Home ଅନୁଗୁଳ ନିରାଡମ୍ବରରେ ପାଳିତ ହେଲା ହିଙ୍ଗୁଳା ପୀଠରେ ନୂଆଖାଇ ପର୍ବ

ନିରାଡମ୍ବରରେ ପାଳିତ ହେଲା ହିଙ୍ଗୁଳା ପୀଠରେ ନୂଆଖାଇ ପର୍ବ

71

ତାଳଚେର,୩୦/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କୋରୋନା କଟକଣା ମଧ୍ୟରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ନୂଆଖାଇ ପର୍ବ ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠ ପରିସରରେ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ରବିବାର ପୂର୍ବାହ୍ନ ୧୧.୩୦ମି.ରେ ଦିଅଁ ଘରୁ ମା’ ଙ୍କ ଆଲାମକୁ ପାରମ୍ଫରିକ ରୀତିନୀତି ଅନୁଯାୟୀ ପୂଜା କରାଯାଇ ମନ୍ଦିରକୁ ବିଜେ କରା ଯାଇଥିଲା । ସେଠାରେ ମନ୍ଦିରର ମୂଖ୍ୟ ପୂଜକ ହୃଦାନନ୍ଦ ଦେହୁରୀ ମା ହିଙ୍ଗୁଳା,କୁଟେଇଶୁଣୀ,କରଡେଇ, ଅନ୍ଧାରୀଶୁଣୀ ଓ ଚଣ୍ଡୀଙ୍କୁ ପାରମ୍ପରିକ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ମା’ଙ୍କ ପୀଠର ଅଗ୍ନି କୋଣରେ ଏକ ନୂତନ ଚୂଲା ତିଆରି କରାଯାଇ ସେଥିରେ ଏକ ନୂତନ ପାତ୍ରରେ ନୂଆ ଚାଉଳ ଲଗାଇ ସ୍ୱତନ୍ତ୍ର କ୍ଷୀରୀଭୋଗ ପ୍ରସ୍ତୁତ କରାଯାଇଥିଲା । ଏହାପରେ ଏହି କ୍ଷୀରିକୁ ମା’ଙ୍କ ପାଖରେ ଲାଗି କରାଯାଇଥିଲା । ଏହି ପରମ୍ପରାକୁ ସ୍ଥାନୀୟ ଭାଷାରେ ନଖୀ ପୂଜା କୁହାଯାଇଥାଏ । ଉକ୍ତ ନଖୀ ଭୋଗକୁ ଆଜିର ଦିନରେ ପ୍ରସାଦ ରୂପରେ ଗ୍ରହଣ କଲେ ବର୍ଷ ସାରା ସୁସ୍ୱାଦୁ ଖାଦ୍ୟ ମିଳେ ବୋଲି ଶ୍ରଦ୍ଧାଳୁମାନେ ବିଶ୍ୱାସ କରିଥାନ୍ତି । ଚଳିତ ବର୍ଷ କୋରୋନା ମହାମାରୀର ପ୍ରାର୍ଦୁଭାବ ଯୋଗୁଁ ମା’ଙ୍କ ପୀଠକୁ ଶ୍ରଦ୍ଧାଳୁମାନେ ନ ଆସିବା ପାଇଁ ପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିଲା । ସ୍ୱଳ୍ପ କେତେ ଜଣ ସେବାୟତ ଓ ପୂଜକଙ୍କ ଉପସ୍ଥିତିରେ ମା’ ଙ୍କ ନୂଆଖାଇ ପର୍ବକୁ ନିରାଡମ୍ବର ଭାବରେ ପାଳନ କରାଯାଇଥିଲା । ମା’ଙ୍କ ଏହି ଅନନ୍ୟ ଉତ୍ସବରେ କୋଭିଡ-୧୯ର ନିୟମ ପାଳନ କରାଯାଇଥିବା ବେଳେ ପୂଜକ କିଶୋର ଚନ୍ଦ୍ର ଦେହୁରୀ, ଟଙ୍କଧର ଦେହୁରୀ ପ୍ରମୁଖଙ୍କ ସହ ମା’ଙ୍କର ସ୍ୱଳ୍ପ କେତେକ ସେବାୟତ ଉପସ୍ଥିତ ରହି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.