Home Top News ଦ୍ୱିତୀୟ କ୍ଷମତା କେନ୍ଦ୍ର ସର୍ବଦା କ୍ଷଣସ୍ଥାୟୀ

ଦ୍ୱିତୀୟ କ୍ଷମତା କେନ୍ଦ୍ର ସର୍ବଦା କ୍ଷଣସ୍ଥାୟୀ

61

ଭାରତ ବର୍ଷରେ ଅଧିକାଂଶ ଜାତୀୟ ଓ ଆଂଚଳିକ ରାଜନୈତିକ ଦଳ ମଧ୍ୟରେ ଅନେକ ସମୟରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ସୃଷ୍ଟି ହୋଇଥାଏ। ଏହି ଦ୍ୱିତୀୟ କ୍ଷମତା କେନ୍ଦ୍ର ସମୟାନୁକ୍ରମେ ବହୁତ ଶକ୍ତିଶାଳୀ ହୋଇଥାଏ। ମାତ୍ର ପରବର୍ତ୍ତୀ ସମୟରେ ବିଭିନ୍ନ କାରଣରୁ ଏହି କ୍ଷମତା କେନ୍ଦ୍ର ଧରାଶାୟୀ ହୋଇଥାଏ।

ଉତ୍ତର ପ୍ରଦୋର ଗୋଟିଏ ପ୍ରମୁଖ ରାଜନୈତିକ ଦଳ ହେଉଛି ସମାଜବାଦୀ ପାର୍ଟୀ। ସମୟ ଥିଲା ଏହି ଦଳର ଦ୍ୱିତୀୟ କ୍ଷମତଦଶାଳୀ ନେତା ଥିଲେ ଅମର ସିଂ। ମୁଲାୟମ ସିଂ ଦଳର ପ୍ରତିଷ୍ଠାତା ଓ ମୁଖ୍ୟମନ୍ତ୍ରୀ ଥିଲେ। ମାତ୍ର ଦଳର ସବୁ ରଣନୀତି ଅମର ସିଂ ହିଁ ପ୍ରସ୍ତୁତ କରୁଥିଲେ। ରାଜ୍ୟ ରାଜନୀତି ଠାରୁ ଆରମ୍ଭ କରି ଜାତୀୟ ରାଜନୀତି ସବୁଥିରେ ସେ ନିଜର ପ୍ରଭାବ ବିସ୍ତାର କରି ରଖିଥିଲେ। ମାତ୍ର ସମୟ ଆସିଲା ତାଙ୍କର ପ୍ରଚଣ୍ଡ ରାଜନୈତିକ ପତିଆରାର ଅନ୍ତ ଘଟିଲା। ଶେଷ ପର୍ଯ୍ୟାୟରେ ସେ ଅତ୍ୟନ୍ତ ଦୂଃଖ ଦାୟକ ଜୀବନ ଅତିବାହିତ କରି ମୃତ୍ୟୁ ବରଣ କରିଥିଲେ।

ବିହାରର ପ୍ରମୁଖ ରାଜନୈତିକ ଦଳ ହେଉଛି ରାଷ୍ଟ୍ରିୟ ଜନତା ଦଳ ବା ଆରଜେଡି। ଯଦିଓ ଲାଲୁ ପ୍ରସାଦ ଯାଦବ ଏହାକୁ ପ୍ରତିଷ୍ଠା କରିଥିଲେ ମାତ୍ର ଦଳ ପ୍ରତିଷ୍ଠା ପରେ ଏହାର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତିତ୍ୱ ଥିଲେ ପ୍ରଫେସର ରଂଜନ ଯାଦବ। ଆଜେଡିରୁ ରାଜ୍ୟସଭା ସାଂସଦ ଥିବା ରଂଜନ ଦଳକୁ ଏକ ପ୍ରକାର ନିଜ ଅକ୍ତିୟାରରେ ରଖିଥିଲେ। ରଂଜନ ଯାଦବଙ୍କ ପରେ କିଛି ବର୍ଷ ଲାଲୁ ସରକାରରେ ଥିବା ଶିଳ୍ପ ମନ୍ତ୍ରୀ ରଘୁବୀର ପ୍ରସାଦ ସିଂ ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର ଥିଲେ। ବହୁ ଚର୍ଚ୍ଚିତ ଚାରା ଘୋଟାଲାରେ ଲାଲୁ ଜେଲ ଯିବା ପରେ ତାଙ୍କ ପତ୍ନୀ ରାବିଡି ଦେବୀ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେହି ସମୟରେ ରାବିଡିଙ୍କ ଭାଇ ତଥା ଲାଲୁଙ୍କ ଶାଳକ ସାଧୁ ଯାଦବ ଦଳକୁ ସଂପୂର୍ଣ୍ଣ ନିଜ ନିୟନ୍ତ୍ରଣକୁ ନେଇ ସରକାର ଚଳାଉଥିଲେ। ରାବିଡି ଦେବୀ ନାମକୁ ମାତ୍ର ମୁଖ୍ୟମନ୍ତ୍ରୀ ଥିଲେ। ସମୟକ୍ରମେ ଏହି ସବୁ ନେତାଙ୍କର ଅଧୋପତନ ଘଟିଥିଲା ବିହାର ରାଜନୀତିରେ। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ କ୍ଷମତାକୁ ଆସିଲା ଓ ମମତା ବାନାର୍ଜ୍ଜୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେହି ସମୟରେ ତାଙ୍କ ଦଳର ସୁଦିପ୍ତ ବନ୍ଦୋପାଧ୍ୟାୟ ସେକେଣ୍ଡ ଇନ କମାଣ୍ଡ ଥିଲେ। ସେ କ୍ଷମତାର ଅପବ୍ୟବହାର କଲେ। ଚିଟଫଣ୍ଡ ଦୁର୍ନିତୀରେ ଲିପ୍ତ ହୋଇ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲ ଗଲେ। ଏବେ ସେ ଦଳର ସାଂସଦ ଅଛନ୍ତି ମାତ୍ର ଦଳ ଭିତରେ ତାଙ୍କର ଏତେଟା ଆଉ କାଟତି ନାହିଁ। ତେଲଗୁ ଦେଶମ ପାର୍ଟୀର ସୁପ୍ରିମୋ ତଥା ପ୍ରତିଷ୍ଠାତା ଏନଟି ରାମାରାଓ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏକଦା ତାଙ୍କର ଦ୍ୱିତୀୟ ପତ୍ନୀ ଳକ୍ଷ୍ମୀ ପାର୍ବତୀ ବହୁତ ମାତ୍ରାରେଶାଳୀ ଥିଲେ। ତାଙ୍କ ସକାଶେ ତେଲୁଗୁ ଦେଶମ ସରକାର ମଧ୍ୟ ବହୁତ ବଦ୍‌ନାମର ସମ୍ମୁଖୀନ ହୋଇଥିଲା। ଏନଟିଆରଙ୍କ ମୃତ୍ୟୁ ପରେ ଲକ୍ଷ୍ମୀ ପାର୍ବତୀ ତେଲୁଗୁ ଦେଶମ୍ ପାର୍ଟୀକୁ ଅକ୍ତିୟାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେଥିରେ ସେ ସଫଳ ହୋଇ ନଥିଲେ ଓ ଏନଟିଆରଙ୍କ ଜାମାତା ଚନ୍ଦ୍ରବାବୁ ନାଇଡୁ ତେଲୁଗୁ ଦେଶମ୍‌ର ମୁଖ୍ୟ ହୋଇଥିଲେ।

ସେହିପରି ତାମିଲନାଡୁରେ ଏଆଇଡିଏମକେର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଲିତାଙ୍କ ବାନ୍ଧବୀ ଶଶୀକଳା ଥିଲେ ଦଳର ସବୁଠାରୁ କ୍ଷମତାଶାଳୀ ନେତ୍ରୀ। ସରକାର ଓ ଦଳକୁ ସେ ସଂପୂର୍ଣ୍ଣ ଭାବରେ ନିଜ ନିୟନ୍ତ୍ରଣରେ ରଖିଥିଲେ। ଜୟଳଲିତାଙ୍କ ମୃତ୍ୟୁ ପରେ ଦଳ ଭିତରେ ଶଶୀକଳାଙ୍କୁ ନେଇ ରାଜନୈତିକ ସଂକଟ ଦେଖା ଦେଲା। ଶେଷକୁ ଶଶୀକଳାଙ୍କ ରାଜନୈତିକ ଓ ବ୍ୟକ୍ତିଗତ ଜୀବନ କିପରି ରସାତଳଗାମୀ ହେଲା ତାଙ୍କ ସମସ୍ତଙ୍କୁ ଜଣା। ମହାରାଷ୍ଟ୍ରରେ ଶିବସେନାର ସୁପ୍ରିମୋ ବାଲ ଠାକରେଙ୍କ ପୁତୁରା ରାଜ ଠାକରେଙ୍କର ମହାରାଷ୍ଟ୍ର ରାଜନୀତିରେ ବହୁତ ଦବ୍‌ଦବା ଥିଲା। ତାଙ୍କ ବିନା ଶିବସେନାରେ ପତ୍ରଟିଏ ମଧ୍ୟ ହଲୁ ନଥିଲା। ମାତ୍ର ପରିସ୍ଥିତି ବଦଳିଲା। ବାଲା ସାହେବ ଠାକରେଙ୍କ ପୁଅ ଉଦ୍ଧବ ଠାକରେ ଦଳର ମୁଖିଆ ହେଲେ। ରାଜ ଠାକରେ ଶିବସେନାରୁ ବାହାରିବାକୁ ବାଧ୍ୟ ହେଲେ। ଏବେ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମିଳିତ ସରକାରର ମୁଖ୍ୟମନ୍ତ୍ରୀ ଅଛନ୍ତି। ଏବେ ଦଳର ଦ୍ୱିତୀୟ ଟାଣୁଆ ନେତା ଅଛନ୍ତି ରାଜ୍ୟସଭା ସାଂସଦ ସଂଜୟ ରାଉତ। ସେ କେତେ ଦିନ ଦ୍ୱିତୀୟ କ୍ଷମତା କେନ୍ଦ୍ର ହୋଇ ରହିବେ ତାହା ଭବିଷ୍ୟତ ହିଁ କହିବ।

ଓଡିଶାରେ ବିଜୁ ଜନତା ଦଳ ୨୦୦୦ ମସିହାରୁ ଶଶସନ କ୍ଷମତାରେ ଅଛି। ଯଦିଓ ଏହାର ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଅଛନ୍ତି ମାତ୍ର ଅନେକ ସମୟରେ ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର ସୃଷ୍ଟି ହୋଇ ଥିବାର ନଜିର ଅଛି। ଏକଦା ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ର ଦଳର ଦ୍ୱିତୀୟ କ୍ଷମତାଶାଳୀ ନେତା ଥିଲେ। ସମୟ ଥିଲା ତାଙ୍କ ବିନା ପରାମର୍ଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ନିଷ୍ପତି ନେଉ ନଥିଲେ। ତାଙ୍କ ଦୁଃଖଦ ଅନ୍ତ ସାରା ରାଜ୍ୟବାସୀଙ୍କୁ ଜଣା। ତାଙ୍କ ପରେ ସ୍ୱର୍ଗତ କଳ୍ପତରୁ ଦାସ କିଛି ସମୟ ଧରି ଦଳରେ ବହୁତ କ୍ଷମତାଶାଳୀ ଥିଲେ। ସିଏ ବି ଗଲେ। ଏବେ ଦଳର ସାଂଗଠନିକ ସଂପାଦକ ହୋଇଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ। ସେ ଏବେ ଦଳର ସେକେଣ୍ଡ ଇନ କମାଣ୍ଡ। ତାଙ୍କର ରାଜନୈତିକ ଭବିଷ୍ୟତ ଆଗାମୀ ଦିନରେ ଜଣା ପଡିବ।

କେବଳ ଯେ ଆଂଚଳିକ ଦଳ ନୁହେଁ ଜାତୀୟ ଦଳ କଂଗ୍ରେସରେ ମଧ୍ୟ କ୍ୟାପଟେନ ସତୀଶ ଶର୍ମା, ଓସ୍କାର ଫର୍ଣ୍ଣାଡେଜ, ଅହମ୍ମଦ ପଟେଲ, ଭିନସେଣ୍ଟ ଜର୍ଜ୍ଜସମୟ ସମୟରେ ଦଳର ଦ୍ୱିତୀୟ ପାୱାରଫୁଲ ନେତା ଥିଲେ। ସେହିପରି ଗୋଟିଏ ସମୟରେ ବିଜେପିରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ପ୍ରମୋଦ ମହାଜନ ବହୁତ ପ୍ରଭାବଶାଳୀ ନେତା ଥିଲେ। ଏ ସମସ୍ତ ନେତାଙ୍କର ରାଜନୈତିକ ପରିସମାପ୍ତି ଅତ୍ୟନ୍ତ କଷ୍ଟ ଦାୟକ ଥିଲା।

ତେଣୁ ରାଜନୈତିକ ଦଳ ଗୁଡିକରେ ସୃଷ୍ଟି ହେଉଥିବା ଦ୍ୱିତୀୟ କ୍ଷମତାକେନ୍ଦ୍ର ଗୁଡିକର ଅବଧି ବହୁତ କମ। ରାଜନୈତିକ ଘଟଣାଚକ୍ରକୁ ନେଇ ଏହିପରି ଦ୍ୱିତୀୟ କ୍ଷମତା କେନ୍ଦ୍ର ସୃଷ୍ଟି ହୋଇଥାଏ। ସ୍ୱଳ୍ପ ସମୟ ପାଇଁ ଏମାନେ କ୍ଷମତାକୁ ଉପଭୋଗ କରନ୍ତି। ଶେଷରେ ସେହି ରାଜନୈତିକ ଘଟଣାଚକ୍ରରେ ପେଶି ହୋଇ ସମୟ ପୂର୍ବରୁ ନିଜ ରାଜନୈତିକ ଜୀବନର ଅନ୍ତ ଘଟାନ୍ତି।

ପ୍ରିୟରଂଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.