Home ଜିଲ୍ଲା ପରିକ୍ରମା ନୂତନ ଶିକ୍ଷାନୀତି ଶିକ୍ଷାକ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ, ଭଦ୍ରକ ପୁସ୍ତକମେଳାର ୪ର୍ଥ ସନ୍ଧ୍ୟା

ନୂତନ ଶିକ୍ଷାନୀତି ଶିକ୍ଷାକ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ, ଭଦ୍ରକ ପୁସ୍ତକମେଳାର ୪ର୍ଥ ସନ୍ଧ୍ୟା

13

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୃଥିବୀର ଦ୍ରୁତ ପରିବର୍ତ୍ତନ ସହିତ ତାଳ ମିଳାଇ ଚାଲିବାର ପ୍ରଚେଷ୍ଟା ଜାରି ରଖିବା ପାଇଁ ନୂତନ ଶିକ୍ଷାନୀତି ଏକ ସମୟପୋଯୋଗୀ ପଦକ୍ଷେପ । ନୂତନ ପିଢିର ଛାତ୍ର, ଶିକ୍ଷକ ଓ ଶିକ୍ଷାନୁଷ୍ଠାନ ଗୁଡିକ ଏହି ଶିକ୍ଷାନୀତିକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିପାରିଲେ, ଆମ ଦେଶ ଏକବିଂଶ ଶତାବ୍ଦୀରେ ପୃଥିବୀକୁ ନୂତନ ଆଲୋକରେ ଉଦ୍‌ଭାସିତ କରିପାରିବ ବୋଲି ସ୍ଥାନୀୟ ସନସାଇନ୍ ମିଶନ ସ୍କୁଲ ନିକଟସ୍ଥ ମନମୋହନ ସଂଗୀତ ପରିଷଦ ପଡିଆରେ ଅନୁଷ୍ଠିତ ଭଦ୍ରକ ପୁସ୍ତକମେଳାର ୪ର୍ଥ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ‘ନୂତନ ଶିକ୍ଷାନୀତି ଓ ନବ ଉନ୍ମେଷର ଧାରା’ ଶୀର୍ଷକ ଆଲୋଚନା ଚକ୍ରରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଗୋଲକ ବିହାରୀ ସାହୁ ପୌରୋହିତ୍ୟ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରଫେସର ରାଜକିଶୋର ସାହୁ ନୂତନ ଶିକ୍ଷାନୀତି ବର୍ତ୍ତମାନ ଶିକ୍ଷାକ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି ବୋଲି ଉଲ୍ଲେଖ କରିଥିଲେ । ବରେଣ୍ୟ ଅତିଥି ଭାବେ ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ମହେଶ ଚନ୍ଦ୍ର ସାହୁ ଯୋଗଦେଇ ପୁସ୍ତକ ପ୍ରକାଶନ ସଂସ୍ଥାମାନେ ପୁସ୍ତକ ପ୍ରେମୀଙ୍କ ରୁଚି ଓ ଆଗ୍ରହକୁ ଦୃଷ୍ଟିରେ ରଖି ପୁସ୍ତକ ପ୍ରକାଶନ କରିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ପୁସ୍ତକମେଳା ଆୟୋଜନ ହେବାର ଯଥାର୍ଥତା ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥି ଭାବେ କବି ସତ୍ୟପ୍ରକାଶ ସେଠୀ, ପୁସ୍ତକମେଳାର ପ୍ରୟୋଜନିୟତା ଉପରେ ଆଲୋକପାତ କରିଥିଲେ । ପୁସ୍ତକମେଳା କମିଟି ସଦସ୍ୟ ବୈକୁଣ୍ଠ ବିଶ୍ୱାଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅନ୍ୟତମ ସଦସ୍ୟ ସଂଗ୍ରାମ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଆଞ୍ଚଳିକ ପରିବହନ ଅଧିକାରୀ ଖଗେଶ୍ୱର ମୁର୍ମୁଙ୍କ ତତ୍ତ୍ୱାବଧାନରେ ସଡକ ସୁରକ୍ଷା ଓ ଜୀବନ ରକ୍ଷା ସମ୍ବନ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଚର୍ଚ୍ଚିକା ମହାପାତ୍ର, ଗଦାଧର ବଳ, ରମେଶ ଚନ୍ଦ୍ର ସ୍ୱାଇଁ, ଶରତ ନାୟକ, ସମୀର ଦାସ, କିଶୋର ଲାଧା, ସତ୍ୟ ସାମଲ, ସଂଗ୍ରାମ ସାହୁ, ମନୋରଂଜନ ନାୟକ, ଭୋଳାନାଥ ରାଉଳ, ରସ୍ମିତା ପୃଷ୍ଟି, ଭଗବାନ ବାରିକ, ହରିହର ଗୁଇଁ, ସୁଭ୍ରାଙ୍ଗିନୀ ବେହେରା ଓ ରାଜେଶ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.