Home ଜିଲ୍ଲା ପରିକ୍ରମା ଧାମନଗର-ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚନେଇ ସମୟ ଗଡ଼ାଉଛନ୍ତି ଶିକ୍ଷାଧିକାରୀ

ଧାମନଗର-ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚନେଇ ସମୟ ଗଡ଼ାଉଛନ୍ତି ଶିକ୍ଷାଧିକାରୀ

30

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନ ସରକାରୀ ଓ ଅନୁଦାନ ପ୍ରାପ୍ତ ସ୍କୁଲରେ ପାଠ ପଢାଉଛନ୍ତି ବହୁ ନକଲି ଶିକ୍ଷକ । ଆଶ୍ଚର୍ଯ୍ୟର କଥା ହେଉଛି ନକଲି ଶିକ୍ଷକଙ୍କୁ ଚିହ୍ନଟ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ ମଧ୍ୟ ବିଭିନ୍ନ ଜିଲ୍ଳା ଓ ବ୍ଲକର ଶିକ୍ଷାଧିକାରୀ ମାନେ ରିପୋର୍ଟ ଦେଉନାହାନ୍ତି । ଏହାକୁ ନେଇ କୋର୍ଟ ପୁଣି ଭର୍ତ୍ସନା କରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଏଲିମେଂଟାରୀ ଶିକ୍ଷା ନିର୍ଦ୍ଦେଶାଳୟ । ବିଭିନ୍ନ ବିଦ୍ୟାଳୟରେ ମାଳ ମାଳ ନକଲି ଶିକ୍ଷକ କାର୍ଯ୍ୟ କରୁଛନ୍ତି । ଆଉ ବିପଦରେ ପଡ଼ୁଛି ପିଲାଙ୍କ ଭବିଷ୍ୟତ । ବର୍ଷ ବର୍ଷ ଧରି ଏମାନେ ଶିକ୍ଷକତା କରୁଛନ୍ତି ତା’ ପୁଣି ଜାଲ ଶିକ୍ଷାଗତ ପ୍ରମାଣପତ୍ର ଦେଇ । ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁହେବାପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି । ମାତ୍ର ମାସ ମାସ ବିତିଯାଇଥିଲେ ସୁଦ୍ଧା ଏମାନଙ୍କୁ ଚିହ୍ନଟ କରିପାରୁନାହାନ୍ତି ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀ । ତେବେ ଏଠି ପ୍ରଶ୍ନ ଉଠୁଛି ଏଭଳି ନକଲି ଶିକ୍ଷକଙ୍କୁ ଶିକ୍ଷାଧିକାରୀ ମାନେ ସୁରକ୍ଷା ଦେଉଛନ୍ତି କାହିଁକି? ଏନେଇ ରାଜ୍ୟ ସରକାରଙ୍କୁ ପୁଣିଥରେ ଭର୍ତ୍ସନା କରିଛନ୍ତି ମାନ୍ୟବର ହାଇକୋର୍ଟ । ତେବେ କୋର୍ଟଙ୍କ ଛାଟପରେ ଏଲିମେଂଟାରୀ ଶିକ୍ଷା ନିର୍ଦ୍ଦେଶାଳୟ ଖୋର୍ଦ୍ଦା, କଟକ, ସମ୍ବଲପୁର, ଭଦ୍ରକ ସମେତ ୨୩ଟି ଜିଲ୍ଳା ଶିକ୍ଷାଧିକାରୀଙ୍କୁ ତାଗିଦ୍ କରି ଚିଠି ଲେଖିଛନ୍ତି ।

ଯେଉଁ ଅଧିକାରୀମାନେ ନକଲି ଶିକ୍ଷକ ଚିହ୍ନଟ ପ୍ରକ୍ରିୟାରେ ବିଳମ୍ବ କରୁଛନ୍ତି ବା ରିପୋର୍ଟ ଦେଉନାହାନ୍ତି ସେସବୁ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବବୋଲି କୁହାଯାଇଛି । ନକଲି ରେସିଡ଼େଂଟ ସାଟିଫିକେଟ, ନକଲି ଜାତିଗତ ପ୍ରମାଣପତ୍ର ଓ ଶିକ୍ଷାଗତ ଯୋଗ୍ୟତାର ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଛନ୍ତି ବହୁ ଶିକ୍ଷକ । ତେବେ ନିଯୁକ୍ତି ସମୟରେ ଓ ଯାଂଚ ବେଳେ ଏହା କିଭଳି କର୍ତୃପକ୍ଷଙ୍କ ନଜରକୁ ଆସିଲା ନାହିଁ ଏହା ସବୁଠୁ ବଡ଼ ପ୍ରଶ୍ନ । ବିଭାଗୀୟ ଅଧିକାରୀଙ୍କ ସଲା ସୁତୁରାରେ ଏଭଳି ନିୟମିତ ଚାଲି ନାହିଁତ । ଅଯୋଗ୍ୟ ଶିକ୍ଷକଙ୍କ ଠାରୁ ପିଲା କ’ଣ ଶିଖିବେବୋଲି ପଚାରିଛନ୍ତି ଅବିଭାବକ । ତେବେ ଗଣଶିକ୍ଷା ମନ୍ତ୍ରୀ ନକଲି ଶିକ୍ଷକ ଚିହ୍ନଟରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ହେବବୋଲି ଆଶ୍ୱାସନା ଦେଇଛନ୍ତି । ଶିକ୍ଷାର ମାନ ବଢାଇବା ଓ ଗୁଣାତ୍ମକ ଶିକ୍ଷା ଲାଗି ରାଜ୍ୟ ସରକାର ପରୀକ୍ଷା ମାଧ୍ୟମରେ ଶିକ୍ଷକ ନିଯୁକ୍ତି ଦେଉଛନ୍ତି । ଏହା ସତ୍ୱେବି ବହୁ ସଂଖ୍ୟାରେ ନକଲି ଶିକ୍ଷକଙ୍କ ଉପସ୍ଥିତି ଚିନ୍ତା ବଢାଉଛି । ଧାମନଗର ଗୋଷ୍ଠୀ ଶିକ୍ଷାଧିକାରୀ ଏ ସମ୍ପର୍କରେ ଜାଣି ଅଜଣା ହେଉଛନ୍ତି । ଦୀର୍ଘଦିନ ଧରି ଧାମନଗର ମଣ୍ଡଳ ଶିକ୍ଷାବିଭାଗ ଅଧିନରେ ଥିବା ଶିକ୍ଷକ ମାନଙ୍କ ପ୍ରମାଣପତ୍ର ଯାଂଚ କାର୍ଯ୍ୟ ସରୁନାହିଁ । ବାରମ୍ବାର ବଦଳୁଛି ଯାଂଚ ତାରିଖ । ଏପରିକି କିଛି ଶିକ୍ଷକ ନିଜ ସାର୍ଟିଫିକେଟ ନିଜେ ଯାଂଚ କରୁଥିବା ଜଣାଯାଇଛି । ଏଥିରୁ ଯାଂଚ ପ୍ରକ୍ରିୟାରେ କେତେ ସ୍ୱଚ୍ଛତା ରହୁଛି ତାହା ସହଜରେ ଅନୁମେୟ । ତେବେ ବହୁ ନକଲି ଶିକ୍ଷକଙ୍କ ପ୍ରମାଣପତ୍ର ଯାଂଚପରେ ସେମାନଙ୍କ ପ୍ରତି କୋହଳ ମନବୃତି ପୋଷଣ କରିବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଏବଂ ଯାଂଚ ପ୍ରକ୍ରିୟାରେ ମନ୍ଥରତା ନେଇ ଧାମନଗର ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ଦେହ ଘେରରେ ରହୁଥିବା ନେଇ ବୁଦ୍ଧିଜୀବୀ ମହଲରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.