Home ଜିଲ୍ଲା ପରିକ୍ରମା ପଣ୍ଡିତ ଦୈତ୍ୟାରି ମହାପାତ୍ର ପାଇଲେ ସାହିତ୍ୟ ସମ୍ରାଟ ସମ୍ମାନ

ପଣ୍ଡିତ ଦୈତ୍ୟାରି ମହାପାତ୍ର ପାଇଲେ ସାହିତ୍ୟ ସମ୍ରାଟ ସମ୍ମାନ

55

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜୀବନବ୍ୟାପୀ ସାରସ୍ୱତ ସାଧନାରେ ବ୍ରତୀ ହୋଇ ଓଡ଼ିଆ ଭାଷା ସାହିତ୍ୟରେ ସହସ୍ରାଧିକ ପୁସ୍ତକ ରଚନା କରି ଓଡ଼ିଆ ବାଣୀ ଭଣ୍ଡାରକୁ ରୁଦ୍ଦିମନ୍ତ କରିଥିବାରୁ ଆବାଲ୍ୟ ଶିବ ଉପାସକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କୁ ଭଦ୍ରକ ଜିଲା ଲେଖକ ସାମ୍ମୁଖ୍ୟ ଓ ଜଗତ୍ ଜନନୀ ପରିବାର ପକ୍ଷରୁ ଭଦ୍ରକ ଟାଉନ୍‌ହଲ୍ ଠାରେ ବରିଷ୍ଠ ନାଟ୍ୟକାର, ରାଜନେତା, ସମାଜସେବୀ ସୁଧାକର ନନ୍ଦଙ୍କ ଆତ୍ମଜୀବନୀ ‘ସମୟ କଷଟିରେ ମୋ ଜୀବନ’ ପୁସ୍ତକ ଲୋକାର୍ପଣ ଉତ୍ସବରେ ସାହିତ୍ୟ ସମ୍ରାଟ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଅବସରରେ ଜୀବନବ୍ୟାପୀ କଳା ଓ ଚିତ୍ରରେ ଜୀବନ ନିର୍ବାହ କରିଥିବା ଚିତ୍ରଶିଳ୍ପୀ ଚୂଡାମଣି ଦାସଙ୍କୁ କଳାଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିବାବେଳେ ବିଭିନ୍ନ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ୮ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସଭାପତିତ୍ୱରେ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟକୁ ପୁସ୍ତକର ଅବଦାନ ସଂପର୍କରେ ମତ ରଖିଥିଲେ ।

ଏହି ଉଦ୍‌ଘାଟନୀ ଉତ୍ସବରେ ଭଦ୍ରକ ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ମୁଭି ମୋଗଲ ପ୍ରଶାନ୍ତ ନନ୍ଦ, ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ସମ୍ବାଦର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ଶିଶୁ ସାହିତ୍ୟକ ଦାସ ବେନହୁର, ଅଭିନେତା ଅନଙ୍ଗ ଦ୍ୱିବେଦୀ, ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ପ୍ରାଧ୍ୟାପକ ଉପେନ୍ଦ୍ର ପ୍ରସାଦ ନାୟକ, ଅଭିଯାନର ସଂପାଦକ ଶମ୍ଭୁନାଥ ଦାସ, ଶିଶୁ ସାହିତ୍ୟକ ଅଭୟ ସୂତାର, ସାମ୍ବାଦିକ ରବିନାରାୟଣ ଖିଲାର, ନୋଟାରିଆନ ତଥା ଅଧିବକ୍ତା ଅତିଶ ବେହେରା ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ ସାହିତ୍ୟକୁ ଭଦ୍ରକର ଅବଦାନ ସଂପର୍କରେ ନିଜ ନିଜର ମତ ରଖିଥିଲେ । ଅଧ୍ୟାପକ ନିହାର ରଂଜନ କର ଓ କବି ଚର୍ଚ୍ଚିକା ପ୍ରସାଦ ମହାପାତ୍ରଙ୍କ ପରିଚାଳନାରେ ସତ୍ୟପ୍ରକାଶ ସେଠୀ, ରଶ୍ମିତା ଦାସ, ମମତା ସାହୁ, ଜାନକୀ ପାଢୀ ପ୍ରମୁଖ କବିତା ସଂଯୋଜନା କରିଥିଲେ । ଉପସ୍ଥିତ ବରେଣ୍ୟ ଅତିଥିମାନେ ସମ୍ବର୍ଦ୍ଧିତ ଓ ସମ୍ମାନିତ ପ୍ରତିଭା ଭୂୟସୀ ପ୍ରଶଂସା କରିଥିଲେ । ପ୍ରକାଶ ଥାଉକି ସାହିତ୍ୟ ସମ୍ରାଟ ପଣ୍ଡିତ ଦୈତ୍ୟାରି ମହାପାତ୍ର ଏକାଧାରରେ ଜଣେ ସଂସ୍କୃତି ପ୍ରାଣ, ଗବେଷକ, ସଂଗଠକ, ସାରସ୍ୱତ ସାଧକ, ସାମ୍ବାଦିକ, ଶିକ୍ଷାବିତ୍ ତଥା ଜ୍ୟୋତିଷ ବିଶାରଦ । ଓଡ଼ିଆ ଭାଷାର ବିଭିନ୍ନ ଦିଗକୁ ପୁଷ୍କଳ କରିଛି ତାଙ୍କ ରଚିତ ୧୯ ଶହରୁ ଉର୍ଦ୍ଧ୍ୱ ପୁସ୍ତକ । ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ରଙ୍ଗନାଥ ମିଶ୍ରଙ୍କ ଠାରୁ କଳିଙ୍ଗ ରତ୍ନ ସମ୍ମାନ, ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଠାରୁ ପ୍ରଜ୍ଞାପ୍ରାଣ ସମ୍ମାନ ପାଇବା ସହିତ ସେ ଅଦ୍ୟାବଧି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱର, କଟକ, ଭଦ୍ରକ ସମ୍ମାନ ଭଳି ୭୨ ରୁ ଉର୍ଦ୍ଧ୍ୱ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.