Home ଓଡ଼ିଶା ନିଶାରେ କାର୍ଯ୍ୟ କରୁଛି କେନ୍ଦୁଝର ସ୍ବାସ୍ଥ୍ୟ ବିଭାଗ, ଆଜି ଇଏତ କାଲି ସିଏ, ଡାକ୍ତର ବିହିନ...

ନିଶାରେ କାର୍ଯ୍ୟ କରୁଛି କେନ୍ଦୁଝର ସ୍ବାସ୍ଥ୍ୟ ବିଭାଗ, ଆଜି ଇଏତ କାଲି ସିଏ, ଡାକ୍ତର ବିହିନ ହେବାକୁ ବସିଛି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

830

ହରିଚନ୍ଦନପୁର,ତା ୧୭ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦ୍ର ଓ ରାଜ୍ୟ ସରକାର ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟ ବରାଦରେ ଯୋଜନା ଉପରେ ଯୋଜନା ପ୍ରଣୟନ କରିଚାଲିଛନ୍ତି । ଏଥିସହ ମାସିକ ଲକ୍ଷାଧିକ ଟଙ୍କା ଦରମା ଦେଇ ଉପରସ୍ତରରୁ ଆରମ୍ଭ କରି ତଳସ୍ତର ପର୍ଯ୍ୟନ୍ତ ବିଭିନ୍ନ ପଦପଦବୀରେ କର୍ମଚାରୀ ନିୟୋଜିତ କରିଛନ୍ତି । ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକର ପରିଚାଳନା ନିମନ୍ତେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ନିୟୋଜିତ କରାଯାଇଛି । ସେହି ଭଳି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ କାଗଜ ପତ୍ରରେ ସ୍ବତନ୍ତ୍ର ଚିକିତ୍ସା ଅଧିକାରୀ ଭାବେ ଡାକ୍ତର ମୁକ୍ତିକାନ୍ତ ନାୟକଙ୍କୁ ନିୟୋଜିତ କରାଯାଇଛି । ହେଲେ ଦୁଃଖର ବିଷୟ ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାମକୁ ମାତ୍ର ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି । ଗତ ସେପ୍ଟେମ୍ବର ମାସ ୩୧ତାରିଖ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସି ଏସ୍ ମିଶ୍ରଙ୍କ ଅବସର ଦିନ ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦାୟିତ୍ଵରେ ଥିବା ଡାକ୍ତର କୈଳାଶ ନାୟକଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣି ବାଂଶପାଳ ବଦଳିକୁ ବାତିଲ କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବଦଳି କରାଯାଇଥିଲା । ଏତିକି ଦିନ ମଧ୍ୟରେ ୫ରୁ ୬ଥର ମଧ୍ୟ ଚିକିତ୍ସା କେନ୍ଦ୍ରକୁ ନ ଆସି ସିସିଟିଭି ଦ୍ବାରା ସ୍ବାସ୍ଥ୍ୟ କେନ୍ଦ୍ରକୁ ପରିଚାଳନା କରୁଥିବା ଭାରପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କୁ ପୁଣି କାହା ସ୍ବାର୍ଥରେ ଦାୟିତ୍ଵ ଦିଆଗଲା ତାହାକୁ ନେଇ ଜନସାଧାରଣରେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସ ୬ତାରିଖ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଶିଶୁ ବିଶେଷଜ୍ଞ ଡାକ୍ତର ରାଜେନ୍ଦ୍ର କୁମାର ନାୟକଙ୍କୁ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଦାୟିତ୍ଵ ପ୍ରଦାନ ପାଇଁ ସିଡିଏମଓଙ୍କ ଚିଠି ଆସିଥିଲା । ହେଲେ ପୁଣି ୭ତାରିଖ ଦିନ ସିଂଘମ୍ ରିଟନ୍ ଭଳି ଡାକ୍ତର ରାଜେନ୍ଦ୍ର କୁମାର ନାୟକଙ୍କୁ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ବଦଳରେ ଡାକ୍ତର ମୁକ୍ତିକାନ୍ତ ନାୟକଙ୍କୁ ପୁନଶ୍ଚ ଭାରପ୍ରାପ୍ତ ଦାୟିତ୍ଵ ନିମନ୍ତେ ସିଡିଏମଓଙ୍କ ଚିଠି ଆସିଥିଲା ‌। ଏହାକୁ ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନିଶାରେ କାର୍ଯ୍ୟ କରୁଛି ବୋଲି ବୁଦ୍ଧିଜୀବି ଓ ଶିକ୍ଷାବିତ୍ ମହଲରେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି ‌। ହରିଚନ୍ଦନପୁର ସ୍ବାସ୍ଥ୍ୟ କେନ୍ଦ୍ରରେ କ’ଣ ମହୁ ଝରୁଛି ଅନ୍ୟ କାହାକୁ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଦାୟିତ୍ଵ ଦିଆଗଲେ ଅନେକ ମିଥ୍ୟା ଅଭିଯୋଗ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦିଆଯାଉଛି । ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ଗତ କିଛି ବର୍ଷ ପୂର୍ବେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅଧିକାରୀ ନଥିବା କାରଣରୁ ଡାକ୍ତର ମୁକ୍ତିକାନ୍ତ ନାୟକଙ୍କୁ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଦାୟିତ୍ଵ ତୁଲାଇବାକୁ ଦିଆଯାଇଥିଲା । ହେଲେ ଠିକ୍ ଭାବରେ ଦାୟିତ୍ଵ ନ ତୁଲାଇବା ସହ ତାଙ୍କ କାର୍ଯ୍ୟରେ ଅଶାନ୍ତି ହୋଇ ଡାକ୍ତର ଓ କର୍ମଚାରୀ କେନ୍ଦ୍ର ଛାଡ଼ିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ସ୍ବତନ୍ତ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ନିୟୋଜିତ ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଦାବି ଜଣାଇଥିଲେ । ଲୋକଙ୍କ ଦାବିକୁ ନେଇ ସ୍ବତନ୍ତ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ନିୟୋଜିତ କରାଯାଇଥିଲା । ହେଲେ ତାଙ୍କ ନାମରେ ବିଭିନ୍ନ ମିଥ୍ୟା ଅଭିଯୋଗ ଆଣି ପୁଣି ଦାୟିତ୍ଵକୁ ନିଜ ହାତରୁ ଛାଡିନଥିଲେ । କିଛି ଦିନ ପରେ ଚିକିତ୍ସା ଅବହେଳା ହେବାର ଦେଖି ପୁଣି ହରିଚନ୍ଦନପୁରର କିଛି ବୁଦ୍ଧିଜୀବି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ । ପୁଣି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ବତନ୍ତ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ନିୟୋଜିତ କରାଗଲା ଓ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆସିଥିଲା । ହେଲେ ବର୍ତ୍ତମାନ ପୁଣି ପୂର୍ବ ପରି ପାଲା ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି, ଯାହାକୁ ନେଇ ଜନସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି । ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନ ଧରି ରହିଆସିଥିବା ଡାକ୍ତର ମୁକ୍ତିକାନ୍ତ ନାୟକ କାର୍ଯ୍ୟକଳାପକୁ ନେଇ ସେଠାକାର ପୁରୁଷ ଓ ମହିଳାମାନେ ଏକତ୍ରିତ ହୋଇ ତାଙ୍କୁ ଅନ୍ୟତ୍ର ବଦଳି ନିମନ୍ତେ ବିଶାଳ ରାଲିରେ ବଜାର ପରିକ୍ରମା କରି ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଏଥିସହ ନୂତନ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ନିମନ୍ତେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ଜିଲ୍ଲାପାଳଙ୍କ ପାଖରେ ବାରମ୍ବାର ଦାବି ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବାଂଶପାଳ ବଦଳି କରାଯାଇଥିଲା । ହେଲେ ଘଟଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ସ୍ବାର୍ଥ ଲାଳସାକୁ ନେଇ ଅନ୍ୟତ୍ର ଯିବାକୁ ମନ ନକରି ସ୍ବାସ୍ଥ୍ୟ ବିଭାଗକୁ ମୋଟା ଅଙ୍କର ହାତଗୁଞ୍ଜା ସହ ସ୍ଥାନୀୟ ମନ୍ତ୍ରୀଙ୍କ ଚାପରେ ବାଂଶପାଳ ବଦଳିକୁ ପୂର୍ବ ସିଡିଏମଓଙ୍କ ଅବସର ଦିନ ବାତିଲ କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ କରାଇଥିଲେ । ଯାହା ଫଳରେ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିବା ସହ ଭାରପ୍ରାପ୍ତ ଦାୟିତ୍ଵ ରଖି ନାମକୁ ମାତ୍ର କାଗଜ ପତ୍ରରେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ କେବଳ କାର୍ଯ୍ୟରେ ଘଟଗାଁ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଯଥାଶୀଘ୍ର ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାୟୀ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଓ ଆବଶ୍ୟକୀୟ ଡାକ୍ତର ଯୋଗାଇ ଦେବାକୁ ହରିଚନ୍ଦନପୁରବାସୀ ଦାବି କରିଛନ୍ତି ।


LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.