Home ଜିଲ୍ଲା ପରିକ୍ରମା ନାବାଳିକା ଅପହରଣକାରୀଙ୍କ ପ୍ରତି ପୁଲିସର ଅନୁକମ୍ପା ଅନଶନରେ ବସିବେ ପରିବାର ଲୋକେ

ନାବାଳିକା ଅପହରଣକାରୀଙ୍କ ପ୍ରତି ପୁଲିସର ଅନୁକମ୍ପା ଅନଶନରେ ବସିବେ ପରିବାର ଲୋକେ

129

ବାଲେଶ୍ୱର, ୧୬ା୬ (ଓଡ଼ିଆ ପୁଅ/ଅଭୟ ଦାସ): ଘରେ ପଶି ସାନଭଉଣୀକୁ ନିସ୍ତୁକ୍ ମାଡ଼ ମାରି ଆହତ ଅବସ୍ଥାରେ ପକାଇ ନାବାଳିକା ବଡ଼ଭଉଣୀକୁ ଜୋରଜବରଦସ୍ତ ଅପହରଣ କରିନେଇଥିବା ଅଭିଯୁକ୍ତମାନଙ୍କୁ ପ୍ରତି ସଦର ଥାନା ପୁଲିସର ସମ୍ବେଦନଶୀଳତାକୁ ନେଇ ତୀବ୍ର ଅସନ୍ତାଷ ପ୍ରକାଶ କରିଛନ୍ତି ପୀଡ଼ିତା ପରିବାର ଲୋକେ। ଏହିଭଳି ସ୍ପର୍ଶକାତର ଘଟଣା ଘଟିଛି ସଦର ଥାନା ଅନ୍ତର୍ଗତ ଅମ୍ବୁଲକୁଡ଼ା ଗ୍ରାମରେ। ଏହି ଗ୍ରାମର ଉପେନ୍ଦ୍ର ସେନାପତି ଓ ପତ୍ନୀ ଆରତୀ ସେନାପତି ଗତ ମେ ମାସ୧୪ ତାରିଖରେ କୌଣସି କାର୍ଯ୍ୟ ପାଇଁ ବାହାରକୁ ଯାଇଥିବା ବେଳେ ଘରେ ସେମାନଙ୍କ ଦୁଇ ନାବାଳିକ କନ୍ୟା ରହିଥିଲେ। ଏହି ସମୟରେ ସେହି ଗ୍ରାମର ବେଣୁଧର ମହାଳିକ, ପତ୍ନୀ ମଞ୍ଜୁଲତା ମହାଳିକ, ପୁଅ ସୁଶାନ୍ତ ମହାଳିକ, ସଂଜୀତ ମହାଳିକ ଓ ସନ୍ତୋଷ ମହାଳିକ ଉପେନ୍ଦ୍ର ସେନାପତିଙ୍କ ଘରେ ପହଞ୍ଚି ତାଙ୍କର ବଡ଼ଝିଅକୁ ନେଇଯିବାକୁ ଚେଷ୍ଟା କରିଥିଲେ। ଉଭୟ ଦୁଇଭଉଣୀ ଏହାର ପ୍ରତିବାଦ କରିଥିଲେ। ମାତ୍ର ଅପହରଣକାରୀମାନେ ବଡ଼ଝିଅକୁ ଜବରଦସ୍ତ ଟେକି ନେବା ସହିତ ସାନଝିଅ ଉର୍ମିକୁ ନିସ୍ତୁକ୍ ମାଡ଼ ମାରିଥିଲେ। ଏମିତିକ ସେମାନେ ଏକ ପଥରରେ ମାଡ଼ ମାରିବା ଯୋଗୁଁ ଉର୍ମିର ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ପରିବାର ଲୋକେ ଓ ପଡ଼ୋଶୀଙ୍କ ସହଯୋଗରେ ଉର୍ମିକୁ ଡାକ୍ତରଖାନାକୁ ନେଇଥିଲେ। ଏବେ ସେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ନାବାଳିକା କନ୍ୟାର ଅପହରଣ ନେଇ ଉପେନ୍ଦ୍ର ସେନାପତିଙ୍କ ପରିବାର ପକ୍ଷରୁ ହଳଦୀପଦା ଫାଣ୍ଡି ତଥା ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୁଲିସ ମାମଲା ରୁଜୁ କରିଥିଲେ ବି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ କିମ୍ବା ଅପହୃତା କନ୍ୟାର ଉଦ୍ଧାର ପାଇଁ କିଛି ପଦକ୍ଷେପ ନେଉ ନଥିବା ମାଆ ଆରତୀ ସେନାପତି କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏମିତିକି ଗତ ମେ ମାସ ୬ ତାରିଖରେ ବୈଶିଙ୍ଗା କଲେଜକୁ ଯିବା ବାଟରେ ତାଙ୍କ ଝିଅକୁ ସୁଶାନ୍ତ ମହାଳିକ ଜବରଦସ୍ତ ଉଠାଇ ନେଇଥଲା। ବୈଶିଙ୍ଗା ପୁଲିସର ତନାଘନା ପରେ ସୁଶାନ୍ତ ତାଙ୍କ ଝିଅକୁ ଛାଡ଼ି ଦେଇଥିଲା। ପୁଣି ଥରେ ଘରେ ପଶି ଅପହରଣ କରିଥିବା ଅଭିଯୁକ୍ତମାନେ ଗାଁରେ ବୁଲୁଥିବା ବେଳେ ସେମାନେ ଫେରାର ଥିବା କହି ପୁଲିସ କାଳକ୍ଷେପଣ ନୀତି ଅବଲମ୍ବନ କରୁଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ତେବେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଆଜି ଡାକ୍ତରଖାନାକୁ ଆସି ଚିକିତ୍ସିତ ହେଉଥିବା ଉପେନ୍ଦ୍ରଙ୍କ ସାନଝିଅ ଉର୍ମିର ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ ପୁଲିସର ସନ୍ଦେହପୂର୍ଣ୍ଣ କାର୍ଯ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ସେ ଏସପିଙ୍କୁ ଭେଟିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ସହ ତାଙ୍କ ଝିଅକୁ ଉଦ୍ଧାର ନକଲେ ସେମାନେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ଉପେନ୍ଦ୍ରଙ୍କ ପରିବାର ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.