Home ଜିଲ୍ଲା ପରିକ୍ରମା କାଗଜ କଲମରେ ସୀମିତ ଆବାସ, ବଣୁଆଙ୍କୁ ଆବାସ କେବେ ମିଳିବ!

କାଗଜ କଲମରେ ସୀମିତ ଆବାସ, ବଣୁଆଙ୍କୁ ଆବାସ କେବେ ମିଳିବ!

37

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭାଗୀୟ ଅଧିକାରୀମାନେ ସରକାରଙ୍କ ନିର୍ଦ୍ଦେଶାନୁସାରେ କାର୍ଯ୍ୟ କରୁନଥିବାରୁ ପ୍ରକୃତ ହିତାଧିକାରୀ ସରକାରୀ ଯୋଜନା ପାଇବାରୁ ବଂଚିତ ହେଉଥିବା ଜଣାପଡ଼ିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋପିନାଥପୁର ପଂଚାୟତରେ । ଉକ୍ତ ପଂଚାୟତ ଅନ୍ତର୍ଗତ ତାଜିପୁର ଗ୍ରାମ ଆଦିବାସୀ ସାହିରେ ବଣୁଆଙ୍କ ଘର । ବଣୁଆ ମୁଣ୍ଡା ଜଣେ ଜନଜାତି ସଂପ୍ରଦାୟର ବ୍ୟକ୍ତି ହେବା ସହ ଅତ୍ୟନ୍ତ ଗରୀବ ଶ୍ରେଣୀୟ ବ୍ୟକ୍ତି ଅଟନ୍ତି । ୩ ପୁଅ ଓ ସ୍ତ୍ରୀଙ୍କୁ ନେଇ ତାଙ୍କ ସଂସାର । ସେ ଦିନମଜୁରିଆ ହିସାବରେ କାର୍ଯ୍ୟକରି ସେଥିରେ ତାଙ୍କ ପରିବାର ଚଳାଇଥାନ୍ତି । ପ୍ରତିଦିନ ଦୁଇ ମୁଠା ପେଟ ପୁରା ଦାନା ମିଳିବା ତାଙ୍କ ପରିବାର ପକ୍ଷେ ସମ୍ଭବପର ହୋଇପାରେ ନାହିଁ । ନୂଆଣିଆ ଚାଳଘରକୁ ପ୍ରତିବର୍ଷ ଛାଉଣି କରିପାରୁ ନଥିବାରୁ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର କିରଣ ଘର ଭିତରକୁ ପଡ଼ିଥାଏ । ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ପଲିଥିନ ଖଣ୍ଡମାନ ଛପର ସାରା ଭର୍ତ୍ତି । ରେସନ କାର୍ଡ଼ ମାଧ୍ୟମରେ କେବଳ ସରକାରୀ ସହାୟତା ତାଙ୍କ ପାଇଁ ସୀମିତ । ସେ ଆବାସ ଟିଏ ପାଇବା ପାଇଁ ବ୍ଲକ୍ କୁ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି ଅଥଚ ଏହା ତାଙ୍କ ଭାଗ୍ୟରେ ଆଜିଯାଏ ଜୁଟି ପାରି ନାହିଁ । ସୂଚନା ଅନୁଯାୟୀ;୨୦୨୦-୨୧ଆର୍ଥିକ ବର୍ଷରେ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରକାଶିତ ହିତାଧିକାରୀ ତାଲିକାରେ ବଣୁଆଙ୍କ କ୍ରମିକ ସଂଖ୍ୟା ୪୭ ଏବଂ ଅଗ୍ରାଧିକାର ଭିତ୍ତିରେ ମିଳିଥିବା କ୍ରମିକ ସଂଖ୍ୟା ୯ଥିବାବେଳେ ତାଙ୍କ ଆଇଡ଼ି ନଂ୨୫୩୩୧୮୭ ଥିଲା ।

ସେ ସବୁ ଦୃଷ୍ଟି କୋଣରୁ ଆବାସ ପାଇବାକୁ ଯୋଗ୍ୟ ଥିବାବେଳେ ପରବର୍ତ୍ତି ମୁହୁର୍ତ୍ତରେ ତାଙ୍କୁ ଭୂମିହିନ ଦର୍ଶାଇ ଏଥିରୁ ବଂଚିତ କରାଯାଇଥିଲା । କିନ୍ତୁ ପ୍ରକୃତପକ୍ଷେ ବଣୁଆ ଜଣେ ପଟ୍ଟାଧାରୀ ହିତାଧିକାରୀ, ସରକାରଙ୍କ ତରଫରୁ ମିଳିଥିବା ପଟ୍ଟା ଅନୁଯାୟୀ ବଣୁଆଙ୍କ ଖତିୟାନ ନଂ୨୬୩/୬୮ ଥିବା ଜଣାପଡ଼ିଛି । ଏହି ଖବର ଗତ ଜୁଲାଇ ମାସରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇ ବଣୁଆ ମୁଣ୍ଡା ପ୍ରକୃତରେ ଗୃହ ପାଇବାକୁ ଯୋଗ୍ୟ ଏବଂ ଭୁଲବଶତଃ ତାଙ୍କ ନାମ ପିଡ଼ବ୍ଲ୍ୟଏଲ କିମ୍ବା ହିତାଧିକାରୀ ତାଲିକାରୁ କଟିଯାଇଥିଲା ଏବଂ ତାଙ୍କୁ ଖୁବଶୀଘ୍ର ଘର ମିଳିବାର ସବୁ ବନ୍ଦୋବସ୍ତ କରାଯାଇଥିବାର ସୂଚନା ଜିଲ୍ଲାପାଳଙ୍କ ଟ୍ୱିଟର ପେଜରୁ ଜଣାପଡ଼ିଥିଲା । ଉକ୍ତ ଘଟଣାକୁ ଇତି ମଧ୍ୟରେ ୪ମାସ ବିତିଯାଇଥିଲେ ସୁଦ୍ଧା ବଣୁଆଙ୍କୁ ଆବାସ ମିଳିବାର ପ୍ରକ୍ରିୟା କେବଳ କାଗଜ କଲମରେ ସିମିତ ରହିଯାଇଥିବା ଜଣା ପଡ଼ିଛି । ସରକାରୀ ସ୍ତରରେ ସେ କେବେ ଏହି ଯୋଜନାରେ ଉପକୃତ ହେବେ ତାହା ସ୍ପଷ୍ଟ ହୋଇ ନପାରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ତେଣୁ ବଣୁଆ କେବେ ଏହି ଯୋଜନାରେ ଅର୍ନ୍ତଭୂକ୍ତ ହେବେ ତାହା ବିଭାଗୀୟ ଅଧିକାରୀ ସ୍ପଷ୍ଟ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.