Home ଓଡ଼ିଶା ନୂଆ ଓଡ଼ିଶାର ଧର୍ମପଦ; ବଳି ପଡ଼ିବେ କି ଧର୍ମେନ୍ଦ୍ର ?

ନୂଆ ଓଡ଼ିଶାର ଧର୍ମପଦ; ବଳି ପଡ଼ିବେ କି ଧର୍ମେନ୍ଦ୍ର ?

1195

ଭୁବନେଶ୍ୱର: ନୂଆ ଓଡ଼ିଶାର ଧର୍ମପଦ, ଧର୍ମେନ୍ଦ୍ର।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏବେ ଏହିପରି ଉପସ୍ଥାପନ କରୁଛନ୍ତି ଓଡ଼ିଶା ବିଜେପିରେ ଥିବା ତାଙ୍କ ଅନୁଗତ।ତେବେ, ଧର୍ମପଦ ସହ ଧର୍ମେନ୍ଦ୍ରଙ୍କ ତୁଳନା କ’ଣ ଠିକ୍?୧୨୦୦ ବଢ଼େଇ ଭାଇଙ୍କ ଜୀବନ ରକ୍ଷା କରିବା ପାଇଁ ନିଜକୁ ବଳି ପକାଇ ଦେଇଥିଲେ ଧର୍ମପଦ।ମୁଣ୍ଡି ମାରିଲେ, କିନ୍ତୁ ନିଜେ ବଳି ପଡ଼ିଗଲେ ଧର୍ମପଦ।

ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭାବି ମୁଖ୍ୟମନ୍ତ୍ରୀ ଭାବରେ ଉପସ୍ଥାପନ କରୁଛନ୍ତି ଓଡ଼ିଶା ବିଜେପିର ଧର୍ମେନ୍ଦ୍ରଙ୍କ ଅନୁଗତ।ସେଥିପାଇଁ ପ୍ରତ୍ୟେକ କ୍ଷେତ୍ରରେ କିପରି ଧର୍ମେନ୍ଦ୍ରଙ୍କୁ ଶ୍ରେୟ ଦିଆଯାଇ ପାରିବ ନେଇ ଏମାନେ ସଦା ଚେଷ୍ଟିତ।ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର ପ୍ରସାର କରାଇବା, ନବୀନଙ୍କ ବିକଳ୍ପ ଭାବରେ ବିଜେପି ଭିତରେ ଅଦ୍ଵିତୀୟ ନେତା ଭାବରେ ଧର୍ମେନ୍ଦ୍ରଙ୍କୁ ଉପସ୍ଥାପନ କରାଇବା ଆଦି ଯୋଜନାରେ ଓଡ଼ିଶା ବିଜେପିରେ ଧର୍ମେନ୍ଦ୍ରଙ୍କ ଏକ ଗୋଷ୍ଠୀ ସଦା ପ୍ରୟାସରେ ଥାଆନ୍ତି।ତେବେ, ଧର୍ମେନ୍ଦ୍ରଙ୍କ ପ୍ରଚାର କରାଇବା ନାମରେ ଏମାନେ ନିଜ ପ୍ରତି ଧର୍ମେନ୍ଦ୍ରଙ୍କ ଦୃଷ୍ଟି ଆକର୍ଷଣ କରାଇବା, ମୁଁ ମନ୍ତ୍ରୀଙ୍କ ପାଖ ଲୋକ, ନିଜ ଲୋକ ବୋଲି ଦେଖାଇବାକୁ ଯାଇ ଧର୍ମେନ୍ଦ୍ରଙ୍କର ଅତ୍ୟଧିକ ଚାଟୁକାରୀ କରିବସନ୍ତି।ଯାହା ଧର୍ମେନ୍ଦ୍ରଙ୍କର ପ୍ରଚାର ନୁହେଁ, ବରଂ ଅପପ୍ରଚାର କରାଏ।ଓଡ଼ିଶା ପ୍ରତି ମୋଦିଙ୍କର ଅବଦାନ ପାଣିଚିଆ ହୋଇଯାଏ।ଲାଭ ବଦଳରେ କ୍ଷତି ହୁଏ।ଯେପରି ଏହାର ଏକ ଉଦାହରଣ ନୂଆ ଓଡ଼ିଶାର ଧର୍ମପଦ; ଧର୍ମେନ୍ଦ୍ର!ତେବେ, ଧର୍ମେନ୍ଦ୍ର କଣ ଧର୍ମପଦ ପରି ଓଡ଼ିଶା ବିଜେପି ପାଇଁ ମୁଣ୍ଡି ମାରି ନିଜେ ବଳି ପଡ଼ିଯିବେ??

https://www.facebook.com/Dharmendra2Point0/videos/2333423546972032/

କେନ୍ଦ୍ର ବିଜେପି ଧର୍ମେନ୍ଦ୍ର ପ୍ରଧାନଙ୍କୁ ବହୁ ଗୁରୁତ୍ୱ ଦେଇଛି।ମେଣ୍ଟ ଭାଙ୍ଗିବା ପରଠାରୁ ଓଡ଼ିଶା ବିଜେପିରେ ସବୁ କିଛି ଧର୍ମେନ୍ଦ୍ରଙ୍କ ଇସାରାରେ ହୋଇଆସୁଛି।କିନ୍ତୁ, ଓଡ଼ିଶାରେ ଧର୍ମେନ୍ଦ୍ର ବାରମ୍ବାର ବିଫଳ ହେଉଛନ୍ତି।ଏହାର ପ୍ରମୁଖ କାରଣ ଭିତରେ ନିଶ୍ଚିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା।ଏ’ ପର୍ଯ୍ୟନ୍ତ ନବୀନଙ୍କ ସମକକ୍ଷ କିମ୍ବା ନବୀନଙ୍କ ବିକଳ୍ପ ଭାବରେ ଓଡ଼ିଶା ଲୋକ କାହାକୁ ଦେଖିପାରି ନାହାଁନ୍ତି।କିନ୍ତୁ, ଏହା ବ୍ୟତୀତ ଆଉ ଏକ କାରଣ ହେଲା ଦୃବଳ ଓଡ଼ିଶା ବିଜେପି ସଙ୍ଗଠନ।ଓଡ଼ିଶା ବିଜେପି ସଙ୍ଗଠନ ଅତ୍ୟନ୍ତ ଦୁର୍ବଳ।ସମସ୍ତେ ଜାଣନ୍ତି ଯେ ଓଡ଼ିଶା ବିଜେପି ଧର୍ମେନ୍ଦ୍ରଙ୍କ ଇଙ୍ଗିତରେ ପରିଚାଳିତ ହୁଏ।ଧର୍ମେନ୍ଦ୍ରଙ୍କ ସ୍ବୀକୃତିରେ ରାଜ୍ୟ ସଭାପତି ଚୟନ ଠାରୁ ଆରମ୍ଭ କରି ଧର୍ମେନ୍ଦ୍ରଙ୍କ ସମର୍ଥକ ହିଁ ସମସ୍ତ ପଦ ପଦବୀରେ ନିଯୁକ୍ତ ହୁଅନ୍ତି।ଧର୍ମେନ୍ଦ୍ରଙ୍କ ସ୍ବୀକୃତିରେ ଏମପି, ଏମଏଲଏ ଟିକେଟ ବଣ୍ଟାଯାଏ।ଆଉ ଏହି ପଦ ପଦବୀ, ଏମପି, ଏମଏଲଏ ଟିକେଟ ଆଶାରେ ସମସ୍ତେ ଧର୍ମେନ୍ଦ୍ରଙ୍କର ଚାଟୁକାରୀ, ଚାପୁଲୁସି କରନ୍ତି।ଏହିପରି ଚାଟୁକାରୀ ଏବଂ ଚାପୁଲୁସି କରି ଅନେକ ଦାୟିତ୍ୱ ପାଆନ୍ତି କିମ୍ବା ଟିକେଟ ପାଆନ୍ତି।କିନ୍ତୁ, ବାସ୍ତବରେ ସେହି ନେତା/ନେତ୍ରୀମାନଙ୍କ ପାଖରେ କୌଣସି ଦକ୍ଷତା ବା ନିଜ ଅଞ୍ଚଳରେ ଲୋକପ୍ରିୟତା ନଥାଏ।ଆଉ ଏହିପରି କିଛି ଚାଟୁକାର ନିଜର ସ୍ୱାର୍ଥ ହାସଲ ପାଇଁ ଅଯଥାଟାରେ ଧର୍ମେନ୍ଦ୍ରଙ୍କର ଏପରି ଚାପୁଲୁସି କରନ୍ତି ଯେ ତାହା ଧର୍ମେନ୍ଦ୍ରଙ୍କ ଓଲଟି କ୍ଷତି କରାଏ।ଯେପରି ନୂଆ ଓଡ଼ିଶାର ଧର୍ମପଦ, ଧର୍ମେନ୍ଦ୍ରଙ୍କୁ ନେଇ ସୋସିଆଲ ମିଡିଆ ମାଧ୍ୟମରେ କୁହାଯାଇଛି, “ଜଣେ ଔଜ୍ୱଲ୍ୟ ମାନ ପ୍ରତିଭା, ଜଣେ କର୍ମତତ୍ପର ନେତା, ଜଣେ ତେଜସ୍ୱୀ ସାଂସଦ, ନିଷ୍ଠା ଏବଂ ସଦ୍ଭାବନାର ପୂଜାରୀ, ନିର୍ମଳ ମାନବିକତାର ଉଦାହରଣ, ଯାହାଙ୍କ ପ୍ରତିଭାରେ ପରିଚିତ ଏ’ ଓଡ଼ିଶା, ଯାହାଙ୍କ ପ୍ରଚେଷ୍ଟାରେ ଗଢ଼ି ଉଠିଛି ଏସିଆର ସର୍ବ ବୃହତ ତୈଳ ବିଶୋଧନାଗାର, ଯାହାଙ୍କ ପ୍ରୟାସରେ ଭାରତର ୮ କୋଟି ଲୋକଙ୍କୁ ମିଳିଲା ମୁକ୍ତ ଉଜ୍ଜଲା ଗ୍ୟାସ, ପ୍ରକାଶ ରାଓ ଏବଂ ହଳଧର ନାଗ ପାଇଲେ ପଦ୍ମଶ୍ରୀ ସମ୍ମାନ, ଓଡ଼ିଶା ପାଇଲା ଆଉ ଜଣେ କେନ୍ଦ୍ରମନ୍ତ୍ରୀ (ପ୍ରତାପ ଷଡ଼ଙ୍ଗୀ), ବିଶ୍ୱ ଭୂଷଣଙ୍କୁ କରାଗଲା ରାଜ୍ୟପାଳ, ଅଶ୍ୱିନୀ ବୈଷ୍ଣବ ହେଲେ ନୂଆ ରାଜ୍ୟସଭା ସାଂସଦ, ଗିରିଶ ଚନ୍ଦ୍ର ମୁର୍ମୁ ହେଲେ ଜମ୍ମୁକାଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ.. ନୂଆ ଓଡ଼ିଶାର ଧର୍ମପଦ, ଧର୍ମେନ୍ଦ୍ର ପ୍ରଧାନ!କଥାଟା ଅତିରଞ୍ଜିତ ଲାଗୁନାହିଁ କି?ଶେଷରେ ଗିରିଶ ମୁର୍ମୁ ଜମ୍ମୁକାଶ୍ମୀରର ଉପରାଜ୍ୟପାଳ ହେବାରେ ବି ଧର୍ମେନ୍ଦ୍ରଙ୍କୁ ଶ୍ରେୟ ଦେଲେଣି ଚାଟୁକାର!ଭାଗ୍ୟବଶତଃ ଏମାନେ ସୁପ୍ରିମକୋର୍ଟ ପୂର୍ବ ଚିଫ୍ ଜଷ୍ଟିସ ଦୀପକ ମିଶ୍ର, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶଶିକାନ୍ତ ଦାସ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ମୁଖ୍ୟ ସଚିବ ପି. କେ ମିଶ୍ର (ସମସ୍ତେ ଓଡ଼ିଆ ପୁଅ ହୋଇଥିବାରୁ) ଏମାନଙ୍କ ପଛରେ ଧର୍ମେନ୍ଦ୍ରଙ୍କ ପ୍ରୟାସ ବୋଲି ଏମାନେ କହି ନାହାଁନ୍ତି!ଚାଟୁକାର ମାନଙ୍କର ଏପରି କାର୍ଯ୍ୟ ଓଡ଼ିଶାର ବୁଦ୍ଧିଜୀବୀ ମହଲରେ ଧର୍ମେନ୍ଦ୍ରଙ୍କ ପ୍ରତି ଏକ ତାତ୍ସଲ୍ୟ ଭାବନା ଏବଂ ସହଯୋଗୀ ନେତାଙ୍କ ଭିତରେ ଏକ ବିଦ୍ୱେଷ ଭାବନା ସୃଷ୍ଟି କରାଉଛି।ଓଡ଼ିଶା ପ୍ରତି ମୋଦୀଙ୍କର ଅବଦାନ ପାଣିଚିଆ ହୋଇଯାଉଛି।ଧର୍ମେନ୍ଦ୍ର ପ୍ରଧାନ ଏପରି ବୃଥା ପ୍ରଶଂସା ଠାରୁ ଦୂରେଇ ଏପରି ଚାଟୁକାରମାନଙ୍କ ଠାରୁ ସତର୍କ ରହିବା ଉଚିତ।-ଦେବଦତ୍ତ ରଥ

ତୁ ମନ କରିଛୁ ତୋଷାମଦ କରି ବଢ଼ାଇବୁ ଜାତି ମାନ,
ତୋଷାମଦିଆର କୁକୁର ପ୍ରକୃତି ଅଇଁଠା ପତରେ ଧ୍ୟାନ।
ତୋଷାମଦକାରୀ କ୍ଷିପ୍ର ଶ୍ୱାନ ପରି ସହଜେ ଜଣାନ’ଯାଏ,
ଭୃତ୍ୟଭାବ ଧରି ଗୋଡ଼ ଚାଟୁଚାଟୁ ବିଷ ଲେପି ଦେଇଥାଏ।।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.