Home ଓଡ଼ିଶା  ନୟାଗଡ଼ କରୋନା ମୃତ୍ୟୁ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଖାତାରେ ଚଢିଲା

 ନୟାଗଡ଼ କରୋନା ମୃତ୍ୟୁ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଖାତାରେ ଚଢିଲା

115

ନୟାଗଡ଼, ୨୧ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ସବୁ କଳ୍ପନା ଜଳ୍ପନାର ଅବସାନ ଘଟି ଶେଷରେ ନୟାଗଡ଼ କରୋନା ମୃତ୍ୟୁ ୨୦ ଦିନ ପରେ ସରକାରୀ ଖାତାକୁ ଚଢିଛି। ନୟାଗଡ଼ ମ୍ୟୁନିସିପାଲିଟି ଅଂଚଳରେ ଗତ ୧ ତାରିଖରେ ମୃତ୍ୟୁ ହୋଇଥିବା ଔଷଧ ଦୋକାନୀଙ୍କ କରୋନା ଜନିତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲାବେଳେ ବିଭିନ୍ନ ଗଣମାଧ୍ୟମରେ ଔଷଧ ଦୋକାନୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଗତ ୫ତାରିଖରେ ଏହା କରୋନା ଜନିତ ମୃତ୍ୟୁ ବୋଲି ସ୍ୱାସ୍ଥ୍ୟ ବିଭାଗ ପ୍ରଦତ୍ତ ଏକ ରିପୋର୍ଟକୁ ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଯାହାକି ବିଭିନ୍ନ ଗଣମାଧ୍ୟମରେ କରୋନା ମୃତ୍ୟୁ ବୋଲି ଖବର ପ୍ରକାଶ ପାଇଥିଲା। ହେଲେ ମୃତ୍ୟୁର ୨୦ ଦିନ ବିତିଯାଇଥିଲେ ମଧ୍ୟ ଆଜିଯାଏଁ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ୍‌ରେ କରୋନା ମୃତ୍ୟୁ ତାଲିକାରେ ନୟାଗଡ଼ ଜିଲାରେ କରୋନା ମୃତ୍ୟୁ ବୋଲି ଶୂନ୍ୟ ବୋଲି ପ୍ରଦର୍ଶିତ ହୋଇଥିଲା। ଯାହାକି ସାଧାରଣରେ ଏହାକୁ ନେଇ ନାନା ଦ୍ୱନ୍ଦ୍ୱ ଉପୁଜିଥିଲା। ବିଭିନ୍ନ ଗଣମାଧ୍ୟମରେ ନୟାଗଡ଼ କରୋନା ମୃତ୍ୟୁର ସ୍ପଷ୍ଟତାକୁ ନେଇ ବାରମ୍ବାର ଖବର ପ୍ରକାଇ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ପ୍ରଦତ୍ତ ଏକ ଏକ ରିପୋର୍ଟରେ ଡିଆଇପିଆରଓଙ୍କ ମାଧ୍ୟମରେ ଏହା କରୋନା ମୃତ୍ୟୁ ବୋଲି ଜିଲା ପ୍ରଶାସନ ପକ୍ଷରୁ ଦିଆଯାଇଥିଲବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ବସାଧାରଣରେ କରୋନା ମୃତ୍ୟୁର ସୂଚନା ଅସ୍ପଷ୍ଟ ରହିଥିଲା। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ କରୋନା ମୃତ୍ୟୁ ତାଲିକାରେ ନୟାଗଡ଼ ଜିଲା ନଥିଲା। ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ତାଳମେଳ ରହୁନଥିବାବେଳେ ସାଧାରଣରେ ଏହା ଅଧିକ ଦ୍ୱନ୍ଦ୍ୱ ଉପୁଜୁଥିଲା। ତେବେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗରେ ନୟାଗଡ଼ କରୋନା ମୃତ୍ୟୁ ବୋଲି ଦୀର୍ଘ ୨୦ ଦିନ ପରେ ସୂଚନା ଦିଆଯାଇଥିଲା। ହେଲେ ସୂଚନା ଦିଆଯାଇଥିଲା ସିନା କିନ୍ତୁ ସାଧାରଣରେ ଦ୍ୱନ୍ଦ୍ୱକୁ ଦ୍ୱିଗୁଣ ବଢେଇ ଦେଇଥିଲା। ସରକାରୀ ଘୋଷଣାରେ ନୟାଗଡ଼ ବଦଳରେ ଗଞ୍ଜାମ ଉଲ୍ଲେଖ ଥିଲା। ଯାହାକୁ ନେଇ ନୟାଗଡ଼ରେ ଅଧିକ ଆଲୋଚନା ଧରିଥିଲା। ହେଲେ ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ୍ ରେ ଏହାକୁ ସଂଶୋଧନ କରାଯାଇ ନୟାଗଡ଼ ବୋଲି ସୂଚନା ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଗତ ଜୁନ୍ ମାସ ୨୦ ତାରିଖରେ ଔଷଧ ଦୋକାନୀ ପ୍ରଥମେ ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ତା’ପରଦିନ ଅର୍ଥାତ ୨୨ ତାରିଖରେ ତାଙ୍କର ସ୍ୱାବ୍ ସଂଗ୍ରହ କରାଯାଇଥିଲା। ସ୍ୱାବ୍ ପରୀକ୍ଷାରୁ ତାଙ୍କର କରୋନା ପଜିଟିଭ୍ ଜଣାପଡ଼ିବା ପରେ ତାଙ୍କୁ ଭୁବନେଶ୍ୱର କୋଭିଡ୍ ହସ୍ପିଟାଲକୁ ପଠାଯାଇଥିଲା। ହେଲେ ଗତ ୧ତାରିଖରେ ଯୁବ ଔଷଧ ଦୋକାନୀ କରୋନାରେ ମୃତ ବୋଲି ଜଣାପଡ଼ିଥିଲା। ଯେହେତୁ ସେ କରୋନା ପଜିଟିଭ୍ ସଂକ୍ରମଣରେ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିଲେ ତାଙ୍କର ମୃତ୍ୟୁ ପରେ ଏହା କରୋନା ମୃତ୍ୟୁ ବୋଲି ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଥିଲା। ଯୁବକଙ୍କ ମୃତ୍ୟୁ ଖବର ମଧ୍ୟ ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ତାଙ୍କ ପରିବାରବର୍ଗଙ୍କୁ ଜଣାଇ ଶବଦାହ କରାଯାଇଥିଲା। ନିଜେ ପୌରପରିଷଦ ନିର୍ବାହୀ ଅଧିକାରୀ ମୃତକଙ୍କ ବିଷୟରେ ମୃତକ ପରିବାରବର୍ଗଙ୍କୁ ସୂଚନା ଦେଇଥିଲା। ଏବଂ ତାଙ୍କ ପରିବାରବର୍ଗକୁ ଶବ ହସ୍ତାନ୍ତର କରାନଯାଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଶବଦାହ କାର୍ଯ୍ୟ ସମାପନ କରାଯାଇଥିଲା। ଏପରିକି ବିଭିନ୍ନ ଗଣମାଧ୍ୟମରେ ଏସମ୍ପର୍କିତ ଖବର ହଟଚମଟ ସୃଷ୍ଟି କଲାପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ରିପୋର୍ଟ ଆଧାରରେ ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କରୋନା ମୃତ୍ୟୁ ବୋଲି ଜଣାଇ ଦିଆଯାଇଥିଲା। ହେଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ୍‌ରେ ନୟାଗଡ଼ କରୋନା ମୃତ୍ୟୁ ବୋଲି ସ୍ଥାନିତ କରାଯାଉନଥିଲା। ଏହାକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ବଢି ବଢି ଚାଲିଥିବାବେୋଳ ଦୀର୍ଘ ୨୦ ଦିନ ପରେ ସ୍ୱାସ୍ଥ୍ୟ ବିଭାଗର ନୟାଗଡ଼ କରୋନା ମୃତ୍ୟୁ ଘୋଷଣା ପରେ ସବୁ ଦ୍ୱନ୍ଦ୍ୱ ଏବେ ଅପସରି ଯାଇଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.