Home ଜିଲ୍ଲା ପରିକ୍ରମା ଧାମରା ବନ୍ଦର ଦଖଲରେ ଗୋଚର ଓ ଶ୍ମଶାନ ଜମି

ଧାମରା ବନ୍ଦର ଦଖଲରେ ଗୋଚର ଓ ଶ୍ମଶାନ ଜମି

103

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗାଁ ଗଣ୍ଡାରେ ଶବ ପୋତା ହେବା କି ପୋଡା ହେବା ପାଇଁ ଆଉ ଜାଗା ମିଳୁନି । ସରକାରୀ ଖାତାରେ ଥିବା ଶ୍ମଶାନ ଓ ଗୋଚର ଜମିକୁ ଧାମରା ବନ୍ଦର ଦଖଲ କରିନେଇଛି । ବନ୍ଦର ନିର୍ମାଣ ଆରମ୍ଭ ବେଳେ ୨୦୦୭-୦୮ ମସିହାରେ ବେସରକାରୀ ଜମି ସହ ସରକାରୀ ଜମି ବନ୍ଦର କର୍ତ୍ତୃପକ୍ଷ ଦଖଲ କରୁଥିବା ବେଳେ ଆବାହନ କାଳରୁ ଥିବା ଶ୍ମଶାନ ଜମି ମଧ୍ୟ ଦଖଲକୁ ନେଇ ଯାଇଥିଲା । ସେହିଦିନ ଠୁ ତିହିଡି ଚାନ୍ଦବାଲି ଓ ଭଦ୍ରକ ବ୍ଲକ୍‌ର ବାସିନ୍ଦାମାନେ ନେହୁରା ହେଉଥିଲେ ବନ୍ଦର କର୍ତ୍ତୃପକ୍ଷ ନେଇଥିବା ଶ୍ମଶାନ ଜମି ବଦଳରେ ଲୋକଙ୍କୁ ଜମି ଦେଉ । ଏହି ହାରି ଗୁହାରୀ ଆଜିଯାଏ ପାଳନ ହେଉନାହିଁ । ଅପରପକ୍ଷରେ ଏହି ୩ ତହସିଲର ସାଧାରଣ ଜନତାଙ୍କ କେତେକ ଓଡ଼ିଶା ହାଇକୋର୍ଟରେ ଆଶ୍ରୟ ନେଇଥିଲେ । ଲୋକଙ୍କ ଦୁଃଖ ଦେଖି ମାନ୍ୟବର କୋର୍ଟ ଯେଉଁ ଆଦେଶ ଦେଇଥିଲେ, ତାହା ଆଜିଯାଏ ସଂପୂର୍ଣ୍ଣ ପାଳନ ହୋଇପାରୁନି । ମାନ୍ୟବର ହାଇକୋର୍ଟ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କୁ ଧାମରା ବନ୍ଦର ମାଲିକ ଜବରଦଖଲ କରିଥିବା ଗୋଚର ଓ ଶ୍ମଶାନ ଜମିକୁ ତୁରନ୍ତ ଫେରାଇବା ପାଇଁ କଡା ନିର୍ଦ୍ଦେଶ ଦେଇଥିଲେ । ଧାମରା ବନ୍ଦର ପାଇଁ ଗୋଚର ଏବଂ ଶ୍ମଶାନ ଜମି ଅଧି୍‌ଗ୍ରହଣ କରି ଏବେ ଅଡୁଆରେ ପଡିଥିଲେ ସରକାର । ଏ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଗତ ଏକ ଜନସ୍ୱାର୍ଥ ମାମଲା ୨୦୭୯୬/୧୪ ର ବିଚାର କରି ମାନ୍ୟବର କୋର୍ଟ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କୁ ଉକ୍ତ ଜମିକୁ ତୁରନ୍ତ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବନ୍ଦର ପ୍ରତିଷ୍ଠା ବେଳେ ବନ୍ଦର କର୍ତ୍ତୃପକ୍ଷ ଚାନ୍ଦବାଲି ତହସିଲ ଅଧୀନସ୍ଥ ଦୋସିଙ୍ଗା ପଂଚାୟତରେ ଗ୍ରାମ ଜଂଗଲ, ଗ୍ରାମ ଜଳାଶୟ, ଶ୍ମଶାନ, ଗୋଚର ଏବଂ ଦେବାଳୟ ସକାଶେ ଉଦ୍ଦିଷ୍ଟ ଅନ୍ୟୁନ ୩୫ ଏକର ୩୪ ଡି. ଜମି ଜବରଦଖଲ କରିଥିଲେ । ସେଥିରୁ କେବଳ ଗୋଚର କିସମର ଏ୨୦.୩୧ ଡି. ଜମି ରହିଥିବାବେଳେ ୩୮ ଡି. ଶ୍ମଶାନ ଜମି ରହିଥିଲା । ପରେ ଜମି ବଦଳ ବ୍ୟବସ୍ଥାରେ ବନ୍ଦର କର୍ତ୍ତୃପକ୍ଷ ଏହି ପଂଚାୟତରେ ଏକ ସର୍ବସାଧାରଣ ଜମି ମଧ୍ୟରୁ ୭ ଡି. ଜମି ଗ୍ରାମ ଶ୍ମଶାନ ପାଇଁ ଛାଡି ଦେଇଥିଲେ ମଧ୍ୟ ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ଉପୁଜିଥିଲା । ଯାହାକୁ ନେଇ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା ।

ମାମଲାର ବିଚାର କରି ଉଚ୍ଚ ନ୍ୟାୟାଳୟ ସର୍ବସାଧାରଣ ଜାଗାରୁ ଶ୍ମଶାନ ହଟାଇ ନେବା ସହ ବନ୍ଦର କର୍ତ୍ତୃପକ୍ଷ ଦଖଲକୁ ନେଇଥିବା କମ୍ୟୁନାଲ ଜମି (ଗୋଚର, ଶ୍ମଶାନ, ଗ୍ରାମ ଜଂଗଲ, ଜଳାଶୟ ଏବଂ ଦେବାଳୟ ଆଦି ପାଇଁ ଉଦ୍ଦିଷ୍ଟ) ଫେରସ୍ତ କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କୁ ନୋଟିସ୍ ଜାରି କରିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଇ ବନ୍ଦର କର୍ତ୍ତୃପକ୍ଷ କେବଳ ଦୋସିଙ୍ଗା ଅଂଚଳରେ ଜମି ଫେରାଇ ଦେଇଥିବା ବେଳେ ତିହିଡି ଓ ଚାନ୍ଦବାଲି ତହସିଲ ଅଧୀନରେ ଅନେକ ଗାଁର ଏହି ସମସ୍ୟା ଏବେବି ବଳବତ୍ତର ରହିଛି । ସୂଚନାଯୋଗ୍ୟ ଯେ ବନ୍ଦର ପ୍ରତିଷ୍ଠା ସମୟରେ ଧାମରା ବନ୍ଦର କର୍ତ୍ତୃପକ୍ଷ ଭଦ୍ରକ, ତିହିଡି ଏବଂ ଚାନ୍ଦବାଲି ତହସିଲ ଅଧୀନରେ ଥିବା ୪୫ଟି ରାଜସ୍ୱ ଗ୍ରାମର ମୋଟ ୧୦୧ ଏକର ୨୫ ଡି. ଗୋଚର ଏବଂ ଶ୍ମଶାନ ଜମି ଅଧିଗ୍ରହଣ କରିଥିଲେ । ସେଥିରେ ଭଦ୍ରକ ତହସିଲର ୧୦ଟି ଗ୍ରାମରୁ ୧୧ ଏକର ୨ ଡି. ଜମି ଅଧିଗ୍ରହଣ କରିଥିବାବେଳେ ତିହିଡି ତହସିଲର ୧୪ ଟି ଗ୍ରାମରୁ ଏ୨୩.୭୩ ଡି. ଏବଂ ଚାନ୍ଦବାଲି ତହସିଲରୁ ସର୍ବାଧିକ ଏ୬୭.୫୦ ଡି. ଜମି ଅଧିଗ୍ରହଣ କରିଥିଲେ । ଯାହାକୁ ନେଇ ପ୍ରବଳ ଜନ ଅସନ୍ତୋଷ ଉପୁଜୁଛି । ୪୪ଟି ଗ୍ରାମରେ ଜମି ବଦଳ ଜରିଆରେ ଗୋଚର ଏବଂ ଶ୍ମଶାନ ଜମି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଚାନ୍ଦବାଲି ତହସିଲର ଅଧୀଗୃହିତ ଏ୬୬.୫୦ ଡି. ଜମି ପାଇଁ ଆରଓ (ରିକ୍ୟୁଜିସନ ଅଥରଟି) ଫାଇଲ୍ କରାଯାଉନଥିଲା । ଯାହାକୁ ନେଇ ସଂପୃକ୍ତ ଅଂଚଳରେ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଥିଲା । ଅନ୍ୟପକ୍ଷରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଜାରି ହେବାର ୨ ମାସ ଆଗରୁ ଅର୍ଥାତ୍ ଗତ ୨୭ ଜୁଲାଇ ୨୦୧୫ ରେ ଆରଓ (ଇଡକୋ କର୍ତ୍ତୃପକ୍ଷ) ପତ୍ରାଙ୍କ ନଂ ୯୨୨୩ ରେ ଦୋସିଙ୍ଗା ପଂଚାୟତରେ ଏ୩୫.୩୪ ଡି. ପରିମିତ ଲିଜେବଲ, କମ୍ୟୁନାଲ, ଗୋଚର, ଶ୍ମଶାନ ଓ ଜଂଗଲ ଜମି ଅଧିଗ୍ରହଣ ପାଇଁ ଫର୍ମ – ‘କ’ ରେ ନୋଟିଫିକେଶନ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅଦ୍ୟାବଧି ତାହା ତିହିଡି ଓ ଚାନ୍ଦବାଲି ତହସିଲ କାର୍ଯ୍ୟାଳୟରେ ପଡି ରହିଥିବା ଜଣାପଡିଛି । ଏଥିରେ କର୍ତ୍ତୃପକ୍ଷ ଏ୬.୪୮ ଡି. ଲିଜ୍ ଜମି, ଏ୨.୫୩ ଡି. କମ୍ୟୁନାଲ, ଏ୨୦.୩୧ ଡି. ଗୋଚର, ୩୮ ଡି. ଶ୍ମଶାନ ଏବଂ ଏ୫.୬୪ ଡି. ଜଂଗଲ ଜମି ପାଇଁ ‘କ’ ଧାରାରେ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.