Home ଓଡ଼ିଶା ପରିବହନ ବିଭାଗ ଜାଣି ଅଜଣା, ଗଡୁଛି ଶତାଧିକ ଅନଫିଟ୍ ଗାଡି, ବିପଦରେ ଯାତ୍ରୀଙ୍କ ଯାତ୍ରା

ପରିବହନ ବିଭାଗ ଜାଣି ଅଜଣା, ଗଡୁଛି ଶତାଧିକ ଅନଫିଟ୍ ଗାଡି, ବିପଦରେ ଯାତ୍ରୀଙ୍କ ଯାତ୍ରା

76

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଖେଳ ଖେଳୁଛି ପରିବହନ ବିଭାଗ ଓ ପୁଲିସ୍ ପ୍ରଶାସନ। ପରିବହନ ବିଭାଗ ଓ ପୁଲିସ୍ ପ୍ରଶାସନର ଉଦାସୀନତା ହେତୁ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରାକୁ ନେଇ ପ୍ରଶ୍ନ ଉଠିଛି। ଭଦ୍ରକ ଜିଲାର ବିଭିନ୍ନ ରାସ୍ତାରେ ଦୈନିକ ଶହ ଶହ ସଂଖ୍ୟାରେ ଛୋଟ ଛୋଟ ଗାଡି ଯାତ୍ରୀ ପରିବହନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଗାଡି ମାଲିକଙ୍କ ନିକଟରେ ଯାତ୍ରୀ ପରିବହନ ନିମିତ୍ତ ଆବଶ୍ୟକ ପରମିଟ୍ ନାହିଁ। ଏନେଇ ପରିବହନ କିମ୍ବା ପୁଲିସ୍ ପ୍ରଶାସନ ଜାଣି ମଧ୍ୟ କୌଣସି ଅଜଣା କାରଣରୁ ନୀରବତା ଅବଲମ୍ବନ କରୁଥିବା ଅଭିଯୋଗ ହେଉଛି। ଇତିମଧ୍ୟରେ ନୂଆ ମୋଟର ଯାନ ଆଇନ୍ ଲାଗୁ ହେବାକୁ ୨ ବର୍ଷ ପାଖାପାଖି ହୋଇଗଲାଣି। ପ୍ରଥମାବସ୍ଥାରେ ନୂତନ ଆଇନ୍‌କୁ ନେଇ ବେଆଇନ୍ ଭାବେ ଚଳାଚଳ କରୁଥିବା ଗାଡି ମାଲିକଙ୍କ ମଧ୍ୟରେ ଛନକା ପଶିଥିଲା। କରୋନା କଟକଣାରୁ ଏସବୁ ବନ୍ଦ ଥିଲା। ଏବେ ପ୍ରାୟ ସମସ୍ତ କାର୍ଯ୍ୟାଳୟ ମଧ୍ୟ ସ୍ୱାଭାବିକ୍ ହୋଇସାରିଛି। କିନ୍ତୁ ପରିବହନ ବିଭାଗ ପକ୍ଷରୁ ସେପରି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇନଥିବା ଜଣାପଡିଛି। ଏବେ ବି ଜିଲା ସଦର ମହକୁମାରୁ ବିଭିନ୍ନ ରୁଟ୍‌ରେ ବେଆଇନ୍ ଭାବେ ଗାଡି ଚଳାଚଳ ଅବ୍ୟାହତ ରହିଛି। ଭଦ୍ରକ ସଦର ମହକୁମାରୁ ପ୍ରତ୍ୟେହ ବିଭିନ୍ନ ରୁଟ୍‌ରେ ଶତାଧିକ ଛୋଟ ବଡ ଗାଡି ଯାତ୍ରୀ ପରିବହନ କରିଥାନ୍ତି। ବିଶେଷକରି ଭଦ୍ରକରୁ ବନ୍ତ, ଆଗରପଡା, ବରପଦା, ଧାମନଗର, ଚୂଡାକୁଟୀ, ଧୁଷୁରୀ, ଭଣ୍ଡାରିପୋଖରୀ, ମଂଜୁରୀରୋଡ୍‌କୁ ବସ୍ ବ୍ୟତୀତ ଶତାଧିକ ଛୋଟ ଛୋଟ ଗାଡି ଯୋଗେ ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥାନ୍ତି। ସେହିପରି ବାଇପାସ୍ ଛକରୁ ବାସୁଦେବପୁର, ଚାନ୍ଦବାଲି ରୁଟ୍‌ରେ ମଧ୍ୟ ବହୁ ସଂଖ୍ୟକ ଛୋଟ ବଡ ଗାଡି ଯାତ୍ରୀ ପରିବହନ କରିଥାନ୍ତି। ଅନୁରୂପ ଚରମ୍ପାରୁ ବାଲିଖଣ୍ଡ, ରାଣୀତାଲ, ଅଡା, ଖଇରା, ଔପଦା, ଜାମୁଝାଡି ରୁଟ୍‌ରେ ମଧ୍ୟ ଏପରି ଛୋଟ ଗାଡି ଚାଲିଛି। ଏଥିମଧ୍ୟରେ ଟ୍ରେକର, ଟାଟା ଏସିଇ, ଟାଟା ମ୍ୟାଜିକ୍‌, ପିକଅପ୍ ଭ୍ୟାନ୍ ପରି ଛୋଟଛୋଟ ଗାଡି ରହିଛି। ୨୦୨୧ ମସିହାରୁ ଟ୍ରେକର ଚଳାଚଳ ଉପରେ ସରକାର ବ୍ୟାନ୍ ଲଗାଇଥିଲେ। ଏହି ସରକାରୀ ନିୟମକୁ ଖୋଲା ଉଲ୍ଲଂଘନ କରି ଚାଲିଛନ୍ତି କିଛି ଟ୍ରେକର ମାଲିକ। ସୂଚନା ଅନୁଯାୟୀ ବିଭିନ୍ନ ରୁଟ୍‌ରେ ୧୫ ରୁ ୨୫ ଖଣ୍ଡ ଟ୍ରେକର ଯାତ୍ରୀ ପରିବହନ କରୁଛି। ସେମାନେ ନିୟମିତ ଭାବେ ଖୋଲାଖୋଲି ଯାତ୍ରୀଙ୍କୁ ନେବା ଆଣିବା କରୁଛନ୍ତି। ଏହାବ୍ୟତୀତ ଯେଉଁ ସବୁ ଟାଟା ମ୍ୟାଜିକ୍‌, ପିକଅପ୍ ଭ୍ୟାନ୍ ଓ ଟାଟା ଏସିଇ ଯାତ୍ରୀ ପରିବହନ କରୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବେଆଇନ୍ ଭାବେ ଗାଡି ଚଳାଉଛନ୍ତି। ଅଧିକାଂଶ ଗାଡି ମାଲିକଙ୍କ ନିକଟରେ ପରମିଟ ନାହିଁ। କେତେକ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ନଥିବା ବେଳେ ବୀମା ମଧ୍ୟ ନାହିଁ। ତେଣୁ ଅତ୍ୟନ୍ତ ବିପଜ୍ଜନକ ଭାବେ ଏହି ଗାଡିଗୁଡିକ ଯାତ୍ରୀ ପରିବହନ କରୁଛନ୍ତି। ଏନେଇ ଯାତ୍ରୀମାନେ କିଛି ଜାଣିପାରୁନାହାଁନ୍ତି। ବହୁ ଗାଡି ମାଲିକ ଜାଲ୍ କାଗଜପତ୍ରରେ ଗାଡି ଚଳାଉଛନ୍ତି। ପରିବହନ କର୍ତ୍ତୃପକ୍ଷ ଓ ପୁଲିସ୍ ପ୍ରଶାସନରେ ଏପରି ବେଆଇନ୍ ଯାତ୍ରୀ ପରିବହନ ଚାଲିଛି ବୋଲି ଚର୍ଚ୍ଚା ହେଉଛି। ସ୍ଥଳ ବିଶେଷରେ ଯଦି କୌଣସି ଦୁର୍ଘଟଣାରେ ଯାତ୍ରୀଙ୍କ ଜୀବନ ଯାଏ, ସେମାନେ ବୀମା ରାଶି ପାଇବାରୁ ବଂଚିତ ହେଉଛନ୍ତି। ସେହିପରି କେତେକ ବସ୍ ମଧ୍ୟ ସହରରେ ବେଆଇନ୍ ଭାବେ ଚାଲିଛି। ଟୁରିଷ୍ଟ ପରମିଟ୍ ଥାଇ କେତେକ ବସ୍ ବିଭିନ୍ନ ରୁଟ୍‌ରେ ଯାତ୍ରୀ ପରିବହନ କରୁଥିବା ଅଭିଯୋଗ ହେଉଛି। ତେଣୁ ଗାଡି ମାଲିକଙ୍କ ଦାୟିତ୍ୱହୀନତା, ପରିବହନ ବିଭାଗ ଓ ପୁଲିସ୍ ପ୍ରଶାସନର ଉଦାସୀନତା ହେତୁ ଯାତ୍ରୀମାନଙ୍କ ସୁରକ୍ଷିତ ଯାତ୍ରା ଏବେ ଅନିଶ୍ଚିତତା ଘେରକୁ ଚାଲିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.