Home ଜିଲ୍ଲା ପରିକ୍ରମା ନିଜ ଜିଲା ସାଂସଦ ଭୁଲିଗଲେ, କୋରାପୁଟ ସାଂସଦ ଭଦ୍ରକ ମେଡିକାଲ କଲେଜ ପ୍ରସଙ୍ଗ ଉଠାଇଲେ

ନିଜ ଜିଲା ସାଂସଦ ଭୁଲିଗଲେ, କୋରାପୁଟ ସାଂସଦ ଭଦ୍ରକ ମେଡିକାଲ କଲେଜ ପ୍ରସଙ୍ଗ ଉଠାଇଲେ

54

ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ସଂସଦ ଅଧିବେଶନରେ କୋରାପୁଟ ସାଂସଦ ସପ୍ତଗିରୀ ଉଲାକା ଭଦ୍ରକ ସହିତ କେନ୍ଦ୍ରାପଡା ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ଭଦ୍ରକ ଅଥବା କେନ୍ଦ୍ରାପଡା ଜିଲାର ଲୋକ ନହୋଇ ମଧ୍ୟ ଓଡ଼ିଶାର ଜଣେ ଜନନେତା ଭାବେ ନିଜ ରାଜ୍ୟର ଲୋକଙ୍କ ସମସ୍ୟାକୁ ସଂସଦ ଭବନରେ ଯେଉଁଭଳି ଭାବେ ଉପସ୍ଥାପନ କରିଛନ୍ତି, ତାହା କେବଳ ପ୍ରଶଂସାଯୋଗ୍ୟ ତା ନୁହେଁ ପରନ୍ତୁ ପ୍ରେରଣାଦାୟକ ବୋଲି ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଲାଗି ପ୍ରୟାସ ଜାରି ରଖିଥିବା ମେଡିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏକ ପ୍ରେସ୍ ବିଜ୍ଞପ୍ତିରେ କ୍ରିୟାନୁଷ୍ଠାନ କମିଟି ସାଂସଦଙ୍କ ଏହି ସାଧୁ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିବା ସହିତ ତାଙ୍କର ଏହି ସାଧୁ ଉଦ୍ୟମ ପାଇଁ ତାଙ୍କ ନିକଟରେ ଜିଲାବାସୀ କୃତଜ୍ଞ ବୋଲି କହିଛନ୍ତି । କୋରାପୁଟ ସାଂସଦ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରୁଥିବାବେଳେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଆଜିକୁ ପ୍ରାୟ ୫୬ ବର୍ଷ ତଳେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ନିଖୋଜ ହୋଇ ପାକିସ୍ତାନ ଜେଲ୍‌ରେ ଯୁଦ୍ଧବନ୍ଦୀ ଥିବା କୁହାଯାଉଥିବା ଭଦ୍ରକ ଜିଲାର ଜଣେ ସିପାହୀ ଆନନ୍ଦ ପତ୍ରୀଙ୍କ ମୁକ୍ତି ନେଇ ସରକାରଙ୍କୁ ଅନୁରୋଧ କରିଥିଲେ । ଜିଲାର ସାଂସଦ ଭାବେ ନିଜ ଜିଲାର ଜଣେ ଯୁଦ୍ଧବନ୍ଦୀଙ୍କ ମୁକ୍ତି ନେଇ ସଂସଦରେ ସ୍ୱର ଉଠାଇବା କିଛି ଖରାପ କଥା ନୁହେଁ, ହେଲେ ଏହାର ପାଖଆଖ ୪ଟି ଜିଲାର ଅନ୍ୟୁନ ୩୦ ଲକ୍ଷ ଲୋକ ନିର୍ଭରଶୀଳ ଭଦ୍ରକ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗକୁ ଅଣଦେଖା କରିବା ଘଟଣା ଦୁର୍ଭାଗ୍ୟ ଜନକ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.