Home ଓଡ଼ିଶା ନବୀନ ସାମ୍ରାଜ୍ୟ ହଡ଼ପ ପାଇଁ ପ୍ରସ୍ତୁତ ହେଉଛି ଏକ ସୁଚିନ୍ତିତ ଷଡ଼ଯନ୍ତ୍ର

ନବୀନ ସାମ୍ରାଜ୍ୟ ହଡ଼ପ ପାଇଁ ପ୍ରସ୍ତୁତ ହେଉଛି ଏକ ସୁଚିନ୍ତିତ ଷଡ଼ଯନ୍ତ୍ର

2190

ଭୁବନେଶ୍ୱର ୨୨-୧୦ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ବିଜେଡ଼ି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ କିଏ ବିଜେଡ଼ି ମଙ୍ଗ ଧରିବ ଅନେକ ଥର ଏ ଖବର ବିଭିନ୍ନ ଖବର କାଗଜର ପୃଷ୍ଠା ମଣ୍ଡନ କରି ଆସୁଛି। ଓଡ଼ିଶା ଜନ ସାଧାରଣ ମଧ୍ୟ ଏବେବି ଗୋଟିଏ ସ୍ପଷ୍ଟ ଚିତ୍ର ପାଇ ପାରୁନାହାଁନ୍ତିଯେ, ତାଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ପରେ କିଏ ଧରିବ ବିଜେଡ଼ି ମଙ୍ଗ। ଅନେକ ସମୟରେ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କ ନାମ ଏ ପଦବୀ ପାଇଁ ଚର୍ଚ୍ଚାକୁ ଆସୁଥିଲେ ମଧ୍ୟ କୌଣସି ନିର୍ଦ୍ଧିଷ୍ଟ ଉତ୍ତର ଓଡ଼ିଶାବାସୀ ପାଇପାରୁ ନାହାଁନ୍ତି। ୧୯୯୭ରେ ପ୍ରତିଷ୍ଠା ହୋଇଥିବା ବିଜୁ ଜନତା ଦଳର ସଭାପତି ଭାବେ ନବୀନ ପଟ୍ଟନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ଆସୁଛନ୍ତି। ତତ୍ ସହିତ ୨୦୦୦ ମସିହାରୁ ସେ ଲଗାତର ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ଓଡ଼ିଶାବାସୀ ତାଙ୍କୁ ନିର୍ବାଚିତ କରି ଆସୁଛନ୍ତି। ଲୋକପ୍ରିୟତାର ଶୀର୍ଷରେ ଥିବା ନବୀନ ପଟ୍ଟନାୟକଙ୍କ ପରେ ତାଙ୍କର ଉତ୍ତରାଧିକାରୀ କିଏ ଏହା ଓଡ଼ିଶାବାସୀଙ୍କ ପାଇଁ ଏକ ବିରାଟ ପ୍ରଶ୍ନବାଚୀ। ପାରିବାରିକ ଦୃଷ୍ଟିରୁ ଦେଖିବାକୁ ଗଲେ ନବୀନବାବୁ ଅବିବାହିତ। ଭାରତବର୍ଷରେ ଥିବା ଅନେକ ଆଞ୍ଚଳିକ ରାଜନୈତିକ ଦଳର ମୁଖ୍ୟ ଦୃଷ୍ଚିଭଙ୍ଗୀ ହେଲା ପାରିବାରିକ ରାଜନୀତି। କିନ୍ତୁ ସେହି ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ବିଜୁ ଜନତା ଦଳ ସମ୍ପୂର୍ଣ୍ଣ ଅଲଗା।

ଏବେ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି, ନବୀନ ପଟ୍ଟନାୟକଙ୍କ ସାମ୍ରାଜ୍ୟକୁ ହଡ଼ପ କରିବା ପାଇଁ ବିଜେଡ଼ିର ଗୋଟିଏ ଗୋଷ୍ଠି ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ପ୍ରସ୍ତୁତ କରୁଛନ୍ତି। ଏହି ଗୋଷ୍ଠିର ଚିନ୍ତାଧାରା ହେଲା ବୟସାଧିକ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ନବୀନ ପଟ୍ଟନାୟକ ଆଉ ଦୀର୍ଘଦିନ ନିଜକୁ ରାଜନୀତିରେ ଅବସ୍ଥାପିତ କରିପାରିବେ ନାହିଁ। ସେଥିପାଇଁ କିଛି ଯୁବ ବିଧାୟକ ଏବେ ବିଜେଡ଼ିକୁ ନିଜ କବଜାକୁ ନେବାପାଇଁ ଏକପ୍ରକାର ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହାର ପ୍ରାରମ୍ଭିକ କ୍ଷେତ୍ରକୁ ମଜଭୁତ କରିବା ପାଇଁ ଦଳରେ ଥିବା ଅନେକ ଅଭିଜ୍ଞ ଏବଂ ବରିଷ୍ଠ ନେତାମାନଙ୍କୁ ବାହାର କରିବାରେ ଏମାନେ ସକ୍ଷମ ହୋଇପାରିଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଆଉକିଛି ବରିଷ୍ଠ ନେତାଙ୍କୁ ଦଳୀୟ ଟିକେଟ ନଦେଇ ସେମାନଙ୍କୁ ଦଳରୁ ବିଦା କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ଯୋଜନା ଅନୁଯାୟୀ ୨୦୧୯ ନିର୍ବାଚନ ବେଳକୁ ଦଳରେ ପ୍ରାୟତଃ ବୁଦ୍ଧିଜୀବୀ ଏବଂ ଅଭିଜ୍ଞ ନେତା ରହିବେ ନାହିଁ। ସାଧାରଣ ନିର୍ବାଚନ ପରେ ଓଡ଼ିଶାରେ ବିଜେଡ଼ି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରୁଛନ୍ତି। ସେହି ଅନୁପାତରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ତେଣୁ ଏହି କୁଚକ୍ରୀ ଯୁବଗୋଷ୍ଠୀ ସେହିଦିନକୁ ଅପେକ୍ଷା କରିଛନ୍ତି ଯେଉଁଦିନ ସ୍ୱାସ୍ଥ୍ୟଗତ ସମସ୍ୟା ହେଉ କିମ୍ବା ବୟସାଧିକ କାରଣ ହେଉ ନବୀନ କ୍ଷମତାରୁ ଦୂରେଇଯିବେ। ତୁରନ୍ତ ଏହି ଯୁବ ଗୋଷ୍ଠି ମଧ୍ୟରୁ ଜଣେ ପ୍ରଭାବଶାଳୀ ବିଧାୟକ ମୁଖ୍ୟମନ୍ତ୍ରୀ ଆସନକୁ କରାୟତ କରିବା ପାଇଁ ପ୍ରସ୍ତୁତ ହେଉଛି ଷଡ଼ଯନ୍ତ୍ର। ଏହି ଯୁବ ବିଧାୟକ ବର୍ତ୍ତମାନ ପାୱାର କରିଡୋର କୁହାଯାଉଥିବା ତୃତୀୟ ମହଲାର ଅତ୍ୟନ୍ତ ବିଶ୍ୱସ୍ତ ଏବଂ ଦଳ ଭିତରେ ସେ ହେଉଛନ୍ତି ଦ୍ୱିତୀୟ କ୍ଷମତାଶାଳୀ ନେତା। ଉପକୂଳ ଅଞ୍ଚଳର ଏହି ବିଧାୟକ ଜଣକ ପୂର୍ବରୁ ନବୀନ କ୍ୟାବିନେଟରେ ମନ୍ତ୍ରୀ ରହିସାରିଛନ୍ତି। ଏହି ବିଧାୟକ ଏତେ କ୍ଷମତାଶାଳୀ ହେବା ପଛରେ ତୃତୀୟ ମହଲାର ପାୱାରଫୁଲ ବ୍ୟୁରୋକ୍ରାଟଙ୍କର ପ୍ରଚ୍ଛନ୍ନ ହାତ ରହିଛି। ଆଗାମୀ ଦିନରେ କ’ଣ ରାଜନୈତିକ ମୋଡ଼ ନେଉଛି ତାହା ଆକଳନ କରିବା କଷ୍ଟକର ପାଠ। ମାତ୍ର ବିଜିଡ଼ି ଭିତରେ ଏହି ସୁଚିନ୍ତିତ ଷଡ଼ଯନ୍ତ୍ର ବାବଦରେ ଅବଗତ ଥିଲେ ମଧ୍ୟ ବାହାରେ ପ୍ରକାଶ କରିବାକୁ କେହି ସାହସ ଜୁଟାଇ ପାରୁନାହାଁନ୍ତି। ସମସ୍ତଙ୍କର ଅପେକ୍ଷା ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଟିକେଟ ବଣ୍ଟନ। ଯଦି ଏହି ସୁଚିନ୍ତିତ ଷଡ଼ଯନ୍ତ୍ର ଅନୁଯାୟୀ ଟିକେଟ ବଣ୍ଟନ କରାଯାଏ ତେବେ ୨୦୧୯ ନିର୍ବାଚନ ପୂର୍ବରୁ ଏକ ବିଜେଡ଼ି ଦଳ ଭିତରେ ଏକ ବୃହତ ରାଜନୈତିକ ଅସ୍ଥିରତା ଦେଖାଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.