Home ଜିଲ୍ଲା ପରିକ୍ରମା ଧାମନଗର ପଂଚାୟତ ସମିତି ବୈଠକ:ହଟଗୋଳରୁ ଆରମ୍ଭ ଚେୟାର ଭଙ୍ଗାରୁଜାରେ ଶେଷ

ଧାମନଗର ପଂଚାୟତ ସମିତି ବୈଠକ:ହଟଗୋଳରୁ ଆରମ୍ଭ ଚେୟାର ଭଙ୍ଗାରୁଜାରେ ଶେଷ

33

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଧାମନଗର ପଂଚାୟତ ସମିତିର ବୈଠକ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ସ୍ଥାନୀୟ ବିଧାୟକ ବିଷ୍ଣୁ ସେଠୀ, ବିଡିଓ ଦୁର୍ଗାଚରଣ ମୁର୍ମୁ, ସାଂସଦ ପ୍ରତିନିଧି ବିନୋଦ ନାୟକ, ପଂଚାୟତ ସମିତି ଉପାଧ୍ୟକ୍ଷା ବିଳାସିନୀ ଘୋଷ, ଜିଲା ପରିଷଦ ସଦସ୍ୟ ସୁରଥ ସେଠୀ ଓ ମନୋଜ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଜିପିଓ ମାନସରଂଜନ ଜେନା ପୂର୍ବ ବୈଠକର ବିବରଣୀ ଆରମ୍ଭ କରିବା ପୂର୍ବରୁ ସଦସ୍ୟ ମାନେ ସଭାଗୃହର ମଧ୍ୟ ଭାଗକୁ ଆସି ହଟଗୋଳ କରିଥିଲେ । ୬ଟି ପଂଚାୟତକୁ ବ୍ଲକ ପକ୍ଷରୁ ସିଏଫସି ଅର୍ଥ ଦିଆଯାଇନଥିବାରୁ ଏହାକୁ ନେଇ ପ୍ରଥମେ ସାହସପୁର ସରପଂଚ ଅନିରୁଦ୍ଧ ସାହୁ କହିବା ସହିତ କ୍ଷୋଭ ପ୍ରକାଶ କରିଥିଲେ । ଏହାକୁ ସମର୍ଥନ କରି ଅନ୍ୟ ସଦସ୍ୟ ଯଥା ଅସୁରାଳି ସରପଂଚ ରାଜେନ୍ଦ୍ର ସାହୁ, କୋଠାର ସରପଂଚ ନିମାଇଁ ନାୟକ, ଦଇପୁର ସରପଂଚ ରାଜୀବ ନାୟକ, ଚୁଡାକୁଟୀ ସରପଂଚ ସବିତା ବେହେରା, କଲ୍ୟାଣୀ ସରପଂଚ ରୀତାରାଣୀ ଜେନା, ଦଳାଙ୍ଗ ସରପଂଚ ବୀରେନ୍ଦ୍ର ବାରିକ, ଗୋବିନ୍ଦପୁର ସରପଂଚ ଜୟନ୍ତୀ ନାୟକ ମାନେ ହଟଗୋଳ କରିଥିଲେ । ଏପରିକି ଏହି ସିଏଫସି ଅର୍ଥକୁ ନେଇ ବିଗତ ଦିନରେ ବ୍ଲକ ସମ୍ମୁଖରେ ସଦସ୍ୟ ମାନେ ଧାରଣାରେ ବସିଥିଲେ । ସେତେ ବେଳେ ଘଟଣାସ୍ଥଳେ ଜିଲା ପ୍ରଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ବିଡିଓ ଦୁର୍ଗାଚରଣ ମୁର୍ମୁ ସପ୍ତାହ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା । ହେଲେ ଦୀର୍ଘ ମାସ ବିତିଯାଇଥିଲେ ବି ଆଜି ପର୍ଯ୍ୟନ୍ତ ସେସବୁ ପଂଚାୟତକୁ ଏହି ଅର୍ଥ ପ୍ରଦାନ କରାଯାଉନାହିଁ ବୋଲି ସଦସ୍ୟମାନେ ଦାବି କରି ତୁମୁଳ କାଣ୍ଡ ଭିଆଇଥିଲେ । ଏପରିକି କୌଣସି ଆଲୋଚନା ନହୋଇପାରିବାରୁ କେତେକ ସଦସ୍ୟ ଗୃହରେ ଥିବା ଚେୟାର ଭଙ୍ଗାରୁଜା କରିଥିଲେ । ବରିଷ୍ଠ ସମିତିସଭ୍ୟ ପ୍ରଦୀପ ମଲ୍ଲିକ, ହରେକୃଷ୍ଣ ପାଢୀ, ସଂଜିବ ଜେନା, ମାନସ ବାରିକ ପ୍ରମୁଖ ସଦସ୍ୟ ମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ଶେଷରେ ବୈଠକ ହୋଇନପାରିବାରୁ ଅନ୍ୟ ସଦସ୍ୟମାନେ ନିରାଶରେ ଫେରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.