Home ଜିଲ୍ଲା ପରିକ୍ରମା ଧାମନଗର ବିଜ୍ଞାପିତ ଅଂଚଳରେ ଠିପି ଖୋଲା ମଦ ଦୋକାନ ଖୋଲିବା ପ୍ରସଙ୍ଗ, ବିପକ୍ଷଙ୍କ ଦାବୀପତ୍ର ପରେ...

ଧାମନଗର ବିଜ୍ଞାପିତ ଅଂଚଳରେ ଠିପି ଖୋଲା ମଦ ଦୋକାନ ଖୋଲିବା ପ୍ରସଙ୍ଗ, ବିପକ୍ଷଙ୍କ ଦାବୀପତ୍ର ପରେ ସପକ୍ଷବାଦୀଙ୍କୁ ନେଇ ମଦ ବ୍ୟବସାୟୀ ଭ୍ରାତାଙ୍କ ଅଭିନବ ଫାର୍ସ

47

ଭଦ୍ରକ, ୩ । ୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାରୁ ଧାମନଗର ବିଜ୍ଞାପିତ ଅଂଚଳରେ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ଏକ ନୂତନ ଠିପିଖୋଲା ମଦ ଦୋକାନ ଖୋଲିବା କୁ ନେଇ କେତେକ ବିରୁଦ୍ଧବାଦୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ଚାଲିଥିବା ଫାର୍ସ ଜିଲା ଅବକାରୀ ବିଭାଗ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏଠାରେ ସୂଚନାଯୋଗ୍ୟ ଏହି ମଦ ଦୋକାନଟିକୁ ସେଠାରେ ନଖୋଲିବା ନେଇ ସ୍ଥାନୀୟ ଅଂଚଳର ବିଭିନ୍ନ ବର୍ଗର ବହୁ ବ୍ୟକ୍ତି ଜିଲାପାଳଙ୍କ ନିକଟରେ କିଛିଦିନ ତଳେ ଅଭିଯୋଗ କରିବା ସହ ଆନ୍ଦୋଳନ ଚେତାବନୀ ଦେଇଥିଲେ । ସେତେବେଳେ ଏହି ବ୍ୟକ୍ତିମାନଙ୍କ ଅଭିଯୋଗ ପତ୍ରରୁ ଯାହା ଜଣାଯାଇଥିଲା ସ୍ଥାନୀୟ ଜନସାଧାରଣଙ୍କ ଦୀର୍ଘଦିନର ଦାବିକୁ ସମ୍ମାନ ଜଣାଇ ସରକାର ବିଜ୍ଞାପିତ ଅଂଚଳର ମାନ୍ୟତା ଦେଇ ନବଗଠିତ ବିଜ୍ଞାପିତ ଅଂଚଳ ପରିଷଦରେ ଅଦ୍ୟାବଧି ନିର୍ବାଚିତ ବୋର୍ଡ ଗଠନ ନହୋଇ ସରକାରୀ ସ୍ତରରେ କିଛି ବିକାଶ ମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି । ମାତ୍ର ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଲୋକେ ଜାଣିବାକୁ ପାଇଥିଲେ ଯେ ଏହି ବିଜ୍ଞାପିତ ଅଂଚଳର ରା’ ପିତା ଠାରେ ଉକ୍ତ ମଦ ଦୋକାନ ହେବା ନେଇ କିଛି ବ୍ୟକ୍ତିବିଶେଷ ଏକ ଜମିକୁ ଲିଜ୍ ସୂତ୍ରେ ନେଇ ଦରଖାସ୍ତ ଆହ୍ୱାନ କରିଛନ୍ତି । ଯାହା ଧାମନଗର ଭଳି ଏକ ସଂଗ୍ରାମୀ ଭୂମିର ସ୍ୱାଭିମାନୀ ଜନତାଙ୍କ ପାଇଁ ସରକାରଙ୍କର ଉପହାସ ମନେହୁଏ ।

ଉକ୍ତ ପ୍ରସ୍ତାବଟି ସ୍ଥାନଟି ଧାମନଗର-ଚୂଡାକୁଟୀ ପିଡବ୍ଲ୍ୟୁ ରାସ୍ତାର ଐତିହାସିକ ପୋଖରୀ ରା’ ପିତା ନିକଟବର୍ତ୍ତୀ ଅଟେ । । ଏହାର ଦୁଇଶହ ମିଟର ଦୂରରେ ଏକ ଗୁରୁକୁଳ ଶିକ୍ଷାଶ୍ରମ ରହିଛି । ଶହେ ମିଟର ଦୂରରେ ହିନ୍ଦୁଧର୍ମାବଲମ୍ବୀ ଲୋକଙ୍କର ଏକ ଗୌଡିୟ ମଠ ଓ ମନ୍ଦିର ମଧ୍ୟ ଅଛି । ଏତଦବ୍ୟତୀତ ଏହି ସ୍ଥାନଟି ଜନବସତି ପାଇଁ ଉପଯୁକ୍ତ ହୋଇଥିବାରୁ ଅନେକ ଲୋକ ଏଠାରେ ଜମି କିଣି ଗୃହ ନିର୍ମାଣ କରିଛନ୍ତି । ଅନୁରୂପ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ଏଠାରେ ବର୍ଜ୍ୟବସ୍ତୁ ପାଇଁ ଏକ ପ୍ଲାଣ୍ଟ ସହ ଧାମନଗରକୁ ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଯୋଗାଇଦେବା ଲକ୍ଷ୍ୟରେ ଉଚ୍ଚ କ୍ଷମତାସଂପନ୍ନ ଇଲେକ୍ଟ୍ରି ଷ୍ଟ୍ରକଚରର ମଧ୍ୟ ନିର୍ମାଣ ସରିଛି । ଏଥିସହ ଏହି ରାସ୍ତାଟି ଭଦ୍ରକ ଯିବା କ୍ଷେତ୍ରରେ କମ୍ ଦୂରତା ସଂପନ୍ନ ଥାଇ ଦୁର୍ଘଟଣା ପ୍ରବଣ ୧୬ ନଂ ଜାତୀୟ ରାଜପଥ ଠାରୁ ଅଧିକ ସୁରକ୍ଷିତ ଅଟେ । ଏହି ରାସ୍ତା ଦେଇ ସ୍ଥାନୀୟ ୫/୬ ଟି ପଂଚାୟତର ଛାତ୍ର/ଛାତ୍ରୀ ଧାମନଗର କଲେଜ ଯିବାକୁ ଶ୍ରେୟ ମଣିଥାନ୍ତି । ଏଣୁ ଉକ୍ତ ମଦ ଦୋକାନଟି ଏଠାରେ ଖୋଲାଗଲେ ନିଶ୍ଚିତ ଭାବେ ଅସାମାଜିକଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ସରକାର ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ବ୍ୟକ୍ତିଗତ ସ୍ୱାର୍ଥକୁ ଗୁରୁତ୍ୱ ନଦେଇ ସମୂହ ସ୍ୱାର୍ଥ ପ୍ରତି ସମ୍ବେଦନଶୀଳ ହେଲେ ସମଗ୍ର ଅଂଚଳର ସ୍ୱାଭିମାନ ରକ୍ଷା ହେବ ବୋଲି ଦର୍ଶାଇ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଉକ୍ତ ସ୍ଥାନରେ ମଦ ଦୋକାନଟିର ଖୋଲାଯିବା ପ୍ରସ୍ତାବ ରଦ୍ଦ ନହେଲେ ବ୍ୟାପକ ଜନଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଗଣମାଧ୍ୟମ ଜରିଆରେ ପ୍ରଶାସନକୁ ଚେତାବନୀ ଦେଇଥିଲେ । ଏହିଭଳି କିଛି ମହିଳା ସ୍ୱୟଂ ସହାୟିକାଗୋଷ୍ଠୀଙ୍କ ସହ ବହୁ ମହିଳା ମଧ୍ୟ ଏହି ମଦ ଦୋକାନ ଖୋଲା ନହେବା ନେଇ ଜିଲାପାଳଙ୍କୁ ଭେଟିଥିଲେ । କିନ୍ତୁ ଇତିମଧ୍ୟରେ ପ୍ରସ୍ତାବିତ ମଦ ଦୋକାନଟି ରା’ ପିତା ଠାରୁ ଉଠିଯିବା ଭୟରେ ଲିଜ୍ ସୂତ୍ରେ ଦରଖାସ୍ତ ଆହ୍ୱାନ କରିଥିବା ମଦ ବ୍ୟବସାୟୀ ଜଣକ ଆଜି କେତେକ ମହିଳାଙ୍କୁ ଟଙ୍କାଦେଇ ଭଡାସୂତ୍ରରେ ଆଣି ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା ଓ ବିକ୍ଷୋଭ କରିବାର ରହସ୍ୟ ପଦାରେ ପଡିଛି ।

ବିଶେଷକରି ଆଜି ସଂପୃକ୍ତ ମଦ ବ୍ୟବସାୟୀର ଭାଇ ଏକ ମୋବାଇଲ୍‌ରେ ସମସ୍ତ ଶୋଭାଯାତ୍ରା ଓ ବିକ୍ଷୋଭର ଭିଡିଓ ଉତ୍ତୋଳନ ପୂର୍ବକ ଜିଲା ପ୍ରଶାସନ ଓ ଅବକାରୀ ଅଧୀକ୍ଷକ ଗୌତମ ସାହୁଙ୍କୁ ଦାବିପତ୍ର ଦେବା ପରେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ବାହାରେ ଡାକୁଛନ୍ତି ବୋଲି ମିଥ୍ୟା କଥା କହିବା ଘଟଣାକୁ ଅଧୀକ୍ଷକ ଶ୍ରୀ ସାହୁ ହୃଦୟଙ୍ଗମ କରି ମନା କରି ଦେଇଥିଲେ । ଯାହାର ଦୃଶ୍ୟ ସେଠାରେ ଉପସ୍ଥିତ ଥିବା ଦୁଇଜଣ ଗଣମାଧ୍ୟମ ପ୍ରତିନିଧି ମୋବାଇଲ୍‌ରେ ଉତ୍ତୋଳନ କରିଥିଲେ । ପରବର୍ତ୍ତୀ ସମୟରେ ସଂପୃକ୍ତ ଯୁବକ ଆସିଥିବା ମହିଳା ଓ ଅନ୍ୟ ବ୍ୟକ୍ତିବିଶେଷଙ୍କୁ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ବାହାରେ ଟଙ୍କା ବାଣ୍ଟିବାର ଦୃଶ୍ୟ ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ କ୍ୟାମେରାରେ କଏଦ ହୋଇଥିଲା । ଏଣୁ ଏଭଳି ଘଟଣା ସଂପର୍କରେ ଜିଲା ପ୍ରଶାସନ ତଦନ୍ତ ପୂର୍ବକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି । ଏବଂ ଉକ୍ତ ସ୍ଥାନରୁ ମଦ ଦୋକାନଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାର ଦାବିକୁ ସମ୍ମାନ ଦେବାପାଇଁ ବୁଦ୍ଧିଜୀବୀମାନେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.