Home ଓଡ଼ିଶା ପରବିନ୍ଦର ସିଂହଙ୍କୁ ମରଣାନ୍ତକ ଆକ୍ରମଣ ଓ ମାକେର୍ଟ ବିଲଡିଙ୍ଗ ଭଙ୍ଗାରୁଜା ଘଟଣାରେ ବିଜେଡି ଗୁଣ୍ଡାଙ୍କ ସଂପୃକ୍ତି...

ପରବିନ୍ଦର ସିଂହଙ୍କୁ ମରଣାନ୍ତକ ଆକ୍ରମଣ ଓ ମାକେର୍ଟ ବିଲଡିଙ୍ଗ ଭଙ୍ଗାରୁଜା ଘଟଣାରେ ବିଜେଡି ଗୁଣ୍ଡାଙ୍କ ସଂପୃକ୍ତି ପ୍ରସଙ୍ଗ : ଅହିଂସାର ନାରା ଦେଉଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ବିଧାୟକ ହେଉଛନ୍ତି ଅପରାଧୀଙ୍କ ସୁରକ୍ଷାଦାତା : ବିଜେପି

183

ଭୁବନେଶ୍ୱର ୨୧/୦୧ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀ “ଅହିଂସା” ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ବିଧାୟକ, ଯାହାଙ୍କ ବିରୋଧରେ ହତ୍ୟା ଭଳି ସଙ୍ଗିନ ଅଭିଯୋଗ ଥିବା ସତ୍ୱେ ତାଙ୍କୁ ସେ ତାଙ୍କୁ ମେୟରରୁ ଆଣି ବିଧାୟକ ଟିକେଟ ଦେଇ ବିଧାୟକ କଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ଅହିଂସା ଆଚରଣ ଶିଖାଇଛନ୍ତିକି ନାହିଁ। କମିଶନରେଟ ପୋଲିସ ଅଂଚଳରେ ଗୋଟିଏ ସପ୍ତାହ ଭିତରେ ବିଜୁ ଜନତା ଦଳର ଗୁଣ୍ଡାମାନେ ଦୁଇ ଦୁଇଟି ମୋବ ଲିଚିଙ୍ଗ କଲେ। ମୁଖ୍ୟ ଅପରାଧୀଙ୍କୁ ସୁରକ୍ଷା ଦେଲେ ବିଜେଡିର ବିଧାୟକ ଅନନ୍ତ ଜେନା। ମାର୍କେଟ ବିଲଡିଙ୍ଗ ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଅପରାଧିମାନଙ୍କୁ ଏବେ ସୁଧା ପୋଲିସ ଗିରଫ କରିପାରି ନାହିଁ। କାରଣ ସେମାନେ ହେଉଛନ୍ତି ବିଧାୟକ ଅନନ୍ତ ଜେନା ଓ ବିଜେଡିର ବରିଷ୍ଠନେତା ଲିଟୁ ସୁପକାରଙ୍କର ସହିତ ଘନିଷ୍ଠ। ମାର୍କେଟ ବିଲିଡଙ୍ଗରୁ ବଟି ଆଦାୟ କରିବା ଉଦ୍ଦେଶ୍ୟରେ ହୋଇଥିବା ଏହି ଗଣ୍ଡଗୋଳରେ ସିଧାସଳଖ ଭାବେ ବିଜେଡି ଦ୍ୱାରା କରାଯାଇଛି। ସେହି ଘଟଣାରେ ଆତଙ୍କ ଖେଳାଇଥିବା ଅପରାଧୀମାନଙ୍କ ସହ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ବରିଷ୍ଠ ନେତା ଲିଟୁ ସୁପକାରଙ୍କର ଘନିଷ୍ଠତାର ଅନେକ ପ୍ରମାଣ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏହି ଫଟୋଗୁଡିକୁ ସାମ୍ବାଦିକ ସମ୍ମିଳନୀରେ ଦେଖାଇ ବିଜେଡି ଦଳକୁ ସିଧାସଳଖ ଟାର୍ଗେଟ କରିଛନ୍ତି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଶିଖ ବ୍ୟବସାୟୀ ପରବିନ୍ଦର ସିଂଙ୍କୁ ପୋଲିସ ସାମନାରେ ଅନନ୍ତ ନାରାୟଣ ଜେନାଙ୍କର ଗୁଣ୍ଡାମାନେ ମାଡମାରିଲେ। ବିଧାୟକଙ୍କ ଚାପରେ ପୋଲିସ ଦୁର୍ବଳ ଦଫା ଲଗାଇଲା ଯାହାଫଳରେ ସାଙ୍ଗେସାଙ୍ଗେ ବେଲ ମିଳିଲା। ମରଣାନ୍ତକ ଆକ୍ରମଣ ସତ୍ୱେ ବି ୩୦୭ ଦଫା ଲାଗିଲା ନାହିଁ। ପରେ ମଧ୍ୟରାତ୍ରିରେ ବିଧାୟକ ଅନନ୍ତ ଜେନା ଓ ଖୋର୍ଦ୍ଦାର ଡିଏସପି ଅନୁପ କାନୁନଗୋ ପରବିନ୍ଦର ସିଂଙ୍କୁ ଧମକାଇବା ପାଇଁ ତାଙ୍କ ଘରକୁ ଯାଇଥିଲେ। ଜଣେ ବାହାର ପୋଲିସ ଅଫିସର କେଉଁ କ୍ଷମତା ବଳରେ ମଝିରାତିରେ ପରବିନ୍ଦର ସିଂଙ୍କ ଘରକୁ ଯାଇଥିଲେ। ଆଇନ ଅନୁସାରେ ସେ ନିଜ କ୍ଷମତାର ଅପବ୍ୟବହାର କରି ନିଜ ରାଜନୈତିକ ବସଙ୍କୁ ଖୁସି କରିବା ପାଇଁ ଏପରି କରିଥିଲେ। ଇଏ ହେଉଛନ୍ତି ସେହି ଅନୁପ କାନୁନଗୋ ଯିଏ ରିଷି ମହାନ୍ତି ହତ୍ୟାକାଣ୍ଡ ବେଳେ ମେୟର ଥିବା ଅଣନ୍ତ ଜେନାଙ୍କୁ ଖସାଇ ଦେଇଥିଲେ। ସେହିପରି ଗତ ସାଧାରଣ ନିର୍ବାଚନ ସମୟରେ ବିଜେଡି ଗୁଣ୍ଡାମାନେ ବିଜେପି ଅଫିସ ଏବଂ ଗାଡି ଉପରେ ବୋମାମାଡ କରିଥିଲେ। ଏହି ଘଟଣାରେ ମଧ୍ୟ ବିଧାୟକ ଅନନ୍ତ ଜେନାଙ୍କ ହାତ ଥିବା ପରେ ବି ପୋଲିସ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା।

ଯଦି ମୁଖ୍ୟମନ୍ତ୍ରୀ ସତରେ ଅହିଂସାର ସପକ୍ଷବାଦି ତାହେଲେ ତୁରନ୍ତ ବିଧାୟକ ଅନନ୍ତ ଜେନାଙ୍କୁ ଦଳରୁ ବହିଷ୍କାର କରନ୍ତୁ।ବିଜେଡି ପାଇଁ ନିଜର ପଦମର୍ଯ୍ୟାଦା ଭୁଲିଥିବା ଖୋର୍ଦ୍ଦା ଡିଏସପି ଅନୁପ କାନୁନଗୋଙ୍କୁ ନିଲମ୍ବନ କରିବା ସହିତ ସମସ୍ତ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ, ଜିଲ୍ଲା ଉପସଭାପତି ଉପେନ୍ଦ୍ର ଭଞ୍ଜ, ସାଧାରଣ ସଂପାଦକ ସଂଗ୍ରାମ କେଶରୀ ନାୟକ, ଜିଲ୍ଲା ମିଡିଆ ସେଲ ପ୍ରମୁଖ ଅଚ୍ୟୁତାନନ୍ଦ ରଣଜିତ୍ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.