Home ଜିଲ୍ଲା ପରିକ୍ରମା ନିଦାବିଷ୍ଣୁ ସାଜିଛି ଭଦ୍ରକ ପୂର୍ତ୍ତ ବିଭାଗ, ଜିଲାପାଳଙ୍କ ନିର୍ଦ୍ଦେଶ ସତ୍ୱେ ମରାମତି ହେଲାନାହିଁ ଆଖଣ୍ଡଳମଣି-ଭଦ୍ରକ ରାସ୍ତା,...

ନିଦାବିଷ୍ଣୁ ସାଜିଛି ଭଦ୍ରକ ପୂର୍ତ୍ତ ବିଭାଗ, ଜିଲାପାଳଙ୍କ ନିର୍ଦ୍ଦେଶ ସତ୍ୱେ ମରାମତି ହେଲାନାହିଁ ଆଖଣ୍ଡଳମଣି-ଭଦ୍ରକ ରାସ୍ତା, ଖାଲି ପାଦରେ ଖାଲଖମା ଦେଇ ଆସିବେ କାଉଡିଆ

76

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆରଡି ଧାମର ଆଖଣ୍ଡଳମଣିଙ୍କ ମନ୍ଦିରରେ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି ଶ୍ରାବଣୀ ବ୍ରତ । ପବିତ୍ର ଶ୍ରାବଣ ସୋମବାରରେ ମଣିବାବାଙ୍କୁ ଜଳାଭିଷେକ କରିବା ପାଇଁ ରାଜ୍ୟ ଓ ପଡୋଶୀ ପଶ୍ଚିମବଙ୍ଗ ଓ ବିହାରରୁ ହଜାର ହଜାର କାଉଡିଆ ଭକ୍ତ ଜଳଭାର କାନ୍ଧେଇ ଖାଲି ପାଦରେ ଶହ ଶହ କିଲୋମିଟର ବାଟ ଚାଲି ଚାଲି ଆସିବେ । ଏଥିପାଇଁ ଗତ ଜୁନ୍ ମାସ ୨୩ ତାରିଖରେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ, ସମସ୍ତ ବିଭାଗୀୟ ଅଧିକାରୀ, ମନ୍ଦିର ପରିଚାଳନା କମିଟି ଓ ସେବାୟତଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ବିଶେଷକରି ଆରଡି-ଭଦ୍ରକ ୪୦ କିମି ମୁଖ୍ୟ ରାସ୍ତାର ଭଦ୍ରକ (ଆରଡି ଛକ ଠାରୁ) ଓଳଗ ମଠ ପର୍ଯ୍ୟନ୍ତ ବଡ ବଡ ଖାଲ ସୃଷ୍ଟି ହୋଇଥିବାବେଳେ ଅନେକ ସ୍ଥାନରୁ ପିଚୁ ଉଠିଯାଇ ଗୋଡି ପଥର ବାହାରି ଯାଇଛି । ଶ୍ରାବଣ ଯାତ୍ରାକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାକୁ ମରାମତି କରିବା ପାଇଁ ବୈଠକରେ ଆଲୋଚନା ହେବା ସହ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏପଟେ ଖାଲଖମା ରାସ୍ତାରେ ପ୍ରତିଦିନ ଶହ ଶହ ଲୋକ ଯାତାୟତ କରୁଥିଲେ ମଧ୍ୟ ଭଦ୍ରକ ପୂର୍ତ୍ତ ବିଭାଗ ନିଦାବିଷ୍ଣୁ ସାଜିଛି । ଫଳରେ ଗତ କେଇଦିନର ଲଘୁଚାପ ଜନିତ ସାମାନ୍ୟ ବର୍ଷାରେ ଭଦ୍ରକ ପ୍ରାଚୀନଗର ଛକରେ ଦେଢଫୁଟ ଉଚ୍ଚର ବର୍ଷାଜଳ ପ୍ରବାହିତ ହେଉଥିବାବେଳେ ସାତଭଉଣୀ, କୋଠାର, ଧୁଷୁରୀ, ସୁନ୍ଦରପୁର ଛକରେ ବର୍ଷାପାଣି ଜମି ରହୁଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ବର୍ଷାପାଣି ଓ ରାସ୍ତା ଏକାକାର ହୋଇଯାଉଥିବାରୁ ପଥଚାରୀ ଛୋଟବଡ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଭଦ୍ରକ ଆରଡି ରାଜ୍ୟ ରାଜ୍ୟପଥର ସଂପ୍ରସାରଣ ସହ ମରାମତି ନିମନ୍ତେ ୪୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦୀର୍ଘ ୪ ମାସ ହେବ ବ୍ୟୟବରାଦ କରାଯାଇ ରାସ୍ତାର ଉଭୟ ପାଶ୍ୱର୍ରୁ ୫ ହଜାରରୁ ଉର୍ଦ୍ଧ୍ୱ ଛୋଟବଡ ଗଛ କଟାସରିଛି । ହେଲେ ଆଜିପର୍ଯ୍ୟନ୍ତ ରାସ୍ତାରେ ମୁଠାଏ ନାଲିମାଟି ପଡୁନଥିବାରୁ ଦିନକୁ ଦିନ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଏଣୁ ଆସନ୍ତା ଦୁଇଦିନ ମଧ୍ୟରେ ଏ ରାସ୍ତାର ମରାମତି ନହେଲେ ଅର୍ଣ୍ଣପାଳ, ଧୁଷୁରୀ, ବେତାଳିଗାଁ ଓ ସୁନ୍ଦରପୁର ଭଳି ଅଂଚଳର ଲୋକେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.