ଭୁବନେଶ୍ୱର, ୧୦।୭ (ଓଡ଼ିଆ ପୁଅ) : ରାଜ୍ୟ ସରକାର ଆଗାମୀ ଦୁଇବର୍ଷ ପାଇଁ କରୋନା ଆଳରେ ଆର୍ଥିକ କଟକଣା ଲଗାଇ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ବନ୍ଦ କରିବା ପାଇଁ ଯେଉଁ ନିଷ୍ପତି ନେଇଛନ୍ତି ତାହା ରାଜ୍ୟର ଯୁବକ ଯୁବତୀମାନଙ୍କ ଜୀବନ ଜୀବିକାକୁ ବିପନ୍ନ କରିବ। ନବୀନ ସରକାର ୨୦ବର୍ଷର ସ୍ଥିର ଓ ନିରଙ୍କୁଶ ଶାସନଭାର ମଧ୍ୟରେ ଓଡ଼ିଶାର ଯୁବକ ଓ ଛାତ୍ରମାନଙ୍କୁ ଭୂଆଁ ବୁଲାଇ ବର୍ଷକୁ ୧ଲକ୍ଷ ନିଯୁକ୍ତି ଦେବାର ସ୍ୱପ୍ନ ଦେଖାଇ ଏପର୍ଯ୍ୟନ୍ତ ମାତ୍ର ୫୦ ହଜାର ନିଯୁକ୍ତି ଦେବାରେ ସକ୍ଷମ ହୋଇନାହାନ୍ତି ବୋଲି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ- ସ୍ମୃତିରଞ୍ଜନ ଲେଙ୍କା ପ୍ରକାଶ କରିଛନ୍ତି। ଏଭଳି ସଙ୍କଟ ସମୟରେ ଯେତେବେଳେ ସମଗ୍ର ରାଜ୍ୟରେ କର୍ମନିଯୁକ୍ତିର ଘୋର ସମସ୍ୟା ଦେଖାଦେଇଛି ସେ ସମୟରେ ଯୁବପିଢିଙ୍କୁ ନିଯୁକ୍ତି ଦେବା ସରକାରଙ୍କର ପ୍ରାଥମିକତା ହେବା ଉଚିତ। ଅପରପଟେ ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ପ୍ରବାସୀ ଅଣକୁଶଳୀ, କୁଶଳୀ ଏବଂ ଅତି କୁଶଳୀ ଶ୍ରମିକମାନଙ୍କର ପ୍ରତ୍ୟାବର୍ତ୍ତନ ହୋଇଛି। ସେମାନେ ସମସ୍ତେ କର୍ମନିଯୁକ୍ତି ଆଶାରେ ସରକାରଙ୍କ ଉପରେ ଭରସା କରି ରହିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଘରୋଇ କମ୍ପାନିମାନଙ୍କ ପୁଞ୍ଜିି ନିବେଶକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ନିର୍ମାଣ କନ୍କ୍ଲେଭ ଆୟୋଜନ କରିଥିଲେ ଓ ପାଖାପାଖି ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଭରସା ଦେଇଥିଲେ। ଏ ଭିତରେ କେତେ ଶିକ୍ଷିତ ଯୁବକଙ୍କୁ ଘୋଷଣା ମୁତାବକ ନିଯୁକ୍ତି ପ୍ରଦାନ କରିଛନ୍ତି, ତାହା ରାଜ୍ୟବାସୀଙ୍କୁ ଜଣାଇବା ଉଚିତ। ତେବେ ସରକାରଙ୍କ ନିଯୁକ୍ତି ବନ୍ଦ ନିଷ୍ପତିକୁ ଯୁବ କଂଗ୍ରେସ ପକ୍ଷରୁ ଘୋର ବିରୋଧ ହେବା ପରେ ସରକାର ସ୍ପଷ୍ଟୀକରଣ ରଖି ରାଜ୍ୟରେ ନିଯୁକ୍ତି ବନ୍ଦ ହୋଇନାହିଁ, ଚାଲିଥିବା ପ୍ରକ୍ରିୟା ଜାରି ରହିବ ବୋଲି ପ୍ରକାଶ କରିବା ପରେ, ନିମ୍ନଲିଖିତ ତିନୋଟି ପ୍ରଶ୍ନର ଉତର ଶ୍ୱେତପତ୍ର ଜରିଆରେ ରାଜ୍ୟବାସୀଙ୍କୁ ଜଣାଇବା ପାଇଁ ଡ- ଲେଙ୍କା ଆହ୍ୱାନ ଦେଇଛନ୍ତି।
ପ୍ରଶ୍ନ ୧- କେଉଁ ବିଭାଗରେ କେତେ ସରକାରୀ ପଦବୀ ଖାଲିପଡ଼ିଛି ସରକାର ଦୟାକରି ଜଣାଇବେ କି ।
ପ୍ରଶ୍ନ ୨- ପୂର୍ବରୁ କେତେ ସରକାରୀ ନିଯୁକ୍ତି ଦେଇଛନ୍ତି ଓ ଏବେ ସୁଧା ରାଜ୍ୟରେ କେତେ ବେକାରୀ ଅଛନ୍ତି ସେ ବିଷୟରେ ସ୍ପଷ୍ଟ କରିବେ କି ।
ପ୍ରଶ୍ନ ୩- ଖାଲିଥିବା ପଦବୀଗୁଡ଼ିକ କେବେ ସୁଧା ପୂରଣ ହେବ ତାହା ସର୍ବସାଧାରଣରେ ପ୍ରକାଶ କରିବେ କି।
ଏଭଳି ବିପତି ସମୟରେ ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ଆର୍ଥିକ କଟକଣା ଆଳରେ ଯୁବ ଏବଂ ଛାତ୍ରମାନଙ୍କ ଭବିଷ୍ୟତକୁ ଅନ୍ଧକାର ଆଡକୁ ଠେଲିଦେବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।