Home Top News ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍ ଛେନାପୋଡ଼କୁ ଅପେକ୍ଷା 

ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍ ଛେନାପୋଡ଼କୁ ଅପେକ୍ଷା 

26

ନୟାଗଡ଼, ୪/୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାର କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗର ମାନ୍ୟତା ମିଳିଥିଲା ବେଳେ ନୟାଗଡ଼ର ପ୍ରସିଦ୍ଧ ଛେନାପୋଡ଼କୁ ଉପେକ୍ଷା କରାଯାଇଥିବା ନେଇ ଅସନ୍ତୋଷ ଦେଖାଦେଇଛି। ତେବେ ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ମିଳିବା ନେଇ ସାଧାରଣରେ ଆଶା ସଞ୍ଚାର ହୋଇଛି। କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମିଳିଥିବା ନେଇ ଏସମ୍ପର୍କରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ରବୀନ୍ଦନାଥ ସାହୁ ଏଥିନେଇ ସୂଚନା ପ୍ରଦାନ କରିଛନ୍ତି। ଗତ ସେପ୍ଟେମ୍ବର ମାସରେ ଜିଆଇ ଟ୍ୟାଗ୍ ନିମନ୍ତେ ଓଡ଼ିଶାର ୮ଟି ଦ୍ରବ୍ୟ ତାଲିକାଭୁକ୍ତ ହୋଇଥିବା ବେଳେ ଏହା ମଧ୍ୟରେ କଣ୍ଢେଇମୁଣ୍ଡି ବାଇଗଣ ସ୍ଥାନ ପାଇଥିଲା। ଆପତ୍ତି ଅବଧି ଶେଷ ହେବା ପରେ, ଏନେଇ କୌଣସି ଆପତ୍ତି ଅଭିଯୋଗ ଆସିନଥିବାରୁ ଉକ୍ତ ବାଇଗଣକୁ ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରଦାନ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ।

୨୦୨୧ ଫେବ୍ରୁଆରିରେ ଭୌଗୋଳିକ ମାନ୍ୟତା ବା ଜିଓଗ୍ରାଫିକାଲ ଇଣ୍ଡିକେସନ୍ ଗ୍ୟାଗ୍ କର୍ତ୍ତୃପକ୍ଷ ଚେନ୍ନାଇଙ୍କୁ ମାନ୍ୟତା ଲାଗି ଆବେଦନ କରା‌ଯାଇଥିଲା। ନୀଳମାଧବ କୃଷି ସଂଗଠନ ବାଣପୁର, ସିଧାମୂଳା ଜିଆଇ ମାନ୍ୟତା ନିମନ୍ତେ ଆବେଦନ କରିଥିଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଏଥିରେ ସହଯୋଗ କରିଥିଲେ। ଉକ୍ତ ବାଇଗଣ ଜିଆଇ ମାନ୍ୟତା ପାଇଥିବାରୁ ଜିଲ୍ଲାବ୍ୟାପୀ ଖୁସି ପ୍ରକାଶ ପାଇଛି। କଣ୍ଟେଇମୁଣ୍ଡି ବାଇଗଣ ଖଣ୍ଡପଡ଼ା ବ୍ଲକ୍‌ର ବଡ଼ବାଣପୁର, ରତନପୁର ସମେତ ଭାପୁର ବ୍ଲକ୍‌ର ଧାନଚାଙ୍ଗଡ଼ା, ଲକ୍ଷ୍ମୀପ୍ରସାଦ, କୁମୁଣ୍ଡି, ଫତେଗଡ଼ ଅଞ୍ଚଳରୁ ପ୍ରଥମେ ଚାଷ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହା ଚାଷ ହେଉଛି ଉକ୍ତ ବାଇଗଣଟି ଶହେ ବର୍ଷରୁ ଅଧିକ ସମୟ ହେବ ଚାଷ ହୋଇ ଆସୁଥିବା ଜଣାପଡ଼ିଛି। ସ୍ଥାନୀୟ ଚାଷୀମାନେ ନୀଳମାଧବ ପୀଠ କଣ୍ଟିଲୋର ନାମ ଅନୁସାରେ ଏହାକୁ କଣ୍ଟେଇମୁଣ୍ଡି ବାଇଗଣ ଭାବେ ନାମିତ କରିଥିଲେ। ଉଭୟ ଖରିଫ୍ ଓ ରବି ଋତୁରେ ଏହା ଚାଷ କରାଯାଇଥାଏ। ଅନ୍ୟାନ୍ୟ ବାଇଗଣ ତୁଳନାରେ ବେଶ୍ ଛୋଟ ହୋଇଥିବା ବେଳେ,

ଏହାର ଡେମ୍ଫଠାରୁ ଆରମ୍ଭ କରି ଗଛ କଣ୍ଟାରେ ଭର୍ତ୍ତି ହୋଇଥାଏ। ଏହି ବାଇଗଣର ଓଜନ ୨୫ ଗ୍ରାମଠାରୁ ଆରମ୍ଭ କରି ୫୦ ଗ୍ରାମ୍ ମଧ୍ୟରେ ହୋଇଥାଏ। ଉକ୍ତ ବାଇଗଣ ମଧ୍ୟରେ ଅତ୍ୟଧିକ ମଞ୍ଜି ଏହାକୁ ବେଶ୍ ସ୍ବାଦିଷ୍ଟ କରିଥାଏ। ଅମଳ ପରେ ଏହାକୁ ପ୍ରାୟ ୨ ସପ୍ତାହ ପର୍ଯ୍ୟନ୍ତ ସାଇତି ରଖିହୁଏ। ୬୧ରୁ ୬୫ ସେମି ମଧ୍ୟରେ ଭକ୍ତ ଗଛର ଉଚ୍ଚତା ରହୁଥିବା ବେଳେ, ଗୋଟିଏ ଗଛରେ ୮ରୁ ୧୦ଟି ବାଇଗଣ ଫଳିଥାଏ।ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଅନିଲ କୁମାର ସ୍ଵାଇଁ, ବୈଜ୍ଞାନିକ ସୁଚିସ୍ମିତା ଦ୍ବିବେଦୀଙ୍କ ସମେତ ଜିଲ୍ଲା ଉଦ୍ୟାନ କୃଷି, ରାଜସ୍ଵ ବିଭାଗ ଆଦି ଉକ୍ତ ବାଇଗଣକୁ ଜିଆଇ ମାନ୍ୟତା ନେଇ ବିଶେଷ ସହଯୋଗ କରିଥିଲେ। ଉଲ୍ଲେଖଯୋଗ୍ୟ, କଣ୍ଟେଇମୁଣ୍ଡି ବାଇଗଣ ଜିଆଇ ମାନ୍ୟତା ପାଇବା ପରେ ପ୍ରସିଦ୍ଧ ନୟାଗଡ଼ ଛେନାପୋଡ଼କୁ ଜିଆଇ ମାନ୍ୟତା ମିଳିବା ନେଇ ସର୍ଭିଙ୍କ ମଧ୍ୟରେ ଆଶା ଦେଖାଦେଇଛି। ଛେନାପୋଡ଼ ସମେତ କଣ୍ଟିଲୋର କଂସାପିତ୍ତଳ ବାସନ ନିମନ୍ତେ ଜିଆଇ ଆବେଦନ ହୋଇଥିବା ବେଳେ, ଇକିରି ମୁଗ ନିମନ୍ତେ ଜିଆଇ ଆବେଦନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାର ଏକାଧିକ ଦ୍ରବ୍ୟ ଜିଆଇ ପାଇବା ସମ୍ଭାବ୍ୟ ତାଲିକାରେ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.