ଜଙ୍ଗଲରେ ଜଣେ ସାଧୁ ଥିଲେ। ଜଣେ ଲୋକ ପଚାରିଲା ବାବା ଆପଣଙ୍କ ପାଖରେ ସବୁବେଳେ ପଇସାପତ୍ର ଥାଏ ? ବାବା ଉତ୍ତର ଦେଲେ ନା, ଲୋକଟି କହିଲା ତା’ ହେଲେ ପେଟ ପାଇଁ ଦାନା କିପରି ଯୋଗାଡ଼ କରୁଛ ? ବାବା କହିଲେ ଭିକ୍ଷା କରି ଚଳିଯାଉଛି। ଲୋକଟି ପଚାରିଲା ଭିକ୍ଷା ନମିଳିଲେ ଆପଣ କ’ଣ କରନ୍ତି ? ସାଧୁ ଉତ୍ତର ଦେଲେ ଏମିତି ଚଳିଯାଏ। ଲୋକଟି ପଚାରିଲା ଭୋକ ହେଲେ କ’ଣ କରନ୍ତି ? ସାଧୁ କହିଲେ ଭୋକକୁ ଖାଇଦିଏ। ଲୋକଟି ଆଶ୍ଚର୍ଯ୍ୟ ହୋଇ ପଚାରିଲା ଭୋକକୁ କିପରି ଖାଅ ? ସାଧୁ କହିଲେ ମନକୁ ବୁଝାଇଦିଏ ଯେ ଆଜି ଆଉ ଭୋଜନ କରିବାର ନାହିଁ। ଲୋକଟି ଆଉ କିଛି ନକହି ବାବାଙ୍କ ପାଖରୁ ବିଦାୟ ନେଲା। କିଛି ଦିନ ପରେ ସାଧୁଙ୍କର ଛିଣ୍ଡା କୌପୁନି ଦେଖି ଲୋକଟି ଛୁଞ୍ଚିସୁତା ଆଣି କହିଲା ବାବା କୌପୁନି ଦିଅନ୍ତୁ ମୁଁ ସିଲେଇ କରି ଦେଉଛି। ବାବା ତାଙ୍କୁ କୌପୁନି ନଦେଇ ଛୁଞ୍ଚିସୁତା ନେଇ ନିଜେ ସିଲେଇ କଲେ ଓ ତା’ପର ଦିନ ଲୋକଟିକୁ ଦେଖି ଛୁଞ୍ଚିସୁତା ଫେରାଇଦେଲେ। ଲୋକଟି କହିଲା ବାବା, ପାଖରେ ରଖିଥାନ୍ତୁ ପୁଣି କେତେବେଳେ ଆବଶ୍ୟକ ହୋଇପାରେ। ବାବା କହିଲେ ଏଇ ଆବଶ୍ୟକ ଛାଡିବା ପାଇଁ ତ ଆସି ଜଙ୍ଗଲରେ ରହିଲି, ପୁଣି ଏଠି ବି ସେଇ ଜଞ୍ଜାଳ। ତେଣୁ ଏପରି ଆବଶ୍ୟକ ମୋର ଆବଶ୍ୟକ ନାହିଁ।
ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା