ପୁରୀ, ୦୬/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀ ଗୁଣ୍ଡିଚା ଆଧ୍ୟତ୍ମିକ ଟ୍ରଷ୍ଟ ପୁରୀ ଓଡ଼ିଶା ଆନୂକୁଲ୍ୟରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଠାରେ ଶ୍ରୀକ୍ଷେତ୍ର ପରିକ୍ରମା ଓ ଶ୍ରୀ ଜଗନ୍ନାଥ ଶୀର୍ଷକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଟ୍ରଷ୍ଟର ଉପାଧ୍ୟକ୍ଷ ବିନୋଦ କୁମାର ପଣ୍ଡା। ଉତ୍ସବ ପ୍ରାରମ୍ଭରେ ଟ୍ରଷ୍ଟର ସଂପାଦକ ଲକ୍ଷ୍ମୀକାନ୍ତ ପଟ୍ଟନାୟକ ଆଲୋଚନା ଚକ୍ରର ଆଭିମୁଖ୍ୟ ସଂମ୍ପର୍କରେ ବର୍ଣ୍ଣନା କରି କହିଲେ, ନକ୍ଷେତ୍ର ପୁରୁଷ ଉପାସନାରୁ କ୍ଷେତ୍ରର ନାମ ଶ୍ରୀକ୍ଷେତ୍ର। ନକ୍ଷେତ୍ର ପୁରୁଷ ରୂପେ କେଶବଙ୍କର ଉପସନା ଧାରାରୁ ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀ ପରମ୍ପରାର ଉଦଦ୍ଭାବ ତାହା ଶ୍ରୀକ୍ଷେତ୍ର ପରିକ୍ରମାର ଆଧାର ଅଟେ। ମାର୍କଣ୍ଡେଶ୍ୱର ବା ଐଶାନ୍ୟ କୋଣରୁ ଆରମ୍ଭ କରି ଶ୍ରୀ ଲୋକନାଥ ଆଦି ପଞ୍ଚମହାଦେବଙ୍କୁ ଦର୍ଶନ କରି ଅଗ୍ନିକୋଣ ଦେଇ ପଞ୍ଚତୀର୍ଥ ଓ ରୋହିଣୀ କୁଣ୍ଡର ଜଳ ମଥାରେ ଛିଞ୍ଚନ କରି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଭକ୍ତ ମୋକ୍ଷ ପ୍ରାପ୍ତି ହୁଏ। ଉଦ୍ଘାଟକ ଭାବେ ଦଇତାପତି ରଘୁନାଥ ଦାସ ମହାପାତ୍ର ଯୋଗ ଦେଇ କହିଲେ ଯେ, ମାଧବ ଉପାସନା ହିଁ ଶ୍ରୀକ୍ଷେତ୍ର ସଂସ୍କୃତିରେ ଏକ ଦାର୍ଶନୀକ ରହସ୍ୟ ଭାବେ ବିଦ୍ୟମାନ। ବୈଶାଖ ମାସ ହେଉଛି ମାଧବ ମାସ। କିନ୍ତୁ, ମାର୍ଗଶୀର ମାସରୁ ଏହି ଉପାସନାର ପରମ୍ପରା ଆରମ୍ଭ ହୋଇ କାର୍ତ୍ତିକ ମାସ ରାଇ ଦାମୋଦର ଉପାସନାରେ ଶେଷ ହୋଇଥାଏ। ମୁଖ୍ୟବକ୍ତ ଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫେସର ଡଃ ହରପ୍ରସାଦ ମିଶ୍ର କହିଲେ ଯେ, ସ୍କନ୍ଧ ପୁରାଣ, ବୈଷ୍ଣବ ଖଣ୍ଡ, କାର୍ତ୍ତିକ ମହାତ୍ମ୍ୟ ବର୍ଣ୍ଣନାରେ କାର୍ତ୍ତିକ ମାସକୁ ସର୍ବଶ୍ରେଷ୍ଠ ମାସ ବୋଲି କୁହାଯାଇଛି। ଏହି ମାସରେ ପଦ୍ମ ପୁରାଣ ବର୍ଣ୍ଣନା ଅନୁଯାୟୀ ଦୀପଦାନ କଲେ ଚତୁଃବର୍ଗ ଫଳ ପ୍ରାପ୍ତି ହୁଏ। ମୁଖ୍ୟ ଅତିଥି ଭାବେ ପ୍ରମେୟର ମୁଖ୍ୟ ବ୍ୟୁରୋ ଦେବେନ୍ଦ ସୁଆର ଯୋଗଦେଇ କହିଲେ ଉତ୍କଳୀୟ ଦର୍ଶନ ଓ ଶ୍ରୀଜଗନ୍ନାଥ ସଂସ୍କୃତି ସମଗ୍ର ଓଡ଼ିଶାର ଧର୍ମ ଦର୍ଶନ ଓ ସାମାଜିକ ଜୀବନଧାରାର ପ୍ରୟୋଗଶାଳା ଅଟେ। ସୂର୍ଯ୍ୟ ଉପାସନା ଏହାର ବୈଶିଷ୍ଟ୍ୟ ଥିବାରୁ କାର୍ତ୍ତିକ ମାସରେ ସାଧବା, ବିଧବା ରମଣୀ ମାନେ ମଙ୍ଗଳ କାମନା କରି ବ୍ରତ ପାଳନ କରି ଦୀପ ଜାଳିଥାନ୍ତି। ଅନ୍ୟମାନଙ୍କ ମଧ୍ୟରେ ବାବା ଲଲାଟେନ୍ଦୁ କେଶରୀ, ବିଜୟ ଲକ୍ଷ୍ମୀ ସାହୁ ମଞ୍ଚାଶୀନ ଥିଲେ। ଅଧ୍ୟାପକ ସର୍ବେଶ୍ୱର ଶଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ, ସ୍ୱାଗତ ଭାଷଣ ବୀଣାପାଣୀ ଚୋଧୀରୀ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଅଭିମନ୍ୟୁ ଭୁଇଆଁ, ଡଃ ରମାକାନ୍ତ କର, ଡଃ ଦେବାଶୀଷ ମହାନ୍ତି, ଡଃ ବଳରାମ ଦାସ, ହରେକୃଷ୍ଣ ପ୍ରଧନୀ, କୃଷ୍ଣଚନ୍ଦ୍ର ରଥ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ, ଟ୍ରଷ୍ଟର କାର୍ତ୍ତିକ ବିଶେଷାଙ୍କ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଶେଷରେ କ୍ରୀଷ୍ଣା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।