Home ଓଡ଼ିଶା ନୟାଗଡ଼ରେ ନିରାଡ଼ମ୍ବରରେ ଦଣ୍ଡପର୍ବ ଓ ପଣାପର୍ବ ଶେଷ

ନୟାଗଡ଼ରେ ନିରାଡ଼ମ୍ବରରେ ଦଣ୍ଡପର୍ବ ଓ ପଣାପର୍ବ ଶେଷ

80

ନୟାଗଡ଼, ୧୩ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲାର କଳା, ସଂସ୍କୃତିର ପାରମ୍ପରିକ ପର୍ବ ଦଣ୍ଡପର୍ବ ଓ ହିନ୍ଦୁ ଧାର୍ମିକ ପରମ୍ପରାର ପର୍ବ ପଣାପର୍ବ ନିରାଡ଼ମ୍ବର ସହକାରେ ଶେଷ ହୋଇଛି। ଦଣ୍ଡପର୍ବରେ ଶିବ ପାର୍ବତୀଙ୍କ ମହିମା ଗାଥା ସହିତ ଧର୍ମଭାବନାର ଅପୂର୍ବ ଭକ୍ତିରସ ନିଶୃତ ବାଣୀକୁ ନେଇ ଗାଁଠାରୁ ସହର ପର୍ଯ୍ୟନ୍ତ କୋଳାହଳମୟ ଧାର୍ମୀକ ପରିବେଶ ସୃଷ୍ଟି କରୁଥିବାବେଳେ କରୋନା ସଂକ୍ରମଣ କଟକଣାରେ ଚଳିତବର୍ଷ ସବୁ ଫିକା କରିଦେଇଥିଲା। ଏପରିକି ଦଣ୍ଡପର୍ବରେ ସଂଲଗ୍ନ ଦଣ୍ଡନୃତ୍ୟ, ଧୂଳିଦଣ୍ଡ, ପାଣିଦଣ୍ଡ ଓ ପଣାପର୍ବ ସବୁ ବନ୍ଦ ହୋଇଯାଇଛି। ଠାକୁର ମନ୍ଦିରରୁ ବାହାରକୁ ବାହାରି ଗାଁର କାମନା ଘରେ ରହନ୍ତି ଓ ବିଭିନ୍ନ ଗାଁକୁ ବିଜେ କରି ମାନସିକଧାରୀଙ୍କ ଦୂଆରେ ଭୋଗଖାଇ ସେହି ଗାଁରେ ଦଣ୍ଡନୃତ୍ୟ କରାଯିବାର ବିଧି ରହିଛି। ହେଲେ କରୋନା କେବଳ ଦେବନୀତି ଛାଡ଼ି ଆଉସବୁ ଛଡ଼ାଇ ନେଇଛି। ଜିଲାର ଦେଉଳପଲ୍ଲୀ, ଦୁର୍ଗାପ୍ରସାଦ, ବାଲୁଗାଁ ନନ୍ଦିଘୋର, ପଂଚରିଡ଼ା, ଅଶ୍ୱସ୍ତପଡ଼ା, କଂଚନବିଲି, କଂଟାବଣିଆ, ମାଳିସାହି, ବଳଭଦ୍ରପୁର ଆଦି ଗ୍ରାମମାନଙ୍କରେ କେବଳ ଠାକୁରଙ୍କ ଦେବନୀତିରେ ପାଂଚ ସାତ ଜଣ ଭକ୍ତାକୁ ନେଇ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଛି। ଦଣ୍ଡପର୍ବ ୩ଦିନରୁ ଆରମ୍ଭ କରି ୨୧ ଦିନ ପର୍ଯ୍ୟନ୍ତ ମାନସିକଧାରୀ ଭକ୍ତାମାନେ ଏହି ପର୍ବ ପାଳନ କରିଆସୁଥିଲାବେଳେ ସରକାରଙ୍କ କରୋନା କଟକଣା ଯୋଗୁ ଦିନେ ଦୁଇଦିନ ଭିତରେ କେବଳ ଠାକୁର ବିଧିବିଧାନ କାର୍ଯ୍ୟ କରାଯାଇଥିବା ଦେଖାଦେଇଛି। ଯେଉଁ ମାନସିକଧାରୀମାନେ ମେରୁପର୍ବ ପାଳନ କରି ଭୋଗଧରି ପୋଖରୀ ତୁଠକୁ ଆସିଥିଲେ ଗହଳି ଚହଳି ହେବାକୁ ଲକ୍ଷ୍ୟ କରି ସେମାନଙ୍କୁ ମଧ୍ୟ ଫେରାଇ ଦିଆଯାଇଥିବା ଦେଖାଦେଇଛି। ଗହଳି ଚହଳିରୁ ନିବୃତ ହେବାକୁ ପୋଲିସ ମଧ୍ୟ ଦଣ୍ଡପର୍ବ ପାଳନ କରାଯାଉଥିବା ଗାଁମାନଙ୍କୁ ଯାଇ ନଜର ରଖିଛି। ସେହିପରି ପଣା ସଂକ୍ରାନ୍ତିରେ ମନ୍ଦିରରରେ କରାଯାଉଥିବା ପଣାପର୍ବ ବନ୍ଦ ହୋଇଯାଇଛି। ଗାଁର ସମସ୍ତ ଲୋକ ଏକାଠି ମିଳିତ ହୋଇ ପଣା ସାରୁଥିବା ବିଭିନ୍ନ ଗାଁରେ ପାରମ୍ପରିକ ରୀତି ଥିଲାବେଳେ ଏଥିରୁ ସମସ୍ତଙ୍କୁ ନିବୃତ କରାଯାଇ କେବଳ ମନ୍ଦିରରେ ଠାକୁରଙ୍କୁ ପଣା ଲାଗୁ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.