Home ଜିଲ୍ଲା ପରିକ୍ରମା ଦ୍ରୌପଦୀ ମୁର୍ମୁଙ୍କ ଉପରେ ପୁସ୍ତକ ପ୍ରକାଶିତ

ଦ୍ରୌପଦୀ ମୁର୍ମୁଙ୍କ ଉପରେ ପୁସ୍ତକ ପ୍ରକାଶିତ

69

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧୀନ ଭାରତର ପଞ୍ଚଦଶ ରାଷ୍ଟ୍ରପତି ଓଡ଼ିଆ ଝିଅ ଭଞ୍ଜବଂଶୀ ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ ଉପରେ ଏକ ସୁଦୀର୍ଘ ସାଧନା ପ୍ରସୂତ ପୁସ୍ତକ ‘କଳିଙ୍ଗ କନ୍ୟା ଦ୍ରୌପଦୀ ମୁର୍ମୁ’ ରଚନା କରାଯାଇଛି। ଏହି ପୁସ୍ତକରେ ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ, ରାଷ୍ଟ୍ର ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବରପୁତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସାମଗ୍ରିକ ଜୀବନୀ, ଜୀବନର ସଂଘର୍ଷ, ସାମାଜିକ ଜୀବନ, ପାରିବାରିକ ଜୀବନ, ସାମଜସେବା ଠାରୁ ଆରମ୍ଭ କରି ସମାଜ ସଂସ୍କାର ତଥା ରାଜନୈତିକ ଜୀବନ, ଓଡ଼ିଶା ସଚ୍ଚିବାଳୟର ସରକାରୀ ଚାକିରୀ ଠାରୁ ଆରମ୍ଭ କରି ଶିକ୍ଷୟିତ୍ରୀ ପର୍ଯ୍ୟନ୍ତ ଏବଂ କାଉନ୍‌ସିଲର ଠାରୁ ଆରମ୍ଭ କରି ବିଧାୟିକା, ମନ୍ତ୍ରୀ, ରାଜ୍ୟପାଳ, ସର୍ବୋପରି ମହାମହିମ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏହି ପୁସ୍ତକରେ ରଚନା କରାଯାଇଛି ବୋଲି ପୁସ୍ତକର ସ୍ରଷ୍ଟ ପଣ୍ଡିତ ଦୈତ୍ୟାରି ମହାପାତ୍ର ରାଷ୍ଟ୍ରପତିଙ୍କ ପୈତୃକ ଗ୍ରାମ କୁସୁମି ବ୍ଲକ୍‌ର ଉପରବେଡା ଏବଂ ଶ୍ୱଶୁରଘର ପାହାଡପୁର ଗ୍ରାମକୁ ପରିଦର୍ଶନରେ ଯାଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ସମାଜ ସଂସ୍କାରକ ତଥା ଦୀର୍ଘବର୍ଷ ଧରି ଶିକ୍ଷା ଓ ସମାଜସେବା ସହିତ ଜଡିତ ଥିବା ତୁଳସୀରାମ ଜଗତ ବିଭିନ୍ନ କ୍ଷେତ୍ର ପରିଭ୍ରମଣ କରି ଉକ୍ତ ପୁସ୍ତକ ଓ ରାଷ୍ଟ୍ରପତିଙ୍କ ସଂପର୍କରେ ସୁଚିନ୍ତିତ ମତାମତ ରଖିଥିଲେ।

ଦୈନିକ ଖବରକାଗଜ ସମାଜର ସ୍ଥାନୀୟ ପ୍ରତିନିଧି ତଥା ସ୍ତମ୍ଭକାର ଅମୀୟ କୁମାର ମହାନ୍ତି ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ। ଶ୍ରୀ ମହାପାତ୍ର ରାଷ୍ଟ୍ରପତିଙ୍କ ପୈତୃକ ଗ୍ରାମକୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କ ସହିତ ବିଭିନ୍ନ ଆଲୋଚନା କରି ଉପରବେଡାର ଡୁଙ୍ଗୁରୀସାହି ଗ୍ରାମଦେବତା ମାରାଙ୍ଗ ବୁରୁ (ଲିଟା), ଜାହେର ଆୟ (ମଣେକୋ) ଙ୍କ କ୍ଷେତ୍ର ପରିଦର୍ଶନ କରିବା ସହିତ ଗାଁରେ ସର୍ବ ବିପଦରୁ ସୁରକ୍ଷା ଦେଉଥିବା ଗୋଶାଣୀ ପୀଠ ପରିଭ୍ରମଣ କରିଥିଲେ। ଗ୍ରାମର ସରପଞ୍ଚ ସରୋଜିନୀ ହେମ୍ବ୍ରମ୍ ତାଙ୍କୁ ଏହି କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ କରିଥିଲେ। ଏଥିସହିତ ବାବା ସିନ୍ଧୁକେଶ୍ୱର ଏବଂ ବାବା ବଟକେଶ୍ୱର ମନ୍ଦିର ପରିଭ୍ରମଣ କରି ଶ୍ରୀମତୀ ମୁର୍ମୁ ରାଜ୍ୟପାଳ ଥିବା ସମୟରେ ଦୁଇ ପୁଅ ଓ ସ୍ୱାମୀଙ୍କ ସ୍ମାରକୀ ସ୍ୱରୂପ ନିର୍ମାଣ କରିଥିବା ଏସ୍‌ଏଲ୍‌ଏସ୍ (ସ୍ମାରକୀ ଆବାସିକ ବିଦ୍ୟାଳୟ) ପାହାଡପୁର ଗ୍ରାମ ପରିଭ୍ରମଣ କରି ଉକ୍ତ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷା ସମ୍ବନ୍ଧୀୟ ଆଲୋଚନା କରି ମୁର୍ମୁଙ୍କ ଆଦିପୀଠ ଗୋଶାଣୀ, ଜାହେର ଆୟ ଆଦି ଭ୍ରମଣ କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ। ରାଇରଙ୍ଗପୁରର ଶ୍ରୀ ଅରବିନ୍ଧ ପୂର୍ଣ୍ଣାଙ୍ଗ ଶିକ୍ଷାକ୍ଷେତ୍ରର ସବିଶେଷ ବିବରଣୀ ମଧ୍ୟ ସେ ସଂଗ୍ରହ କରିଥିଲେ।

ମାତ୍ର ୧୮ ଦିନ ମଧ୍ୟରେ ଶ୍ରୀ ମହାପାତ୍ର ୩ ଶହ ପୃଷ୍ଠା ସମ୍ବଳିତ ଏକ ଦୀର୍ଘକାୟ ପୁସ୍ତକ ରଚନା କରି ସମଗ୍ର ଭାରତବର୍ଷରେ ଏହା ରାଷ୍ଟ୍ରପତିଙ୍କ ଉପରେ ଜଣେ ଓଡ଼ିଆ ପୁଅ ରଚନା କରିଥିବାରୁ ପ୍ରଥମ ପ୍ରକାଶିତ ପୁସ୍ତକ ବୋଲି ଜାଣି ବୁଦ୍ଧିଜୀବୀମାନେ ଭୂୟସୀ ପ୍ରଶଂସା କରିଥିଲେ। ସହସ୍ର ପୁସ୍ତକର ସ୍ରଷ୍ଟା ପଣ୍ଡିତ ଦୈତ୍ୟାରି ମହାପାତ୍ର ଭଦ୍ରକ ଜିଲାରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଶିକ୍ଷା, ସଂସ୍କୃତି, ସମାଜସେବା କ୍ଷେତ୍ରରେ ଗୁରୁତ୍ୱ ଦେଇ ପ୍ରବଚନରେ ମନୋନିବେଶ କରିଛନ୍ତି। ସେ ଜଣେ ଆବାଲ୍ୟ ଶିବ ଉପାସକ। ଦେବାଧିଦେବ ମହାଦେବଙ୍କ ଅପାର କରୁଣା ଓ କୃପାରୁ ଏପରି ଅସମ୍ଭବ କାର୍ଯ୍ୟ ସମ୍ଭବରେ ପରିଣତ ହୋଇପାରୁଛି ବୋଲି ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱହସ୍ତରେ ଖୁବଶୀଘ୍ର ଏହି ପୁସ୍ତକ ଲୋକାର୍ପଣ କରାଯିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.