Home ଜିଲ୍ଲା ପରିକ୍ରମା ଧାମନଗର ନିର୍ବାଚନ ମଣ୍ଡଳୀ ପାଇଁ ଡାକ୍ତର ସଞ୍ଜୟ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ରାଜନୈତିକ...

ଧାମନଗର ନିର୍ବାଚନ ମଣ୍ଡଳୀ ପାଇଁ ଡାକ୍ତର ସଞ୍ଜୟ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ରାଜନୈତିକ ଚର୍ଚ୍ଚା ଆରମ୍ଭ

54

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଧାମନଗର ନିର୍ବାଚନ ମଣ୍ଡଳୀ ପାଇଁ ଡାକ୍ତର ସଞ୍ଜୟ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଜେପି କବ୍‌ଜାରେ ଥିବା ଏ ନିର୍ବାଚନ ମଣ୍ଡଳୀରେ ଲଢେଇ କିପରି ହେବ, ସେ ନେଇ ଲୋକଙ୍କ ମଧ୍ୟରେ ଅନେକ ଉତ୍ସୁକତା ଦେଖିବାକୁ ମିଳିଛି । ସଞ୍ଜୟ ୨୦୨୩ ଜାନୁୟାରୀ ମକର ସଂକ୍ରାନ୍ତି ଦିନ ଠାରୁ ଧାମନଗରରେ ବୁଲାବୁଲି କରୁଛନ୍ତି । ଲୋକଙ୍କ ସହ ମିଶୁଛନ୍ତି । ସେମାନଙ୍କ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ବିଜେଡି ସଙ୍ଗଠନ କର୍ମକର୍ତ୍ତାଙ୍କ ସହ ମିଶି କାମ କରୁଛନ୍ତି । ଡାକ୍ତରୀ ଚାକିରୀ ଛାଡି ଆସିଥିବା ସଞ୍ଜୟଙ୍କର ଏହା ଭିତରେ ଲୋକପ୍ରିୟତା ବଢିଛି । ଗ୍ରହଣୀୟତା ବି ରହିଛି । ଏବେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଧାମନଗର ପାଇଁ ତାଙ୍କ ନାଁ ପ୍ରାର୍ଥୀ ଭାବେ ଥିବାରୁ ସେ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଗତ ୨ଟି ନିର୍ବାଚନରେ ବିଜେଡି ଏଠାରୁ ପରାଜିତ ହୋଇଛି । ୨୦୧୯ ବିଧାନସଭା ନିର୍ବାଚନରେ ବିଜେପିର ବିଷ୍ଣୁଚରଣ ସେଠୀ ୪୮.୪୭% ବା ୮୦ ହଜାର ୧୧୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେଡିର ରାଜେନ୍ଦ୍ର ଦାସ ୪୫.୬୭% ବା ୭୫ ହଜାର ୫୩୮ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ତେବେ ସେତେବେଳେ ବିଜେଡିର ଖରାପ ପ୍ରଦର୍ଶନ ଓ ପରାଜୟ ପାଇଁ ରାଜେନ୍ଦ୍ର ଦାସ ଦଳୀୟ କନ୍ଦଳ ଏବଂ କିଛି କୁଚକ୍ରୀ ଗୋଷ୍ଠୀଙ୍କ ଷଡଯନ୍ତ୍ରକୁ ଦାୟୀ କରିଥିଲେ । ପରେ ଏ ନେଇ ଏକ ଅଡିଓ ଭାଇରାଲ ମଧ୍ୟ ହୋଇଥିଲା ।

ଦୁର୍ଭାଗ୍ୟକୁ ୨୦୨୨ ରେ ଧାମନଗର ବିଧାୟକ ତଥା ବିଜେପି ନେତା ବିଷ୍ଣୁଚରଣ ସେଠୀଙ୍କ ପରଲୋକ ପରେ ଉପନିର୍ବାଚନ ହୋଇଥିଲା । ଏହି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ଦିବଂଗତ ବିଧାୟକ ବିଷ୍ଣୁଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ୪୯.୦୯% ବା ୮୦୩୫୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ବିଜେଡିର ଅବନ୍ତୀ ଦାସ ୪୩.୦୫% ବା ୭୦୪୭୦ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ତେବେ ବିଜେଡିରୁ ପୁଣିଥରେ ଟିକେଟ ପାଇବାକୁ ଆଶା ରଖିଥିବା ରାଜୁ ଦାସଙ୍କୁ ଦଳ ଶେଷ ମୁହୁର୍ତ୍ତରେ ଟିକେଟ ଦେଇନଥିଲା । ଏଥିରେ ଅସନ୍ତୁଷ୍ଟ ହୋଇ ରାଜୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ । ସେ ୮ ହଜାର ୧୫୩ ଖଣ୍ଡ ଭୋଟ୍ ନେଇଯାଇଥିଲେ । ବିଜେଡି ଭାଗରୁ ଏହି ଭୋଟ୍ ଚାଲିଯିବା ଓ ପିତାଙ୍କୁ ହରାଇବାର ଲୋକଙ୍କ ସହାନୁଭୂତି ଥିବାରୁ ସୁରଜ ବିଜୟୀ ହୋଇଥିଲେ । ଧାମନଗରରେ ବିଜେଡି ହାରିବା ସହ ସାରା ଓଡ଼ିଶାରେ ଉପନିର୍ବାଚନରେ ନବୀନଙ୍କ ନେତୃତ୍ୱରେ ଦଳ ଜିତିବାର ଯେଉଁ ରେକର୍ଡ ଥିଲା ତାହା ଏଠାରେ ଭାଙ୍ଗିଥିଲା । ଦେଢବର୍ଷ ଭିତରେ ଏ ସ୍ଥିତି ବଦଳିଛି । ସୁରଜଙ୍କ ସହିତ ଲୋକଙ୍କ ସହାନୁଭୂତି ହ୍ରାସ ପାଇଥିଲେ ବି ଭଲ ପାଇବା ରହିଛି । ସେପଟେ ଧାମନଗର ପାଇଁ ସଞ୍ଜୟ ହେଉଛନ୍ତି ନବାଗତ । ଏଠାକାର ରାଜନୀତି ସହିତ ଦୂର ଦୂର ଯାଏଁ କୌଣସି ସଂପର୍କ ନଥିଲା । ହେଲେ ଧାମନଗର ବ୍ଲକ୍‌ର ପୂର୍ବତନ ଚେୟାରମେନ ଅଶୋକ ନାୟକଙ୍କ ଗୋଷ୍ଠୀ ସଞ୍ଜୟଙ୍କୁ ଆଣି ବର୍ଷେ ହେଲା ଏଠାରେ ସଂଗଠନ କରୁଛନ୍ତି । ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ôଚ ଡାକ୍ତରୀ ସେବା କରୁଛନ୍ତି ସଞ୍ଜୟ । ଏବେ ଟିକେଟ ମିଳିବା ପରେ ତାଙ୍କ ଶିବିରରେ ଉତ୍ସାହ ରହିଛି । ହେଲେ ବିଜେଡିର ପୁରୁଣା ସଂଗଠନ ଏଭଳି ଏକ ନିଷ୍ପତ୍ତି ଓ ବାରମ୍ବାର ନବାଗତଙ୍କୁ ଟିକେଟ ଦେଇ ବିଜେଡି ଧାମନଗର ପ୍ରତି ଅବିଚାର କରୁଥିବା ଲୋକେ କହୁଛନ୍ତି । ନବାଗତ ବିଧାୟକ ହେଉଥିବାରୁ ତାଙ୍କୁ ମନ୍ତ୍ରୀ ପଦ ମିଳୁନାହିଁ ।

ଶେଷଥର ପାଇଁ ୨୦୦୪ ରୁ ୨୦୦୮ ଡିସେମ୍ବର ଯାଏ ମନମୋହନ ସାମଲ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ । ତା ପରେ ଶାସକ ବିଜୁ ନତା ଦଳ ଏଠାରେ ପ୍ରାର୍ଥୀ ବଦଳାଇ ଚାଲିଛି । ନୂଆ ବିଧାୟକ ହୋଇଥିବାରୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳୁନାହିଁ । ଏଣୁ ଏହାକୁ ନେଇ ସଞ୍ଜୟଙ୍କ ବିରୋଧରେ ଲୋକଙ୍କ କ୍ଷୋଭ ରହିଛି । ସେହିପରି ସଞ୍ଜୟଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେଡିର ଏକାଧିକ ପୁରୁଣା ନେତା ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି । ସଞ୍ଜୟ ଯଦି ବିଧାୟକ ହୁଅନ୍ତି, ସେ ଜଣକ ଦ୍ୱାରା ପରିଚାଳିତ ହେବା ଆଶଙ୍କା ରହିଛି । ଅଧିକାଂଶ ତୁଙ୍ଗ ନେତା ଉପରେ ନିଜର ସମର୍ଥନ ଦେଉଥିଲେ ବି ଭିତରେ ସଞ୍ଜୟଙ୍କ ପ୍ରତି ବିରୋଧଭାସ ରହିଛି । ତେବେ ବିରୋଧୀ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ଏହି ଅସନ୍ତୋଷ ଥିବା ନେତା ସେମାନଙ୍କର ପଦକ୍ଷେପ ନେଇପାରନ୍ତି । ସେପଟେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଓ ବିଜେପି, ବିଜେଡିକୁ ଟକ୍କର ଦେଇପାରିବ କି ନାହିଁ ତାହା ସମୟ କହିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.