Home ଓଡ଼ିଶା ଧାମନଗରରେ ବନ୍ୟା ନିୟନ୍ତ୍ରଣ ଯୋଜନା, ଅନିଚ୍ଛାକୃତ ଭାବେ ମୁକୁଳା ରଖାଯାଇଛି, ବନ୍ୟାରେ ୧୦୮ ଗ୍ରାମର ୬୨୦୨...

ଧାମନଗରରେ ବନ୍ୟା ନିୟନ୍ତ୍ରଣ ଯୋଜନା, ଅନିଚ୍ଛାକୃତ ଭାବେ ମୁକୁଳା ରଖାଯାଇଛି, ବନ୍ୟାରେ ୧୦୮ ଗ୍ରାମର ୬୨୦୨ ହେକ୍ଟର ଚାଷଜମି ଜଳମଗ୍ନ

57

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍‌ର ପ୍ରବାହିତ ବୈତରଣୀ ଏବଂ ତାର ଶାଖା କୋଚିଳା ନଦୀରେ ବର୍ଷା ଦିନରେ ସାମାନ୍ୟ ବନ୍ୟା ଆସିଲେ ଧାମନଗର ବ୍ଲକ୍‌ରେ ୨୬ ପଂଚାୟତ ଚାଷଜମି ଜଳମଗ୍ନ ହୋଇଯାଏ। ଦୁଇ ନଦୀର ମଧ୍ୟବର୍ତ୍ତୀ ଅଂଚଳରେ ଥିବା ହସନାବାଦ, ଅର୍ଜୁନପୁର ଏବଂ ପଧାନୀ ପଂଚାୟତର ବିଭିନ୍ନ ଗାଁ ଗଣ୍ଡା ବନ୍ୟା ପ୍ଲାବିତ ହୋଇ ଗାଁରେ ବସବାସ କରୁଥିବା ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗିଥାନ୍ତି। ପ୍ରତିବର୍ଷ ବର୍ଷାଦିନରେ ଗାଁରେ ଲାଗି ରହିଥିବା ବନ୍ୟା ସମସ୍ୟାର କିପରି ସ୍ଥାୟୀ ସମାଧାନ ହେବ, ତାହାର ବାଟ ଫିଟୁନି। ଏ କ୍ଷେତ୍ରରେ ଜଳସଂପଦ ବିଭାଗର ବଡ ବଡ ଅଧୀକ୍ଷଣ ଯନ୍ତ୍ରୀ ଫେଲ୍ ମାରିଥିବା ଜଣାଯାଇଛି। ଧାମନଗର ବ୍ଲକ୍ ଅଂଚଳରେ ପ୍ରବାହିତ ହେଉଥିବା ବୈତରଣୀ ନଦୀର ଶାଖା ହେଉଛି କୋଚିଳା ନଦୀ। ଆଠଘରିଆ ଠାରୁ କୋଚିଳା ନଦୀର ଉତ୍ପତ୍ତି ସ୍ଥଳ। ଦୁଇ ନଦୀର ଭୌଗୋଳିକ ସ୍ଥିତିକୁ ଲକ୍ଷ୍ୟକଲେ ଆଠଘରିଆ ଠାରୁ ବୈତରଣୀରୁ ବାହାରି ଥିବା କୋଚିଳା ନଦୀ ଉତ୍ତର ଦିଗରେ ପ୍ରବାହିତ ହେଉଛି। ସେହିପରି ଆଠଘରିଆ ଠାରୁ ବୈତରଣୀ ନଦୀ ତାର ଗତିପଥ ବଦଳାଇ କୋଚିଳାର ବିପରୀତ ଦକ୍ଷିଣ ଦିଗରେ ପ୍ରବାହିତ ହେଉଛି।

ଏପରି ଦୁଇନଦୀ ତଳକୁ ପ୍ରାୟ ୧୧ କିମି ଗଲାପରେ ବ୍ଲକ୍ ଗାନ୍ଧି ଘାଟ ନିକଟରେ ବୈତରଣୀ ନଦୀ ସହ କୋଚିଳା ନଦୀର ସଂଯୋଗ ହୋଇ ତଳକୁ ପ୍ରବାହିତ ହେଉଛି। ଏହି ଦୁଇ ନଦୀର ମଧ୍ୟବର୍ତ୍ତୀ ଅଂଚଳରେ ରହିଛି ହସନାବାଦ, ଅର୍ଜୁନପୁର, ପଧାନୀ ପଂଚାୟତର ବାଲିପାଟଣା, ବ୍ରହ୍ମଚାରୀ ପାଟଣା, ମୁକ୍ତାନଗର, ମଠସାହି, ତରେଇ ସାହି, ମମଦୁଲା ଅର୍ଜୁନପୁର, ଅସ୍ତକ, ତଳ ଅସ୍ତକ, ଅନଳଡିହ, ହସନାବାଦ, ପଙ୍ଗଟା ଶାସନ ପ୍ରଭୃତି ଗ୍ରାମ ସମସ୍ୟା ଏପରି ବୈତରଣୀ ଏବଂ କୋଚିଳା ନଦୀର ଉଭୟ ପାର୍ଶ୍ୱ ଆଡି ବନ୍ଧ ଉପର ମୁଣ୍ଡରୁ ସୁଦୃଢୀକରଣ ହୋଇ ଆସିଥିବାବେଳେ ବୈତରଣୀର ତଳମୁଣ୍ଡ ଜଳ ଅସ୍ତକ ନିକଟରେ ବନ୍ଧର ଉତ୍ତର ପାଖ ଏବଂ କୋଚିଳା ନଦୀର ଅନଳଡିହ ନିକଟରେ ବନ୍ଧର ଦକ୍ଷିଣ ପାଖ ପ୍ରାୟ ୧ କିମି ଆଡି ବନ୍ଧ ନିର୍ମାଣ କାର୍ଯ୍ୟ ଅନିଚ୍ଛାକୃତ ଭାବେ ବନ୍ଦ ରଖାଯାଇଛି। ଯାହାଫଳରେ ବର୍ଷାଦିନରେ ଉଭୟ ନଦୀର ସାମାନ୍ୟ ବନ୍ୟା ଆସିଲେ ବନ୍ଧର ମୁକୁଳା ବାଟ ଦେଇ ତଳମୁଣ୍ଡରୁ ବନ୍ୟା ପାଣି ଉପର ମୁଣ୍ଡକୁ ଠେଲି ମଧ୍ୟବର୍ତ୍ତୀ ଅଂଚଳର ଥିବା ତିନି ପଂଚାୟତର ବିସ୍ତୃତ ଅଂଚଳ ଚାଷଜମି, ବିଭିନ୍ନ ଗ୍ରାମ, ରାସ୍ତାଘାଟ ବନ୍ୟା ପ୍ଲାବିତ ହୋଇ ଲୋକେ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ଗାନ୍ଧିଘାଟ ନିକଟରେ ନଦୀବନ୍ଧ ନିର୍ମାଣ କରାନଯିବାର ମୁଖ୍ୟକାରଣ ହେଲା ହସନାବାଦ ଏବଂ ଅର୍ଜୁନପୁର ପଂଚାୟତର ସୀମାବର୍ତ୍ତୀ ଅଂଚଳର ପ୍ରବାହିତ ବୈତରଣୀର ଉତ୍ତର ପାଖ ଆଡି ବନ୍ଧ ଏବଂ କୋଚିଳାର ଦକ୍ଷିଣ ପାଖ ଆଡି ବନ୍ଧ ଯଦି ବନ୍ୟାରେ ଭାଙ୍ଗିଯାଏ, ତାହେଲେ ସମସ୍ତ ବନ୍ୟାପାଣି ନଦୀର ତଳମୁଣ୍ଡ ଗାନ୍ଧି ଘାଟ ନିକଟରେ ବନ୍ଧ ନଥିବା ବାଟ ଦେଇ ତଳକୁ ନିଷ୍କାସିତ ହୋଇପାରିବ। ଏହାଦ୍ୱାରା ନଦୀ ମଧ୍ୟବର୍ତ୍ତୀ ଅଂଚଳର ବସବାସ କରୁଥିବା ଲୋକେ ମହାବିପତ୍ତରୁ ରକ୍ଷା ପାଇବେ।

ତେବେ ଗାନ୍ଧି ଘାଟ ନିକଟରେ ଅସଂପୂର୍ଣ୍ଣ ଥିବା ଦୁଇ ନଦୀର ଆଡି ବନ୍ଧକୁ ଯଦି ପୂର୍ଣ୍ଣାଙ୍ଗ କରାଯିବ, ତାହେଲେ ବନ୍ୟା ପାଣି ସ୍ରୋତ ଚାଲିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବନ୍ୟା ଜଳ ଏପରିକି ଅଧିକ ବର୍ଷା ହେଲେ ସେହି ବର୍ଷା ଜଳ ନିଷ୍କାସନ ହେବା ପାଇଁ ଗାନ୍ଧିଘାଟ ନିକଟରେ ନଦୀବନ୍ଧ ମୁକୁଳା ରଖିବା ବ୍ୟତୀତ ଆଉ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ। ଯାହା ଭୌଗୋଳିକ ସ୍ଥିତିରୁ ଜଣାଯାଇଛି। ଏଭଳି ସ୍ଥିତିକୁ ନେଇ ଅଂଚଳବାସୀ ତ୍ରାହି ତ୍ରାହି ଡାକୁଥିବାବେଳେ ଜଳସଂପଦ ବିଭାଗ କର୍ତ୍ତୃପକ୍ଷ ଦ୍ୱନ୍ଦ୍ୱରେ ଅଛନ୍ତି। ସେହିପରି ଚଳିତବର୍ଷ ଧାମନଗର ବ୍ଲକ୍‌ରେ ଦ୍ୱିତୀୟ ବନ୍ୟାରେ ଏବେ ସ୍ଥିତି ସଂଗୀନ ହୋଇପଡିଛି। ନଦୀର ଉପର ମୁଣ୍ଡରେ ବନ୍ୟା ଛାଡିଥିଲେ ମଧ୍ୟ ତଳିଆ ଅଂଚଳରେ ବନ୍ୟା ଜଳ କମିବାରେ ନା ଧରୁନି। ବ୍ଲକ୍‌ର ୧୯ ଟି ପଂଚାୟତରେ ଏବେ ବନ୍ୟା ଘେରରେ ଲୋକମାନେ ରହିଥିବାବେଳେ ଅନଳଡିହ, ହସନାବାଦ, ପଙ୍ଗଟା, ନୂଆସାହି ଗ୍ରାମ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି। ଅନେକ ସ୍ଥାନରେ ଏବେ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ବନ୍ୟା ବିପନ୍ନଙ୍କୁ ଦିଆଯାଇଛି। ବ୍ଲକ୍‌ର ୨୬ ପଂଚାୟତର ୧୦୮ ଟି ଗ୍ରାମର ୬ ହଜାର ୨୦୨ ହେକ୍ଟର ଚାଷ ଜମିରେ ବନ୍ୟା ପ୍ଲାବିତ ହୋଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବାବେଳେ ବନ୍ୟା ଛାଡିବା ପରେ ରାଜସ୍ୱ ଓ କୃଷି ବିଭାଗର ମିଳିତ ଭାବେ କ୍ଷେତ୍ରୀୟ ଆକଳନ କରାଯିବ ବୋଲି କୃଷି ଅଧିକାରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.