Home ଜିଲ୍ଲା ପରିକ୍ରମା ଧାମନଗରରେ ଚାଲିଛି ଦେହ ବ୍ୟବସାୟ ! ଚେର ଲମ୍ବିଛି ଯାଜପୁରକୁ

ଧାମନଗରରେ ଚାଲିଛି ଦେହ ବ୍ୟବସାୟ ! ଚେର ଲମ୍ବିଛି ଯାଜପୁରକୁ

126

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଅଂଚଳର ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର କେତେକ ଯୁବକ ବିଭିନ୍ନ ସ୍ଥାନରୁ ଯୁବତୀ ଓ ମହିଳା ମାନଙ୍କୁ ମୋଟା ଅଙ୍କ ଅର୍ଥର ପ୍ରଲୋଭନ ଦେଖାଇ ଏଠାକୁ ଆଣି ଦେହ ବ୍ୟବସାୟୀରେ ଲିପ୍ତ କରୁଥିବା ଶୁଣିବାକୁ ମିଳିଛି । ଏପରିକି ପଡୋଶୀ ଯାଜପୁର ଜିଲାର ଜଣେ ଯୁବତୀକୁ ଧାମନଗର ଅଣାଯାଇ ଦେହ ବ୍ୟବସାୟୀରେ ଲିପ୍ତ ରଖିବା ପରେ କାଳେ ତାଙ୍କୁ ଛାଡିବାକୁ ଏହି ଦଲାର ମାନେ ମୋଟା ଅଙ୍କର ଅର୍ଥ ମାଗିବା କୁହାଯାଇଛି । ଏହି ଘଟଣାକୁ ନେଇ ଧାମନଗର ଅଂଚଳରେ ଦେହ ବ୍ୟବସାୟ ଚାଲିଥିବା ଚର୍ଚ୍ଚାକୁ ଆସିଛି । ଅନୁସନ୍ଧାନରୁ ଜଣାଯାଇଛି ଯେ ଧାମନଗର ଅଂଚଳର ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର କେତେକ ଯୁବକ ମାନେ ପଡୋଶୀ ଯାଜପୁର ଜିଲା ସହିତ କଲକତାରୁ ଯୁବତୀ ଓ ମହିଳା ମାନଙ୍କୁ ମୋଟା ଅଙ୍କ ଅର୍ଥର ପ୍ରଲୋଭନ ଦେଖାଇ ଧାମନଗର ଆଣୁଛନ୍ତି । ଏଠାରେ ସେମାନଙ୍କୁ ରଖି ଅନୈତିକ କାର୍ଯ୍ୟରେ ଲିପ୍ତ କରିବାକୁ ବାଧ୍ୟ କରୁଛନ୍ତି । ସପ୍ତାହ ପୂର୍ବେ ଧାମନଗର ଥାନାରେ ଯାଜପୁର ଜିଲାର ଜଣେ ମହିଳା ପହଂଚି ତାଙ୍କ ଝିଅକୁ କେହି ଅପହରଣ କରି ଆଣି ଧାମଗରରେ ରଖିଥିବା ଅଭିଯୋଗ ହୋଇଥିଲା । ସଂପୃକ୍ତ ଯୁବକମାନେ ଝିଅକୁ ଛାଡିବାକୁ ହେଲେ ତାଙ୍କୁ ୫୦ ହଜାର ଅର୍ଥ ମାଗିଥିବା କୁହାଯାଇଛି । ଏହି ଘଟଣା ଜଣାପଡିବା ପରେ ଧାମନଗର ଅଂଚଳର କେତେକ ବ୍ୟକ୍ତି ମହିଳା ଜଣକୁ ସାହାର୍ଯ୍ୟ କରିବାକୁ ଅଂଟା ଭିଡିଥିଲେ । କିଏ ସେହି ଯୁବକ ମାନେ, ଝିଅ କେଉଁଠି ଅଛି ତାର ଖୋଳତାଡ କରିବା ସହିତ ଥାନାରେ ଅଭିଯୋଗ ପାଇଁ ମହିଳାଙ୍କୁ ପରାମର୍ଶ ଦେଇଥିଲେ । ଯେହେତୁ ଘଟଣା ଯାଜପୁର ଅଂଚଳର ଥାନା ପକ୍ଷରୁ ମହିଳା ଜଣଙ୍କୁ ଯାଜପୁର ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇ ଥିଲା । ଘଟଣାର କିଛି ସମୟ ମଧ୍ୟରେ ସଂପୃକ୍ତା ମହିଳା ଜଣଙ୍କ ଧାମନଗରରୁ ଉଭାନ ହୋଇ ଯାଇଥିଲେ । ପରବର୍ତୀ ସମୟରେ ଯାହା ସୂଚନା ମିଳୁଛି ସଂପୃକ୍ତା ମହିଳା ଜଣଙ୍କ ଏହି ଦେହ ବ୍ୟବସାୟୀର ମୁଖ୍ୟ କାର୍ପଟଦାର ଅଟନ୍ତି । ସେ ବିଭିନ୍ନ ସମୟରେ ଯୁବତୀମାନଙ୍କୁ ଧାମନଗର ଅଂଚଳକୁ ଏହି ଅନୈତିକ କାର୍ଯ୍ୟ ପାଇଁ ପଠାଇଥାନ୍ତି । ଯାହା ସୂଚନା ରହିଛି, ଧାମନଗର ହାଇସ୍କୁଲ ନିକଟସ୍ଥ ଏକ ସିମେଂଟ ଚଉରା କାରଖାନା ପଛରେ ଥିବା କର୍ମଚାରୀଙ୍କ ରହିବା ପାଇଁ ଘରେ ଭଡା ନେଇ ଜଣେ ଯୁବକ ଏହି ବ୍ୟବସାୟ ଦୀର୍ଘଦିନ ଧରି ଚଳାଇ ଆସୁଛନ୍ତି ।

ସଂପୃକ୍ତ ଯୁବକ ଯାଜପୁର ଓ ଅନ୍ୟ ଜିଲାରୁ ଯୁବତୀମାନଙ୍କୁ ଏଠାକୁ ଆଣି ଏହି ଅନୈତିକ କାର୍ଯ୍ୟରେ ଲଗାଇ ଆସୁଛି । ଗତ ୨୫ ତାରିଖ ଯାଜପୁର ମାନ୍ସାପୋଲ ଅଂଚଳରୁ ଏହି ମହିଳା ଜଣକ ଜଣେ ଯୁବତୀକୁ ଧାମନଗର ଅଂଚଳର ଦୁଇଜଣ ଦଲାର ମାଧ୍ୟମରେ ଏହି କୋଠରୀକୁ ପଠାଇଥିଲେ । ଯୁବତୀ ଜଣଙ୍କୁ ୪ ଦିନ ପାଇଁ ଏଠାକୁ ଆଣିଥିଲେ ମଧ୍ୟ ତାଙ୍କୁ ୧୫ ଦିନ ଧରି ରଖି ଏହି ଅନୈତିକ କାର୍ଯ୍ୟରେ ଲଗାଇ ଥିଲେ । ଏହି କାମର ମୁଖ୍ୟ କାର୍ପଟଦାର ମହିଳା ଜଣଙ୍କ ବାରମ୍ବାର ଯୁବତୀଙ୍କୁ ଫେରାଇ ଦେବାକୁ ଫୋନ କରିବା ସତ୍ୱେ ସେମାନେ ଛାଡି ନଥିଲେ । ଏପରିକି ଏହି ଯୁବକମାନେ ୫୦ ହଜାର ଟଙ୍କା ଦେଲେ ତାକୁ ଛାଡିବେ ବୋଲି ଫୋନରେ ଧମକପୂର୍ଣ୍ଣ ଭାବେ କହିଥିଲେ । ଶେଷରେ ସଂପୃକ୍ତା କାର୍ପଟଦାର ମହିଳା ଧାମନଗରରେ ପହଂଚି ଥିଲେ । ଏହି ଘଟଣା ପରେ ସଂପୃକ୍ତା ଯୁବତୀକୁ ଦଲାର ମାନେ ଏଠାରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ । ଘଟଣା ପ୍ରଘଟ ହେବା ପରେ ସଂପୃକ୍ତ ଦଲାର ମାନେ ଫସିଯିବାର ଭୟ କରି ଧାମନଗର ଅଂଚଳର ଜଣେ ଦଲାର ମାଧ୍ୟମରେ ସଂପୃକ୍ତା ଯୁବତୀଙ୍କୁ ଯାଜପୁରକୁ ଛାଡିବାକୁ ନେଇଥିଲେ ହେଁ ଉକ୍ତ ଯୁବତୀଙ୍କ କୌଣସି ଆଜି ପର୍ଯ୍ୟନ୍ତ ସନ୍ଧାନ ମିଳିନାହିଁ । ତେବେ ଏହି ଅନୈତିକ କାର୍ଯ୍ୟରେ ଏହି ଗୋଷ୍ଠୀର ଯୁବକଙ୍କ ସମେତ ଜଣେ ଔଷଧ ଓ ଆଉ ଜଣେ ଜୋତା ଦୋକାନୀ ମଧ୍ୟ ସାମିଲ ଥିବା କୁହାଯାଇଛି । ଏପରିକି ଏହି ଦୋକାନୀ ଦ୍ୱୟର ଥିବା ଚାରି ଚକିଆ ଗାଡି ଦ୍ୱାରା ଏହି ଅନୈତିକ କାର୍ଯ୍ୟରେ ବ୍ୟବହାର ହେଉଥିବା ଧାମନଗରରେ ଚର୍ଚ୍ଚା ଜୋର ଧରିଛି । ସ୍ଥାନୀୟ ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କଲେ ଧାମନଗରରେ ଚାଲିଥିବା ଦେହ ବ୍ୟବସାୟୀର ଫର୍ଦାଫାସ ଲୋକ ଲୋଚନକୁ ଆସିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.