ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇ ପର୍ଯ୍ୟଟନ କେନ୍ଦ୍ର ଗୋପାଳପୁରର ସାମଗ୍ରୀକ ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିବା ବେଳେ ଜନସାଧରଣ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ କରି ସହଯୋଗ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ। ଗୋପାଳପୁର ବେଳାଭୂମି ସଫେଇ ଅଭିଯାନରେ ଆଜି ଗୋପାଳପୁର କଲେଜର ଶିକ୍ଷାର୍ଥୀ, ବ୍ରହ୍ମପୁର ଓ ଗୋପଲପୁରର ବହୁ ସ୍ବେଛାସେବୀ ଭାଗ ନେଇଥିଲେ। ଜିଲ୍ଲାପାଳ ଓ ଅତିଥିମାନେ ମଧ୍ୟ ସଫେଇ କାର୍ଯ୍ୟ କରି ଲୋକଙ୍କ ଠାରେ ଆଦର୍ଶ ସୃଷ୍ଟି କରିଥିଲେ। ” ମୋ ବେଳାଭୂମି ” ଅଭିଯାନ କାର୍ଯ୍ୟକ୍ରମକୁ ଗୋପାଳପୁର ଏନ ଏ ସି କର୍ତ୍ତୃପକ୍ଷ ସଂଯୋଜନା କରିଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.