Home କଳାହାଣ୍ଡି ଧର୍ମଗଡ ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲା ଦାବୀ ଯୋର ଧରିଲା

ଧର୍ମଗଡ ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲା ଦାବୀ ଯୋର ଧରିଲା

94

କଳାହାଣ୍ଡି – ୨୦/୧୧/୨୦୧୮(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଅଂଚଲକୁ ନେଇ ଏକ ସ୍ୱତନ୍ତ୍ର ଜିଲ୍ଲା ଗଠନ ଦାବୀ ଏବେ ସମଗ୍ର ଅଂଚଳରେ ଯୋର ଧରିଛି । ଧର୍ମଗଡ ଉପଖଣ୍ଡ ଏକ ପଛୁଆ ଅଂଚଲ ହୋଇରହିଯାଇଥିବା ବେଳେ ରାଜନୈତିକ ଓ ପ୍ରଶାସନିକ ସୁବିଧା ପାଇବାରେ ବିଲମ୍ବ ହେଉଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଅନ୍ୟ ପକ୍ଷରେ ଦୀର୍ଘ ଦିନରୁ ଧର୍ମଗଡ ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ଘୋଷଣା ଦାବୀ ହେଉଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନଥିବା ହେତୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଗତ ରବିବାର ଦିନ ଧର୍ମଗଡ ସ୍ଥିତ ହୋଟେଲ ରୟାଲପେଲେସ ଠାରେ ବରିଷ୍ଠ ଆଇନଜୀବି ତୁଷାର ରଂଜନ ପଟ୍ଟେଯାଷୀଙ୍କ ଅଧ୍ୟକ୍ଷତାରେ ସମଗ୍ର ଧର୍ମଗଡ ଉପଖଣ୍ଡର ବୁଦ୍ଧିଜୀବି, ଆଇନଜୀବି,ସମାଜସେବୀ,ରାଜନେତା,ସାମ୍ବାଦିକ,ତଥା ଅନ୍ୟାନ୍ୟ ସବୁ ବର୍ଗର ଲୋକଙ୍କୁ ନେଇ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।
ଧର୍ମଗଡ ଉପଖଣ୍ଡ ଅଧିନରେ ଛଅ ଗୋଟି ବ୍ଲକ ରହିଥିବା ବେଳେ ଏହାର ଜନସଂଖ୍ୟା ୧୦ଲକ୍ଷରୁ ଅଧିକ ଏବଂ ଏହାର ଭୌଗୋଲିକ ପରିସୀମା ୪ହଜାର ୩ଶହ ବର୍ଗ କିଲୋମିଟର ରହିଥିବା ବେଳେ ନୂତନ ଭାବେ ଗଠିତ ସୋନପୁର, ବୌଦ୍ଧ ,ନୁଆପଡା ଭଲି ଜିଲ୍ଲା ମାନଙ୍କ ଠାରୁ ମଧ୍ୟ ଅଧିକ । ସେହିପରି ୧୩ ଗୋଟି ବ୍ଲକକୁ ନେଇ ଗଠିତ କଳାହାଣ୍ଡି ଜିଲ୍ଲାର ବୌଗୋଲିକ ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ଠିକ ଭାବରେ ଲୋକଙ୍କ ପାଖରେ ପହଂଚି ପାରିବା ମଧ୍ୟ ସମ୍ଭବପର ହୋଇପାରୁନଥିବା ଯୋଗୁଁ ପ୍ରକୃତ ବିକାଶ ନିମ୍ନ ସ୍ତରକୁ ସାଧାରଣ ଲୋକଙ୍କ ପାଖକୁ ପହଂଚି ପାରୁନାହିଁ । ତେଣୁ ସ୍ୱତନ୍ତ୍ର ଜିଲ୍ଲା ଗଠନ ହେଲେ ଧର୍ମଗଡ ଉପଖଣ୍ଡର ବିକାଶ ପ୍ରକ୍ରୀୟା ତ୍ୱରାନ୍ୱିତ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା । ଏହାଛଡା ଏହି ଧର୍ମଗଡ ଉପଖଣ୍ଡ ଅଂଚଳରେ ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟା ସମେତ ଗରିବ ଓ ଅର୍ଥନୈତିକ ପଛୁଆ ଲୋକ ବେଶୀ ପରିମାଣରେ ରହୁଥିବା ଷ୍ଟାଟିଷ୍ଟିକାଲ ତଥ୍ୟରୁ ଜଣାପଡିଛି । ଏହାଛଡା ଦୁଇଟି ପ୍ରମୂଖ ନଦୀ ତେଲ ନଦୀ ଓ ହାତୀ ନଦୀ ଦର୍ମଗଡ ଉପଖଣ୍ଡ ମଧ୍ୟ ଦେଇ ପ୍ରବାହିତ ହେଉଥିବା ବେଳେ ଇନ୍ଦ୍ରାବତୀ ଜଲବିଦୁ୍ୟତ ଯୋଜନା ଏହି ଅଂଚଳରେ କାର୍ଯ୍ୟକାରୀ ହେଉଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଅନେକ ଐତିହାସିକ ଭିତିଭୂମି ରହିଥିବା ବେଳେ ଏହାର ପ୍ରକୃତ ବିନଯୋଗ ହୋଇପାରୁନଥିବା ବେଳେ ସ୍ୱତନ୍ତ୍ର ଜିଲ୍ଲା ହେଲେ ସେସବୁର ସ୍ୱତନ୍ତ୍ର ଉନ୍ନତି ଜରାଯାଇପାରିବ ବୋଲି ମତ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ସୋନପୁର, ବୌଦ୍ଧ, ନୂଆପଡା ଉପଖଣ୍ଡକୁ ଅତୀତରେ ସ୍ୱତନ୍ତ୍ର ଜିଲ୍ଲା ଭାବେ ମାନ୍ୟତା ଦେବାପରେ ସେସବୁ ଅଂଚଳରେ ଉନ୍ନତି ପ୍ରକ୍ରୀୟା ତ୍ୱରାନ୍ୱିତ ହୋଇପାରିଥିବା ବେଳେ ଧର୍ମଗଡ ଉପଖଣ୍ଡ ଆଜିମଧ୍ୟ ଅନୁନ୍ନତ ହୋଇ ପଡିରହିଛି । ଏସବୁ ଦୃଷ୍ଟିକୋଣରୁ ଧର୍ମଗଡ ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ମାନ୍ୟତା ପାଇବା ଗୁରୁତ୍ୱ ବହନ କରୁଛି ବୋଲି ସରକାର ତୁନ୍ତ ଏଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.