Home ଓଡ଼ିଶା ନୟାଗଡ଼ ଜିଲାପାଳଙ୍କ ନୂଆ କଟକଣା : ସକାଳ ୭ରୁ ଅପରାହ୍ନ ୨ଟା ଦୋକାନ ବଜାର ଖୋଲା,...

ନୟାଗଡ଼ ଜିଲାପାଳଙ୍କ ନୂଆ କଟକଣା : ସକାଳ ୭ରୁ ଅପରାହ୍ନ ୨ଟା ଦୋକାନ ବଜାର ଖୋଲା, ଶନିବାର ଓ ରବିବାର ସଟ୍‌ଡାଉନ

153

ନୟାଗଡ଼, ୨ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ଦିନକୁ ଦିନ କରୋନା ସ୍ଥିତି ଅସମ୍ଭାଳ ଆଡ଼କୁ ଗତି କରୁଛି। ଯାହା ଆଶା କରାଯାଉନଥିଲା ତାହା ଏବେ ନିତି ପ୍ରତିଦିନ ଘଟୁଛି। ବାହ୍ୟ କରୋନା ସଂକ୍ରମଣର ସଂଷ୍ପର୍ଶରେ ଆସି କରୋନା ବ୍ୟାପୁଥିବା ନେଇ ପ୍ରଶାସନ ଚିନ୍ତା ପ୍ରକଟ କରିଛି। ନୟାଗଡ଼ ଜିଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗୁରୁବାର ସୁଦ୍ଧା ୧୬୭ ଥିଲାବେଳେ ସୁସ୍ଥଙ୍କ ସଂଖ୍ୟା ୧୩୫ ରହିଛି। ଓଡ଼ଗାଁ ସୁନାମୁହିଁ ଓ କୁରାଳରୁ ଏକକାଳୀନ ୧୪ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ଗାଁ ଏନଏସି ସମେତ ୫ଟି ପଂଚାୟତ ଓ ୨୦ ଟି ଗାଁକୁ କଂଟେନମେଂଟ ଜୋନ ଓ ବଫର ଜୋନ ଘୋଷଣା କରାଯାଇଛି। ପୁଣି ନୟାଗଡ଼ ସହରରୁ ଜଣେ ଔଷଧ ଦୋକାନୀ ଗତକାଲି କରୋନା ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିବା ଓ ଆଜି ସେହି ଔଷଧ ଦୋକାନୀର ପରିବାରରୁ ଆଉ ୩ଜଣ ଓ ତାଙ୍କ ସଂଷ୍ପର୍ଶରେ ଆସିଥିବା ନୟାଗଡ଼ ପୌରାଚଂଳ ୨ନଂ ୱାର୍ଡ଼ ଡିଆନବନ୍ଧସାହିର ଜଣେ ଏବଂ ଓଡ଼ଗାଁ ବ୍ଳକର ପଂଚିରିଡ଼ା ମାନପୁର ଗ୍ରାମରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାକୁ ନେଇ ନୟାଗଡ଼ରେ କରୋନା ଭୟରେ ଲୋକମାନେ ଭୟଭିତ ହୋଇପଡ଼ିଛନ୍ତି। ମାନପୁରର କରୋନା ଚିହ୍ନଟ ବ୍ୟକ୍ତି ଭାରତୀୟ ନୌସେନାରେ କାର୍ଯ୍ୟ କରୁଥିବାବେଳେ ସେ ଘରକୁ ଫେରି ଗୃହ ସଙ୍ଗରୋଧରେ ରହିଥିଲେ। ଏଭଳି ସ୍ଥିତିକୁ ନେଇ ଜିଲାପାଳ ଡଃ ପୋମା ଟୁଡୁ ଏକ ଜରୁରିକାଳୀନ ସାମ୍ବାଦିକ ସମ୍ମିଳନୀରେ କରୋନା ସଂକ୍ରମଣକୁ ନେଇ ବିହିତ ପ୍ରତିକାର ଉପରେ ସୂଚନା ଦେଇଛନ୍ତି। ନୟାଗଡ଼ ପୌରାଚଂଳର ଯଦୁମଣୀନଗରରେ ଚିହ୍ନଟ ହୋଇଥିବା ୩ଜଣ ଓ ଡିଆନବନ୍ଧରେ ଜଣେ କରୋନା ଚିହ୍ନଟ ହୋଇଥିବାବେଳେ ସେସବୁ ଗଳିକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରିଛନ୍ତି। ଏବଂ ବାହାରକୁ କେହି ଯେପରି ନବାହାରି ପାରିବେ ସେଥିପ୍ରତି କଡ଼ା ନଜର ଦେବାପାଇଁ ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ଆତଙ୍କରେ ଜିଲାରେ ଭୟର ବାତାବରଣ ଖେଳିଯାଇଛି। ଓଡ଼ିଶାରେ ସବୁଠୁ ଅଧିକ କଟକଣା ୧୧ଜିଲା ଭିତରୁ ନୟାଗଡ଼ ଜିଲାକୁ ବାଦ୍ ଦିଆଯାଇଥିବାବେଳେ ଜିଲାପାଳ ନୟାଗଡ଼ ଜିଲାପାଇଁ ସ୍ୱତନ୍ତ୍ର କଟକଣା ଲାଗୁ କରିଛନ୍ତି। ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବାକୁ ନିର୍ଦ୍ଦେଶ ଦେଇଥିଲାବେଳେ ଜୁଲାଇ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସର୍ଟଡାଉନ ଭିତରେ ରଖିଛନ୍ତି। ଯେଉଁମାନେ ନିୟମ ନମାନିବେ ତାଙ୍କ ପାଇଁ କଠୋର ଦଣ୍ଡବିଧାନ ଲାଗୁକରାଯିବ କହିଥିବାବେଳେ ମାସ୍କ ଓ ସାମାଜିକ ଦୂରତ୍ୱ ରଖିବା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣର୍ ବୋଲି କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲାପାଳ ଡ ପୋମା ଟୁଡୁଙ୍କ ସମେତ କୋଭିଡ ନୋଡାଲ ଅଧିକାରୀ ତଥା ଡିଏଫଓ ଧନରାଜ ଏଚଡି, ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲାପାଳ ଲଗ୍ନଜିତ ରାଉତ, ସିଡିଏମ୍‌ଓ ରଞ୍ଜିତା ବିଶ୍ୱାଳ ଓ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ-ପ୍ରମୋଦ କୁମାର ନାୟକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.